ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ : କୋରାପୁଟର ନିଆରା ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ମିଳିବ ଆଦର୍ଶ ଶିକ୍ଷକ ସମ୍ମାନ

487

କନକ ବ୍ୟୁରୋ : ଦିଲ୍ଲୀ ଦରବାରରେ ସମ୍ମାନିତ ହେବେ ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ । ଗୁରୁ ଦିବସରେ ଗୁରୁଙ୍କୁ ସମ୍ମାନିତ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଆସନ୍ତା ସେପ୍ଟମ୍ବର – ୫ ତାରିଖରେ କୋରାପୁଟର ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ଆଦର୍ଶ ଶିକ୍ଷକ ପୁରସ୍କାରରେ ସମ୍ମାନିତ କରାଯିବ । ଦେଶର ମୋଟ ୪୫ ଜଣ ଶିକ୍ଷକଙ୍କ ମଧ୍ୟରେ ରାଜ୍ୟରୁ ଏକମାତ୍ର ଶିକ୍ଷକ ଭାବେ ମନୋନିତ ହୋଇଛନ୍ତି ପବିତ୍ର ।

ସେବାକୁ ମିଳିବ ସମ୍ମାନ । ରାଜ୍ୟର ଏକମାତ୍ର ଆଦର୍ଶ ଶିକ୍ଷକ ଭାବେ ଦିଲ୍ଲୀରେ ସମ୍ମାନିତ ହେବେ କୋରାପୁଟ ଜିଲ୍ଲାର ଆଦର୍ଶ ଶିକ୍ଷକ । ଆସନ୍ତା ଗୁରୁ ଦିବସ ଦିନ ବୋରିଗୁମ୍ମା ବ୍ଲକ ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସଙ୍କୁ ସମ୍ମାନିତ କରିବେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ । ଦେଶର ମୋଟ ୪୫ ଜଣ ଶିକ୍ଷକଙ୍କୁ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ କରାଯିବ । ଉନ୍ନତମାନର ଶିକ୍ଷାଦାନ ଶୈଳି ଯୋଗୁଁ ପୂର୍ବରୁ ଅନେକ ଥର ପବିତ୍ରଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି ।

ଜୟପୁର ବିକ୍ରମ ଦେବ କଲେଜରୁ ପାଠପଢା ସାରି ୨୦୦୧ ମସିହାରୁ ଶିକ୍ଷକତା କରୁଛନ୍ତି ପବିତ୍ର ମୋହନ । ୨୦୧୪ରୁ ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅଛନ୍ତି । ସେ ଛାତ୍ରଛାତ୍ରୀଙ୍କୁ ଗଣିତ, ବିଜ୍ଞାନ ଓ ଇଂରାଜୀ ପାଠ ପଢାଇବାରେ କୃତିତ୍ୱ ହାସଲ କରିଛନ୍ତି । ଛାତ୍ରଛାତ୍ରୀ କିଭଳି ସରଳ ଭାଷାରେ ବୁଝି ପାରିବେ ସେଥିପାଇଁ ସେ ନିଜେ ବହୁ ବହି ମଧ୍ୟ ଲେଖିଛନ୍ତି ।

ଶିକ୍ଷା କ୍ଷେତ୍ରରେ ଉଲେଖନୀୟ ଅବଦାନ ପାଇଁ ପବିତ୍ର ମୋହନ ପାଇଥିବା ପୁରସ୍କାର ତାଲିକା   . . . 

୧. ୨୦୧୪ ମସିହାରେ ପ୍ରକୃତି ବନ୍ଧୁ ସମ୍ମାନର ଅଧିକାରୀ ହୋଇଥିଲେ ।

୨. ୨୦୧୬ରେ ପ୍ରକୃତି ମିତ୍ର ପୁରସ୍କାର ପାଇଥିଲେ

୩. ସେହି ୨୦୧୬ରେ ରାଜ୍ୟ ସ୍ତରରେ ଶ୍ରେଷ୍ଠ ଶିକ୍ଷକ ପୁରସ୍କାରରେ ସମ୍ମାନିତ ହୋଇଥିଲେ ପବିତ୍ର ।

୪. ୨୦୧୯ ମସିହା ସେପ୍ଟେମ୍ବର ୫ରେ ଆଦର୍ଶ ଶିକ୍ଷକ ସମ୍ମାନରେ ସମ୍ମାନିତ ହେବେ ।


ଆଦର୍ଶ ଶିକ୍ଷକ ସମ୍ମାନ ପାଇଁ ପବିତ୍ର ମୋହନ ମନୋନୀତ ହେବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ସ୍କୁଲରେ ପିଲାଙ୍କୁ ପାଠ ପଢାଇବା ସହ ସ୍କୁଲ ପରିସରକୁ ସବୁଜି ଭରା ସୁନ୍ଦର କରିବା ପାଇଁ ପବିତ୍ରଙ୍କ ଅବଦାନ ଅତୁଳନୀୟ ବୋଲି କୁହନ୍ତି ସହକର୍ମୀ ।