ଆଜି ବିଜେପି ସଂସଦୀୟ ଦଳ ବୈଠକ ! ସାଂସଦଙ୍କୁ କଡ଼ା ସନ୍ଦେଶ ଦେଇପାରନ୍ତି ମୋଦି

24

ସଂସଦ ପରିସରରେ ଆଜି ଭାରତୀୟ ଜନତା ପାର୍ଟିର ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଏହି ବୈଠକରେ ଭାଗ ନେଇ ସମ୍ବୋଧିତ କରିବେ । ଗୁଜରାଟ ରାଜ୍ୟସଭା ନିର୍ବାଚନ ଶେଷ ହେବା ପରେ ଏହା ପ୍ରଥମ ସଂସଦୀୟ ଦଳ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ସାଂସଦଙ୍କୁ କଡ଼ା ସନ୍ଦେଶ ଦେବେ ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ମଧ୍ୟ ବିଗତ ବୈଠକରେ ମୋଦି ଓ ଅମିତ ଶାହ ସାସଂଦଙ୍କ ଅନୁପସ୍ଥିତି ପାଇଁ ଅସନ୍ତୋଷ ପ୍ରକାଶ କରିଥିଲେ ।

ସୂଚନାଯୋଗ୍ୟ ଗୁଜରାଟ ରାଜ୍ୟସଭାରେ ନିର୍ବାଚନରେ ୩ ଟି ସିଟରୁ ୨ ଟିରେ ବିଜେପିକୁ ବିଜୟ ମିଳିଛି ଏବଂ ଅନ୍ୟ ଗୋଟିଏକୁ ହାତେଇଛି କଂଗ୍ରେସ । ବିଜେପି ଅଧ୍ୟକ୍ଷ ଅମିତ ଶାହ ପ୍ରଥମ ଥର ପାଇଁ ରାଜ୍ୟସଭା ପହଞ୍ଚିଛନ୍ତି, ଅନ୍ୟପଟେ ସ୍ମୃତି ଇରାନୀ ଲଗାତାର ଦ୍ୱିତୀୟ ଥର ପାଇଁ ରାଜ୍ୟସଭା ପହଞ୍ଚିଛନ୍ତି ।

ଗୁଜରାଟ ରାଜ୍ୟସଭା ନିର୍ବାଚନରେ ବିଜେପି ରଣନୀତିକୁ ଶକ୍ତ ଝଟକା ଲାଗିଛି । କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ବଳରେ ତୃତୀୟ ଆସନ ଜିତିବା ପାଇଁ ଆଶା ବାନ୍ଧିଥିବା ବିଜେପିକୁ ପରାଜୟର ମୁହଁ ଦେଖିବାକୁ ପଡ଼ିଛି । ବିଜେପିର ଶତ ଚେଷ୍ଟା ସତ୍ୱେ କଂଗ୍ରେସ ଦିଗଜ ଅହମଦ ପଟେଲଙ୍କୁ ରାଜ୍ୟସଭା ଯିବା ପାଇଁ କେହି ରୋକି ପାରିଲେ ନାହିଁ ।

କଂଗ୍ରେସକୁ ହରାଇବା ପାଇଁ ବିଜେପିର ଚାଣକ୍ୟ କୁହାଯାଉଥିବା ଅମିତ ଶାହ ରଣନୀତି ପ୍ରସ୍ତୁତ କରିଥିଲେ । ତେଣୁ ବିଜେପି ତିନିଟି ଯାକ ଆସନ ହାତେଇ ନେବ ବୋଲି ଆଶାବାଦୀ ଥିଲା । କଂଗ୍ରେସର ବିଦ୍ରୋହୀ ନେତା ଶଙ୍କର ସିଂହ ବାଘେଲା ଗୋଷ୍ଠୀର ଦୁଇ ବିଧାୟକ ଭୋଲା ଭାଇ ଗୋହିଲ ଏବଂ ରାଘବ ପଟେଲ ମଧ୍ୟ ଆଶାନୁରୂପ ଭାବେ କ୍ରସ୍ ଭୋଟିଂ କରିଥିଲେ ।

ମାତ୍ର ଦୁହେଁ ସେମାନଙ୍କ ଭୋଟ୍ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଦେଖାଇ ଦେଇଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ନିର୍ବାଚନ ଆଚରଣ ବିଧି ଉଲଂଘନ କରିଥିବାରୁ ସେମାନଙ୍କର ଭୋଟ୍ ନାକଚ କରିବା ପାଇଁ କଂଗ୍ରେସ ଅଡ଼ି ବସିଥିବା ବେଳେ ବିଜେପି ଏହାର ବିରୋଧ କରିଥିଲା ।

କଂଗ୍ରେସ ଅଭିଯୋଗକୁ ଗ୍ରହଣ କରି ନିର୍ବାଚନ କମିସନ ଏହି ଦୁଇ ବିଧାୟକଙ୍କ ଭୋଟକୁ ନାକଚ କରିଦେଇଥିଲେ । ଏହାର ପ୍ରତିବାଦ ଜଣାଇ ବିଜେପି ଭୋଟ ଗଣତିକୁ ଅଟକାଇ ଦେଇଥିଲା।  ତେବେ ରାତି ପାଖାପାଖି ଦୁଇଟା ବେଳେ ଗଣତି ସଂପନ୍ନ ହୋଇଥିଲା । ଏତେ ସବୁ ଡ୍ରାମା ପରେ ମଧ୍ୟ ଗୋଟିଏ ଆସନକୁ ହାତଛଡ଼ା କରିଥିଲା ବିଜେପି ।

ରାଜ୍ୟସଭାର ଭୋଟିଂ ପରେ ମଙ୍ଗଳବାର ପାଖାପାଖି ୧୦ ଘଂଟା ହାଇଭୋଲଟେଜ ଡ୍ରାମା ପରେ ନିର୍ବାଚନ ଫଳାଫଳ ଘୋଷଣା ହୋଇଥିଲା । ଯେଉଁଠି ବିଜେପି ଅକ୍ଷ୍ୟକ୍ଷ ଅମିଶ ଶାହ ଓ କେନ୍ଦ୍ରୀୟ ମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ୪୬-୪୬ ଭୋଟ ମିଳିଲା ଏବଂ ଅହମଦ ପଟେଲଙ୍କୁ ୪୪ ଭୋଟ ସହ ବିଜୟୀ ହୋଇଥିଲେ । ରାଜ୍ୟର ୧୭୬ ସଂସଦୀୟ ବିଧାନସଭାରେ ୨ କଂଗ୍ରେସ ବିଧାୟକଙ୍କ ଭୋଟ ରଦ୍ଦ ହେବା ପରେ ୧୭୪ରୁ ଗଣତି ହୋଇଥିଲା ।