କୃଷକ ସମାବେଶରେ କେନ୍ଦ୍ରକୁ ନବୀନଙ୍କ ଟାର୍ଗେଟ ! କହିଲେ, ଚାଷୀଙ୍କ ପାଇଁ ଲଢ଼େଇ ଜାରି ରହିବ

184

କନକ ବ୍ୟୁରୋ : ଦିଲ୍ଲୀ ତାଲକୋଟରା ଷ୍ଟାଡ଼ିୟମରେ ବିଜେଡ଼ିର କୃଷକ ସମାବେଶରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରୁ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ନବୀନ କହିଛନ୍ତି ଧାନର ସର୍ବନିମ୍ନ ସାହୟକ ମୂଲ୍ୟ ବୃଦ୍ଧି କରିବା ପାଇଁ ଅନୁରୋଧ କରାଯାଇଥିଲା । ହେଲେ ଆଜି ପର୍ଯ୍ୟନ୍ତ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କିଛି କଲେନି । ଚାଷୀଙ୍କ ପାଇଁ ଆମ ଲଢ଼େଇ ଜାରି ରହିବ । ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସଦାସର୍ବଦା ଚେଷ୍ଟାରତ । ଚାଷୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ରାଜ୍ୟ ସରକାର କାଳିଆ ଯୋଜନା ଆଣିଛନ୍ତି ।  ଏଥିରେ ନାମମାତ୍ର ଚାଷୀଙ୍କ ଠାରୁ ଆରମ୍ଭ କରି ସବୁ ବର୍ଗର ଚାଷୀ ଉପକୃତ ହେବେ । ସେହିପରି ରାଜ୍ୟର ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ କରାଯାଇ ପାରିଥିବା ସହିତ ତୁରନ୍ତ କେନ୍ଦ୍ର ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିି କରିବାକୁ ଦାବି କରିଛନ୍ତି  ।

ନିର୍ବାଚନ ଜିତିବା ପରେ ଆମେ ପ୍ରତିଶ୍ରୁତି ପୂରଣ କରିଛୁ । ବିଜୁ ଜନତା ଦଳ ଚାଷୀଙ୍କ ହକ୍ ପାଇଁ କାମ କରିଆସୁଛି ଆଉ କରିଆସୁଥିବ । କିନ୍ତୁ ଚାଷୀଙ୍କୁ ବିଜେପି ଦେଇଥିବା ପ୍ରତିଶ୍ରୁତି ଏଯାଏଁ ପାଳନ ହୋଇନାହିଁ । ନିର୍ବାଚନୀ ଇସ୍ତାହାରେ ଦେଇଥିବା ପ୍ରତିଶ୍ରୁତି ପାଳନ କରିନି କେନ୍ଦ୍ର । କ୍ଷମତାକୁ ଆସିବା ପରେ ନିଜ ଦାୟିତ୍ୱରେ ଅବହେଳା କରିଛି । ସ୍ୱାମୀନାଥନ୍ କମିଟି ରିପୋର୍ଟକୁ ମଧ୍ୟ କାର୍ଯ୍ୟକାରୀ କରିନି । ଚାଷୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇବା ପାଇଁ ନିକଟରେ କେନ୍ଦ୍ରକୁ ଅନୁରୋଧ କରାଯାଇଥିଲା । କେନ୍ଦ୍ର ନିଜ ଦାୟିତ୍ୱରୁ ହଟିପାରିବେ ନାହିଁ ।  ଚାଷୀଙ୍କ ପାଇଁ ଆଜି ଆମେ ସମେସ୍ତ ଏକାଠି ହୋଇଛୁ । ଚାଷୀ ଭାଇ ଅର୍ଥନୀତିର ଆତ୍ମା । ଚାଷୀଙ୍କ ଉନ୍ନତି ହେଲେ ଦେଶର ଅର୍ଥନୀତିରେ ଅଭିବୃଦ୍ଧି ଘଟିବ ।

 

ସୂଚନାଯୋଗ୍ୟ ହଜାର ହଜାର ବିଜେଡି ସମର୍ଥକ, ଦଳୀୟ କର୍ମୀ, ବିଧାୟକ, ସାଂସଦ ଓ ସଙ୍ଗଠନ ଦାୟିତ୍ୱରେ ଥିବା ଅଧିକାରୀମାନେ ଏକାଠି ହୋଇଛନ୍ତି । ଆଉ ଏହାର ନେତୃତ୍ୱ ନେଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ବିଶାଳ କୃଷକ ଅଧିକାର ସମାବେଶରେ ଯୋଗ ଦେଇ ବିଜେଡି ନେତାମାନେ ଅଭିଯୋଗ କରିଛନ୍ତି ଯେ କେନ୍ଦ୍ର ସରକାର୨୦୧୪ ମସିହା ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ମୁତାବକ ଧାନର ସହାୟକ ମୂଲ୍ୟ ବୃଦ୍ଧି ନ କରି ରାଜ୍ୟର ଲକ୍ଷଲକ୍ଷ ଚାଷୀଙ୍କ ସହିତ ପ୍ରତାରଣା କରିଛନ୍ତି । ୨୦୧୪ରେ କ୍ଷମତାକୁ ଆସିବା ପୂର୍ବରୁ ମୋଦି ସରକାର ଏମଏସପି ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏ ନେଇ ଓଡ଼ିଶା ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କ ସହିତ ବାରମ୍ବାର ଆଲୋଚନା ଏବଂ ଚିଠି ଲେଖାଯାଇଛି। କିନ୍ତୁ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଚୁପ୍ ବସିଛନ୍ତି । ତେବେ ଅପରାହ୍ଣ ୫ଟାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୫୦ ଟଙ୍କା କରିବା ନେଇ ରାଷ୍ଟ୍ରପତିଙ୍କୁ ଏକ ଦାବିପତ୍ର ପ୍ରଦାନ ପାଇଁ ସମୟ ଧାର୍ଯ୍ୟ ହୋଇଛି ।