ନିର୍ବାଚନ ପ୍ରଚାର କରିବା ସହ ପୁଣି କେନ୍ଦ୍ର ଉପରେ ବର୍ଷିଲେ ନବୀନ ! ନବରଙ୍ଗପୁରର ପାଇଁ ନୂଆ ରେଳଲାଇନ କୁଆଡ଼େ ଗଲା ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ

184

କନକ ବ୍ୟୁରୋ : ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନୀ ପ୍ରଚାର । ନବରଙ୍ଗପୁର ରାଇଘରରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ନବୀନ ।  ନିଜର ଅଭିଭାଷଣରେ ଚାଷୀ ଉପରେ ଫୋକସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେଡି ଇସ୍ତାହାରରେ ପ୍ରଥମ ସ୍ଥାନରେ  ଚାଷୀ ରହିଛି ।   ଚାଷୀଙ୍କୁ ନେଇ ସରକାର ସଚେତନ ଅଛନ୍ତି ।  କାଳିଆ ଯୋଜନାରୁ ଜଣେ ବି ଚାଷୀ ବଂଚିତ ହେବେ ନାହିଁ ବୋଲି କହିଛନ୍ତି ନବୀନ ।  ଏହା ସହ କେନ୍ଦ୍ର ସରକାରଙ୍କୁ ବି ଟାର୍ଗେଟ କରିଛନ୍ତି ନବୀନ ପଟ୍ଟନାୟକ ।

ନିର୍ବାଚନ ପାଖେଇ ଆସୁଥିବା ବେଳେ ନିର୍ବାଚନୀ ମଇଦାନକୁ ଓହ୍ଲାଇ ସାରିଛନ୍ତି ନବୀନ । ନବରଙ୍ଗପୁରରେ ନିର୍ବାଚନ ପ୍ରଚାର କରିବା ସହ ଭୋଟ ମାଗିଛନ୍ତି ବିଜେଡ଼ି ସଭାପତି । କେନ୍ଦ୍ର ସରକାର ଓ ବିଜେପିକୁ ସିଧା ଟାର୍ଗେଟ କରିଛନ୍ତି । ଓଡ଼ିଶାରେ ପ୍ରାକୃତିକ ବିପର‌୍ୟ୍ୟୟ ବେଳେ କେହି ଆସିଲେ ନାହିଁ । ବନ୍ୟା,ବାତ୍ୟା ବେଳେ ଦେଖାଦେଲେନି, ଆଉ ଏବେ ଭୋଟ ସମୟରେ ଓଡ଼ିଶା ଚାଲି ଆସୁଛନ୍ତି । କେନ୍ଦ୍ରର ବଡ଼ ବଡ଼ ନେତାମାନେ ୫ ବର୍ଷରେ ଥରେ ହେଲେ ଆସିନାହାନ୍ତି । ଆଉ ଏବେ ଭୋଟ ମତଦାନ ସମୟରେ ସମସ୍ତ ନେତାଙ୍କ ଦେଖା ମିଳୁଛି । ଓଡ଼ିଶା ପ୍ରତି କ୍ରମାଗତ ଅବହେଳା ହେଉଥିବା ଅଭିଯୋଗ କରି ଜନସାଧାରଣଙ୍କୁ ପ୍ରଶ୍ନ କରିବାକୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ ।

ଏସଏସି ଏସଟି କୋଟା ବୃତ୍ତିକୁ କାହିଁକି ବନ୍ଦ କଲେ କେନ୍ଦ୍ର ସରକାର । ଚାଷୀ ବୀମାରେ ଚାଷୀଙ୍କୁ ହଇରାଣ କରାଯାଇଛି । କେନ୍ଦ୍ରକୁ ଟାର୍ଗେଟ କରି ନବୀନ କହିଛନ୍ତି କୁଆଡ଼େ ଗଲା ଦୁଇ ଗୁଣ ଏମଏସପି ? କୁଆଡ଼େ ଗଲା ନବରଙ୍ଗପୁର ପାଇଁ ନୂଆ  ରେଳଲାଇନ୍ ? ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଓଡ଼ିଶାବାସୀଙ୍କ  କାମ କରିବି । ଏହାସହ ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ନବୀନ ।