ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ : ବିଚ୍ଛିନ୍ନାଞ୍ଚଳରେ ଅଜବ ଫତୱା ଜାରି କଲେ ନକ୍ସଲ

767

କନକ ବ୍ୟୁରୋ : ମୋବାଇଲ ଧରିଲେ ପ୍ରଜାକୋର୍ଟରେ ମିଳିବ ମୃତ୍ୟୁଦଣ୍ଡ । ଯଦି କଥାବାର୍ତ୍ତା ପାଇଁ ମୋବାଇଲ ଆବଶ୍ୟକ ପଡ଼ୁଛି ତେବେ ଅନୁମତି ନେବାକୁ ପଡ଼ିବ । ଏହି ଆଦେଶକୁ ଅମାନ୍ୟ କଲେ ନିଜ ଜୀବନ ପାଇଁ ନିଜେ ଦାୟୀ ରହିବ । ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ଏମିତି ଅଜବ ଫତୱା ଜାରି କରିଛନ୍ତି ନକ୍ସଲ । ଏପରିକି ବାହାରୁ ଯାଉଥିବା ଲୋକଙ୍କ ପାଇଁ ବି ନୋଟିସ୍ ବୋର୍ଡରେ ଏହି କଥା ଲେଖି ଚେତାଇଛନ୍ତି ।

ଗାଁ ଗହଳିରେ ମୋବାଇଲ ନେଟୱର୍କ ପହଞ୍ଚିବା ପରେ ମଣିଷ ପାଇଁ ଗୋଟିଏ ଅଙ୍ଗ ପାଲଟି ଯାଇଛି ମୋବାଇଲ ଫୋନ । ହେଲେ ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳରେ ମୋବାଇଲ ଫୋନ ଲୋକଙ୍କ ପାଇଁ ଅଭିଶାପ ସଦୃଶ ହୋଇଛି । ବିଚ୍ଛିନ୍ନାଞ୍ଚଳର ଅଣ୍ଡ୍ରାପାଲୀ ପଞ୍ଚାୟତର ଅରାପଦର ଗ୍ରାମରେ ନକ୍ସଲମାନେ ଗୋଟିଏ ନୋଟିସ୍ ବୋର୍ଡ ଲଗାଇଛନ୍ତି । ସେଥିରେ ମୋବାଇଲ ବ୍ୟବହାରକୁ ବାରଣ କରାଯାଇଛି । ଯଦି କେହି ବ୍ୟବହାର କରିବାକୁ ଚାହୁଁଛନ୍ତି; ତେବେ ଅନୁମତି ଦେବାକୁ ନିର୍ଦେଶ ଦେଇଛନ୍ତି। ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ପ୍ରଥମେ ମୁହଁ ଖୋଲି ନଥିଲେ ।

ଶେଷରେ ସେମାନେ ଆଶଙ୍କା ମଧ୍ୟରେ ରହି ଏଭଳି ଫତୱାକୁ ସ୍ବୀକାର କରିଥିଲେ। ଇଚ୍ଛା ଥିଲେ ମଧ୍ୟ ସେମାନେ ମୋବାଇଲ ଧରୁନଥିବା କହିଥିଲେ। ଯଦି ଭୁଲ ବଶତଃ କେହି ମୋବାଇଲ ଧରନ୍ତି; ତେବେ ନକ୍ସଲଙ୍କ ନିକଟକୁ ଏ ଖବର ଚାଲିଯାଏ । ପରେ ପ୍ରଜାକୋର୍ଟରେ ଏଥିପାଇଁ ଦଣ୍ଡ ଦିଆଯାଏ। କେବଳ ଏହି ଗୋଟିଏ ଗାଁ ନୁହେଁ, ବିଚ୍ଛିନ୍ନାଞ୍ଚଳର ପ୍ରାୟ ସବୁ ଗ୍ରାମରେ ଏକା ଅବସ୍ଥା । ମୋବାଇଲ ଧରୁଥିବା ଲୋକଙ୍କ ଉପରେ ନକ୍ସଲ ସନ୍ଦେହ କରିବା ସହ ପୁଲିସ ଇନଫର୍ମର ଆଖ୍ୟା ଦେଇଥାନ୍ତି ।

ଆମ ପ୍ରତିନିଧିଙ୍କ ସହ ଏମିତି କଥାବାର୍ତ୍ତା ଚାଲିଥିବା ସମୟରେ ଗାଁର କିଛି ପୁରୁଖା ଲୋକ ପହଞ୍ଚି କଥା ହେଉଥିବା ଲୋକଙ୍କୁ ସେଠାରୁ ଚାଲି ଯିବାକୁ କହିଥିଲେ । ଏଥିରୁ ଆଉ ବୁଝିବାକୁ ବାକି ନଥିଲା ଯେ, ନକ୍ସଲଙ୍କ ନିକଟକୁ ଏହି ଖବର ବି ପହଞ୍ଚିଯିବ। ଏମିତି ସ୍ଥିତିରେ ବିଚ୍ଛିନ୍ନାଞ୍ଚଳବାସୀ ଆଧୁନିକ ଯୁଗ ସହ କେମିତି ତାଳ ମିଳାଇବେ ବୋଲି ପ୍ରଶ୍ନ ଉଠିଛି ।