ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର-କେନ୍ଦ୍ର ଟଣାଓଟରା ଭିତରେ ଓଡିଶାର ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ! କହିଲେ, ଦିଲ୍ଲୀ ଦରବାରରେ ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟପାହ୍ୟା ପ୍ରସଙ୍ଗ

46

କନକ ବ୍ୟୁରୋ : ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବିରେ ଆନ୍ଧ୍ର-କେନ୍ଦ୍ର ଟଣାଓଟରା ଭିତରେ ଓଡିଶାର ଦାବି ଦୋହରାଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ପଟ୍ଟନାୟକ କହିଛନ୍ତି ଦିଲ୍ଲୀ ଦରବାରରେ ପୁଣି ଉଠିବ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ । ସଂସଦରେ ଓଡିଶାର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି ଜାରି ରହିବ । ଆଜି ତିନି ଜଣ ରାଜ୍ୟସଭା ପ୍ରାର୍ଥୀଙ୍କ ମନୋନୟନ ପତ୍ର ଦାଖଲ ଅବସରରେ ଉପସ୍ଥିତ ଥିବା ମୁଖ୍ୟମନ୍ତ୍ରୀ ରାଜ୍ୟର ସ୍ୱାର୍ଥ ସମ୍ପର୍କୀତ ଦାବି ରାଜ୍ୟର ବିଜେଡି ସାଂସଦ ମାନେ କେନ୍ଦ୍ରରେ ଦାବି ଉପସ୍ଥାପନ କରିବେ ବୋଲି କହିଛନ୍ତି ।

NABIN PATTANAIK

ଦୀର୍ଘ ବର୍ଷ ଧରି ଓଡିଶା ଏହି ଦାବି କରି ଆସୁଥିବା ବେଳେ ବାରମ୍ବାର କେନ୍ଦ୍ର ଏହାକୁ ଖଣ୍ଡନ କରି ଆସିଛି । ଏପରିକି ଲୋକସଭାରେ ଏନେଇ ଆଗତ ପ୍ରସ୍ତାବ ମଧ୍ୟ କାଟ ଖାଇଯାଇଥିଲା । ଏପରିକି ରାଜ୍ୟର ବିଜେପି ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ମଧ୍ୟ ଏହି ପ୍ରସ୍ତାବ ବିରୋଧରେ ଭୋଟ୍ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦାବି ନେଇ ନୀତି ଆୟୋଗ ବୈଠକରେ ଉଠାଇଥିଲେ । ଏହି ଦାବି ନେଇ ବିଜେଡି- ବିଜେପି ସବୁ ବେଳେ ମୁହାଁମୁହିଁ ସ୍ଥିତିରେ ରହି ଆସିଥିବା ବେଳେ ଏହାକୁ ନିର୍ବାଚନୀ ପ୍ରସଙ୍ଗ କରିପାରନ୍ତି ନବୀନ । ରାଜ୍ୟର ଏହି ଦାବି ନେଇ ଏକାଧିକ ଥର ରାଜରାସ୍ତାକୁ ଓହ୍ଲାଇଛି ବିଜେଡି ।

ଏପରିକି ଓଡିଶା ଗସ୍ତ ଅବସରରେ ରାଜ୍ୟର ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବିକୁ ସିଧାସଳଖ ମନା କରିଦେଇଥିଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏପଟେ ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ତେଲୁଗୁ ଦେଶମ ପାର୍ଟି କେନ୍ଦ୍ର ସରକାରରୁ ଓହରି ଆସିଛି । ଏପରିକି ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ହୋଇନାହିଁ । ଅନ୍ୟପଟେ ଆନ୍ଧ୍ର ସରକାରରୁ ବିଜେପିର ମନ୍ତ୍ରୀ ମାନେ ମଧ୍ୟ ଇସ୍ତଫା ଦେଇଛନ୍ତି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ନେଇ ଟିଡିପି ଓ ବିଜେପି ମଧ୍ୟରେ ଟଣାଓଟରା ଚାଲିଥିବା ବେଳେ ଓଡିଶା ନିଜର ଏହି ଦାବିକୁ ଅଧିକ ଶାଣିତ କରିବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାହା ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା:
ଦୁର୍ଗମ ଓ ପାହାଡିଆ ଅଂଚଳ, ଅଳ୍ପ ଜନସଂଖ୍ୟା ବା ଆଦିବାସୀ ଅଧ୍ୟୁଷିତ ଅଂଚଳ, ସୀମାବର୍ତୀ ଗୁରୁତ୍ୱପୂର୍ଣ୍ଣ ଅଂଚଳ, ଆର୍ଥିକ ଓ ଭିତିଭୂମି ବିକାଶରେ ପଛୁଆ ଅଂଚଳ, ରାଜ୍ୟ ଅର୍ଥନୀତିରେ ପଛୁଆ ଅଂଚଳ ।  ବର୍ତମାନ ଯୋଜନା କମିଶନ ସ୍ଥାନ ନେଇଛି ନୀତି ଆୟୋଗ ଏବଂ ଏହାର ଅର୍ଥ ବଂଟନ କ୍ଷମତା ନାହିଁ । ୨୦୧୫ ମସିହାରୁ ଚତୁର୍ଦ୍ଦଶ ଅର୍ଥ କମିଶନ ସ୍ୱତନ୍ତ୍ର ରାଜ୍ୟପାହ୍ୟାକୁ ବାତିଲ କରିଛନ୍ତି । ଏହା କେବଳ ଉତ୍ତରପୂର୍ବାଂଚଳର ତିନୋଟି ପାହାଡିଆ ରାଜ୍ୟ ପାଇଁ ପ୍ରଯୁଜ୍ୟ ।

ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ପାଇଁ ସୁବିଧା
କେନ୍ଦ୍ର ସରକାରଙ୍କ ଯୋଜନା ପାଇଁ ୯୦ ପ୍ରତିଶତ ଅନୁଦାନ କେନ୍ଦ୍ର ଦେଇଥାଏ । ଅନ୍ୟପଟେ ସାଧାରଣ ରାଜ୍ୟକୁ କେନ୍ଦ୍ର ସରକାରଙ୍କ ଯୋଜନାରେ ୬୦ ପ୍ରତିଶତ ସହାୟତା ମିଳେ ।