ପୃଥିବୀ ଆଡ଼କୁ ମୁହାଁଉଛି କ୍ଷୁଦ୍ରଗ୍ରହ ବେନୁ ! ଧକ୍କା ହେଲେ ହିରୋସୀମା ପରମାଣୁ ବମ୍ ଠାରୁ ୮୦ ହଜାର ଗୁଣ ଅଧିକ ଭୟଙ୍କର ହେବ ସ୍ଥିତି

569

ପୃଥିବୀ ଆଡ଼କୁ ବଢ଼ୁଛି କ୍ଷୁଦ୍ରଗ୍ରହ ବେନୁ । ଆଉ ଏହାକୁ ପରିକ୍ରମା କରୁଥିବା ନାସାର ମହାକାଶ ଯାନ Osiris-Rex ଚଳିତ ସପ୍ତାହରେ ଆଶ୍ଚର୍ଯ୍ୟ କଲାପରି ଫଟୋଚିତ୍ର ପଠାଇଛି । ଫଟୋଚିତ୍ରରୁ ସ୍ପଷ୍ଟ ଜଣାପଡ଼ୁଛି କ୍ଷୁଦ୍ରଗ୍ରହ ଠାରୁ ପୃଥିବୀ ଓ ଚନ୍ଦ୍ର ଛୋଟ ଛୋଟ ବିନ୍ଦୁ ପରି ଦୃଶ୍ୟମାନ ହେଉଛି । ନାସା ତରଫରୁ ସୂଚନା ଦିଆଯାଇଛି, ଏହି କ୍ଷୁଦ୍ରଗ୍ରହ ପୃଥିବୀ ସହ ଧକ୍କା ହୋଇପାରେ । ଏପରି ହେଲେ ହିରୋସୀମାରେ ପଡ଼ିଥିବା ପରମାଣୁ ବୋମା ତୁଳନାରେ ୮୦,୦୦୦ ଗୁଣା ଅଧିକ ଭୟଙ୍କର ସ୍ଥିତି ଉପୁଜିପାରେ ।

୬ ଅଗଷ୍ଟ, ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନର ହିରୋସୀମାରେ ଏକ ପରମାଣୁ ବୋମା ପକାଇଥିଲା । ରିଉଠିଲା ପୁରା ଜାପାନ । ଆଉ କ୍ଷଣିକ ମଧ୍ୟରେ ମାଟିରେ ମିଶିଗଲା ଜାପାନର ଏହି ବଡ ସହର । ଚାରିଆଡେ ହାହାକାର ଓ ମୃତ୍ୟୁର ବିଭୀଷିକା ଦେଖାଦେଇଥିଲା । ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷ ପର୍ଯ୍ୟାୟରେ ଆମେରିକାର ଏହି ଆକ୍ରମଣରେ ହତବାକ୍ ହୋଇଗଲା ବିଶ୍ୱ । ପରମାଣୁ ବୋମା ଆକ୍ରମଣରେ ୧ ଲକ୍ଷ ୪୦ ହଜାର ପ୍ରାଣ ହରାଇଲେ । ୩୫ ହଜାରରୁ ଅଧିକ ବିକଳାଙ୍ଗ ହୋଇଗଲେ । ବିସ୍ଫୋରଣ ପରବର୍ତ୍ତୀ ଅବସ୍ଥା ତା’ଠୁ ଅଧିକ ଭୟଙ୍କର ଥିଲା । ଜାପାନରେ ବର୍ଷ ବର୍ଷ ଯାଏଁ ରହିଲା ବିକିରଣର ପ୍ରଭାବ ।ପରମାଣୁ ବୋମା ବିସ୍ଫୋରଣ ସମୟରେ ୧୬ କିଲୋଟନର ଶକ୍ତି ବିଚ୍ଛୁରିତ ହୋଇଥିଲା ।

ସେହିପରି କ୍ଷୁଦ୍ରଗ୍ରହ ବେନୁର ଲମ୍ବ ୫୦୦ ଫୁଟ । ଆଉ ଏହାର ଓଜନ ଟାଇଟାନିକ ଜାହାଜ ତୁଳନାରେ ୧,୬୬୪ ଗୁଣା ଭାରି ଅଟେ । ଏଥିରୁ ଆପଣ ଅନୁମାନ କରିପାରୁଥିବେ ବେନୁର ପ୍ରଭାବ କେତେ ଭୟଙ୍କର ହେବ । ସାରା ବିଶ୍ୱରେ ମୃତ୍ୟୁର ତାଣ୍ଡବ ଦେଖାଯିବ । ବୈଜ୍ଞାନିକଙ୍କ କହିବା ଅନୁସାରେ ପୃଥିବୀ ସହ କ୍ଷୁଦ୍ରଗ୍ରହ ବେନୁର ଧକ୍କା ହେଲେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ମୁଖରେ ପଡ଼ିବେ । ତେବେ ସୂଚନା ଅନୁସାରେ ପୃଥିବୀ ସହ ବେନୁ ଧକ୍କା ଦେବାର ସମ୍ଭାବନା ବହୁତ୍ କମ୍ ।