ଚଳିତ ବର୍ଷ ଠାରୁ ବୃଦ୍ଧି ପାଇବ ନବୋଦୟ ସ୍କୁଲ ସିଟ୍ ସଂଖ୍ୟା ! ଉପକୃତ ହୋଇପାରିବେ ଗ୍ରାମୀଣ ଗରିବ ମେଧାବୀ ଛାତ୍ରଛାତ୍ରୀ

421

କନକ ବ୍ୟୁରୋ : ନବୋଦୟ ସ୍କୁଲରେ ବଢ଼ିବ ସିଟ୍ ସଂଖ୍ୟା । ଗ୍ରାମୀଣ ଅଂଚଳର ମେଧାବୀ ଛାତ୍ରଛାତ୍ରୀ ଉପକୃତ ହେବେ । ଚଳିତ ବର୍ଷ ଠାରୁ ୫୦୦୦ ଅଧିକ ସିଟ୍ ବୃଦ୍ଧି କରାଯିବ ବୋଲି ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଆଉ ଏହାର ସୂଚନା ଦେଇଛନ୍ତି କେନ୍ଦ୍ର ମାନବ ସମ୍ଭଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭଡ଼େକର । ତେବେ ସରକାରଙ୍କ ଏହି ନିଷ୍ପତି ଦ୍ୱାରା ଗରିବ, ମେଧାବୀ ଛାତ୍ରଛାତ୍ରୀ ଉପକୃତ ହୋଇପାରିବେ । ଯେଉଁ ଗରିବ ମେଧାବୀ ଛାତ୍ରଛାତ୍ରୀ ମାନେ ଅର୍ଥ ଅଭାବରୁ ପାଠ ପଢ଼ିପାରୁ ନାହାନ୍ତି, ସେମାନେ ଏଥିରୁ ଅଧିକ ଲାଭ ଉଠାଇ ପାରିବେ । ଆଉ ଏହାଦ୍ୱାରା ସରକାରଙ୍କ ନାରା ସମସ୍ତଙ୍କୁ ଉତ୍ତମ ଶିକ୍ଷାର ସ୍ୱପ୍ନ ପୂରଣ ହୋଇପାରିବ ।

ନବୋଦୟ ସ୍କୁଲରେ ୨୦୧୯-୨୦ ରୁ ଅଧିକ ୫୦୦୦ ସିଟ୍ ସଂଖ୍ୟା ବୃଦ୍ଧି ପାଇବ । ଆଗାମୀ ୪ ବର୍ଷରେ ସିଟ୍ ସଂଖ୍ୟା ବୃଦ୍ଧି ପାଇଁ ୩୨ ହାଜର ସିଟ୍ ଆହୁରି ଅଧିକ ବଢ଼ିବ । ଏହାସହ ନିକଟରେ ଯେଉଁ ଯେଉଁ ନୂଆ ଜିଲ୍ଲା ଘୋଷିତ ହୋଇଛି ସେଠାରେ ମଧ୍ୟ ନବୋଦୟ ସ୍କୁଲ ଖୋଲିବା ପାଇଁ ବିଚାର ବିମର୍ଷ କରୁଛନ୍ତି କେନ୍ଦ୍ର ସରକାର । ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଏହି ପଦକ୍ଷେପ ଏକ ମହତ୍ତପୂର୍ଣ୍ଣ ପଦକ୍ଷେପ ହେବ ବୋଲି କହିଛନ୍ତି ପ୍ରକାଶ ଜାଭଡ଼େକର ।

ସୂଚନାଯୋଗ୍ୟ ଗ୍ରାମୀଣ ଗରୀବ ଓ ମେଧାବୀ ପିଲାଙ୍କ ପାଇଁ ନବୋଦୟ ସ୍କୁଲ ବ୍ୟବସ୍ଥା ଯୋଗୁଁ ଅନେକ ପିଲା ଉପକୃତ ହୋଇପାରୁଛନ୍ତି । ନବୋଦୟ ସ୍କୁଲରେ ମାଗଣାରେ ପାଠ ପଢ଼ିବା ସହ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ମିଳିପାରୁଛି । ଗ୍ରାମାଂଚଳରେ ଯେଉଁ ପିଲାମାନେ ପରୀକ୍ଷାରେ ଉତୀର୍ଣ୍ଣ ହୁଅନ୍ତି ସେମାନଙ୍କୁ ହିଁ ନବୋଦୟ ସ୍କୁଲରେ ପଢ଼ିବାର ସୁଯୋଗ ମିଳେ । ତେବେ ଗତ ବର୍ଷ ନବୋଦୟ ସ୍କୁଲରେ ପ୍ରବେଶ ପାଇଁ ପାଖାପାଖି ୩୧ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।