ଝାରସୁଗୁଡା ଓପିସିଜି ଓ ପ୍ରଶାସନକୁ ଏନଜିଟି ଛାଟ : ଜନବସତି ନିକଟରେ ନିର୍ମାଣାଧିନ ପାଉଁଶ ପୋଖରୀର ସ୍ଥିତି ଅନୁଧ୍ୟାନ ପାଇଁ ଜିଲ୍ଲା ପ୍ରଶାସନକୁ ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶ

192

କନକ ବ୍ୟୁରୋ : ଝାରସୁଗୁଡା ଓପିସିଜି ନିର୍ମାଣ କରୁଥିବା ପାଉଁଶ କାରଖାନାକୁ ନେଇ ସଂପୃକ୍ତ କାରଖାନା ଓ ଜିଲ୍ଲା ପ୍ରଶାସନକୁ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ତାଗିଦ । ଜନବସତି ନିକଟରେ ନିର୍ମାଣଧିନ ପାଉଁଶ ପୋଖରୀର ସ୍ଥିତି ଅନୁଧ୍ୟାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପ୍ରଦ୍ୟୁଷଣ ବୋର୍ଡକୁ ନିର୍ଦେଶ ଦେଇଛନ୍ତି ଏନଜିଟି । ପାଉଁଶ କାରଖାନା ଯୋଗୁଁ ଲୋକ ପ୍ରଭାବିତ ହେବାର ଆଶଙ୍କା କରି ଏନଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ।

ଓପିଜିସି କାରଖାନା ତିଆରି କରୁଥିବା ପାଉଁଶ ପୋଖରୀର ସ୍ଥିତି ପରଖ । ଝାରସୁଗୁଡାର ମାଆ ଅମ୍ବିକା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଅଭିିଯୋଗ ଆଧାରରେ ତଦନ୍ତ କର । ଝାରସୁଗୁଡା ଜିଲ୍ଲା ପ୍ରଶାସନ ଓ ଓପିଜିସି କମ୍ପାନୀକୁ ଏମିତି କିଛି ନିର୍ଦେଶ ଦେଇଛନ୍ତି ନ୍ୟାସନାଲ୍ ଗ୍ରୀନ ଟ୍ରିବ୍ୟୁନାଲ । ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ୱେ ଜିଲ୍ଲାର ବନହରପାଳି ସ୍ଥିତ ଓପିଜିସି କାରଖାନାର ୟୁନିଟ୍ ୩ ଓ ୪ ପାଇଁ ଝାରସୁଗୁଡା ସଂସାରାଟିକ୍ରା ଗାଁରେ ନିର୍ମାଣ ଚାଲିଛି ପାଉଁଶ ପୋଖରୀ । ଜନବସତିର ଅତି ନିକଟରେ କମ୍ପାନୀ ପାଉଁଶ ପୋଖରୀ କରୁଥିବାରୁ ବିରୋଧ କରୁଛନ୍ତି ସ୍ଥାନୀୟ ଲୋକ । ନିର୍ମାଣ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ଓ କମ୍ପାନୀ କର୍ତୃପକ୍ଷଙ୍କୁ ଗୁହାରୀ କରି ନିରାସ ହେବା ପରେ ଏନଜିଟିର ଦ୍ୱାରସ୍ଥ ହୋଇଛି ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ୍ । ଆଉ ସେମାନଙ୍କ ଅଭିଯୋଗକୁ ଗ୍ରହଣ କରି ତଦନ୍ତ ନିର୍ଦେଶ ଦେଇଛନ୍ତି ଏନଜିଟି ।

ପାଉଁଶ ପୋଖରୀ ବିରୋଧରେ କଣ ରହିଛି ଅଭିଯୋଗ?

୧. ଜନବସତି ଠାରୁ ୪୮ ମିଟର ଦୂରରେ ପାଉଁଶ ପୋଖରୀ କରୁଥିବା ମିଛ କହିଛନ୍ତି କମ୍ପାନୀ କର୍ତୃପକ୍ଷ ।

୨. ଜନବସତି ଠାରୁ ମାତ୍ର ୨୦ ମିଟର ଦୂରରେ ପାଉଁଶ ପୋଖରୀ କରୁଛି ଓପିଜିସି ।

୩. ପାଉଁଶ ପୋଖରୀ ଠାରୁ ଅଳ୍ପ ଦୂରରେ ରହିଛି ହୀରାକୁଦ ନଦୀ ଜଳଭଣ୍ଡାର ।

୪. ପ୍ରଦୂଷଣ ବିଭାଗର ନିୟମକୁ ଉଲଂଘନ କରିଛି ସଂପୃକ୍ତ କମ୍ପାନୀ ।

୫. ପାଉଁଶ ପୋଖରୀ ପାଇଁ ଜମି ଅଧିଗ୍ରହଣ ସମୟରେ ଜନଶୁଣାଣି ଶିବିର କରାଯାଇନାହିଁ

ଓପିଜିସି ପାଉଁଶ ପୋଖରୀ କଲେ ପ୍ରଭାବିତ ହେବ ହୀରାକୁଦ ନଦୀବନ୍ଧ ଆଉ ପ୍ରଦୂଷିତ ପାଣି ବ୍ୟବହାର କରି ସ୍ଥାନୀୟ ବାସିନ୍ଦା ରୋଗାକ୍ରାନ୍ତ ହେବେ ବୋଲି ଅଭିଯୋଗ ହୋଇଛି । ସେପଟେ ପ୍ରଦୂଷଣ ବୋର୍ଡର ମେମ୍ବର ସେକ୍ରେଟାରୀଙ୍କ ପାଖରୁ କୌଣସି ରିପୋର୍ଟ ଆସି ନାହିଁ । ରିପୋର୍ଟ ଆସିଲେ ଜିଲ୍ଲାପାଳଙ୍କ ସହ ଯାଇ ସ୍ଥିତି ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ।

ତେବେ ଓପିଜିସି ପାଉଁଶ ପୋଖରୀକୁ ନେଇ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ ନିର୍ଦେଶ ପରେ ପ୍ରଶାସନ ପକ୍ଷରୁ କମ୍ପାନୀ ଉପରେ କି ପ୍ରକାର ପଦକ୍ଷେପ ନିଆଯାଉଛି ତାହା ହିଁ ଆଗାମୀ ଦିନରେ ସ୍ପଷ୍ଟ ହେବ ।