ତାଳଚେର ନିର୍ବାଚନୀ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ ! ନବୀନ କହିଲେ, ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପରେ ବିଜେପି ଛାନିଆ, ଇଭିଏମ ଉପରେ ରାଗ ସୁଝାଉଛନ୍ତି ନେତା

390

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମାରାଥନ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ । ପଞ୍ଚମ ଥର ପାଇଁ ପୁଣି ଶାସନ ଭାର ସମ୍ଭାଳିବା ପାଇଁ ପାଇଁ ପ୍ରଚାରର ମଙ୍ଗ ଧରିଛନ୍ତି ନିଜେ ବିଜେଡ଼ି ସଭାପତି । ଏହି କ୍ରମରେ ଆଜି ଅନୁଗୋଳରେ ତାଳଚେରରେ ପ୍ରଚାର କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ତାଳଚେର ଘଂଟପଡ଼ାରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେପିକୁ ଟାର୍ଗେଟ କରିଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଜେପି ଛାନିଆ ହୋଇଗଲାଣି । ଆଉ ସେଥିପାଇଁ ବିଜେପି ନେତାମାନେ ଇଭିଏମ ଭାଙ୍ଗିବା ଆରମ୍ଭ କରିଦେଇଛନ୍ତି । ଆଇନକୁ ସମ୍ମାନ ଦେଇ ଜାଣିନାହାନ୍ତ ବୋଲି କହିଲେ ।

ସେପଟେ ନିର୍ବାଚନୀ ସଭାରେ ପୁଣି କେନ୍ଦ୍ର ଉପରେ ବର୍ଷିଛନ୍ତି ବିଜେଡ଼ି ସୁପ୍ରିମୋ । ୫ ମିନିଟର କାମ ୫ ବର୍ଷରେ ହୋଇ ପାରିଲା ନାହିଁ । କୋଇଲା ରୟାଲିଟି ନିୟମ ସଂଶୋଧନ କାହିଁକି ହୋଇନି ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ ନବୀନ । କୋଇଲା ରୟାଲିଟିରୁ କେନ୍ଦ୍ର ଅଧିକ ଲାଭବାନ ହେବାସହ ହଜାର ହଜାର କୋଟି ଟଙ୍କା ପାଉଛି । ହେଲେ କେହିବି ସ୍ଥାନୀୟ ଅଂଚଳର ବିକାଶ ପ୍ରତି ଯତ୍ନଶୀଳ ନୁହଁନ୍ତି । ଓଡ଼ିଶା ଭାଗ୍ୟରେ କେବଳ ଧୂଳି ଓ ପ୍ରଦୂଷଣ ଲେଖାହୋଇଛି ।

ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି, ଓଡ଼ିଶାର ବିଜେପିର ବଡ଼ ବଡ଼ ନେତାମାନେ କୋଇଲା କାରବାର କରୁଛନ୍ତି କି ? ଏମସିଏଲ, ଏନଟିପିସି ହଜାର ହଜାର କୋଟି ଟଙ୍କା ଆୟ କରୁଛି କିନ୍ତୁ ଲୋକଙ୍କୁ କିଛି ମିଳୁନି । ନିଜ ଅଂଚଳରେ ବଡ଼ ବଡ଼ ଖଣିଖାଦାନ ଥିଲେ ମଧ୍ୟ ଯୁବକଙ୍କୁ ଚାକିରି ମିଳୁନି । ବିଜେପି ନେତାମାନେ କଂଟ୍ରାକ୍ଟର ବନ୍ଧୁଙ୍କ ପାଇଁ କାମ କରୁଛନ୍ତି କି ? ଜାଣିଶୁଣି ଓଡ଼ିଶା ଯୁବକଙ୍କୁ ଅଣଦେଖା କରାଯାଉଛି । ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ମିଳୁନି । ଏସବୁ ସତ୍ୱେ ଦୁଇ ଓଡ଼ିଆ କେନ୍ଦ୍ରମନ୍ତ୍ରୀ ଚୁପ ଅଛନ୍ତି । ବିଜେପି ନେତାଙ୍କୁ ଏହି ସବୁ ପ୍ରଶ୍ନ କରିବା ପାଇଁ ଭୋଟରଙ୍କୁ ଆହା୍ନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପଟେ ପୁଣି କାଳିଆ କଥା ବଖାଣିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକୃତ ହୋଇଛନ୍ତି । କିନ୍ତୁ କେନ୍ଦ୍ରର ବିଜେପି ସରକାର କାଳିଆ ଯୋଜନାକୁ ବନ୍ଦ କରିବା ପାଇଁ ଷଡ଼ଯନ୍ତ୍ର ଚଳାଇଛି । ହେଲେ ମୁଁ ଥିବା ପର‌୍ୟ୍ୟନ୍ତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଯୋଜନାର ୨ କିସ୍ତି ଟଙ୍କା ମିଳିବ । ବିଜୁ ଜନତା ଦଳ ମହିଳାମାନଙ୍କୁ ହକ୍ ଦେଇଛି । କେନ୍ଦ୍ରର ଯୋଜନା ତୁଳନାରେ ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନେ ଦୁଇଗୁଣ ଟଙ୍କା ପାଉଛନ୍ତି । ମହିଳାମାନେ ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ୍ ।