ନନ୍ଦନକାନନରେ ଉଦଘାଟିତ ହେଲା ହେଟାବାଘ ଘର ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍ ଘର !
କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନବ ନିର୍ମିତ ହେଟାବାଘ ଘର ଓ ବ୍ୟାଟେରି ଚାଳିତ ଗାଡ଼ିର ଟିକେଟ୍ ଘର ଆଜି ଉଦ୍ଘାଟିତ ହୋଇଛି । ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏହାକୁ ଉଦ୍ଘାଟିତ କରିଥିଲେ । ମନ୍ତ୍ରୀ ୨୫ ଓ ୨୬ ନମ୍ବର ଖୁଆଡ଼ରେ ନିର୍ମିତ ହେଟାବାଘ ଘର ଦୁଇଟିର ଫଳକ ଉଦ୍ଘାଟନ କରିବା ପରେ ହଳେ ହେଟାବାଘଙ୍କୁ ଖୁଆଡ଼ ମଧ୍ୟକୁ ଛଡ଼ା ଯାଇଥିଲା । ଏହି ଅବସରରେ ମନ୍ତ୍ରୀଙ୍କ ସହ ପିସିସିଏଫ୍ ସନ୍ଦୀପ ତ୍ରିପାଠୀ, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ନନ୍ଦନକାନନ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ, ଉପ-ନିର୍ଦ୍ଦେଶକ ଜୟନ୍ତ କୁାର ଦାସ, ବରିଷ୍ଠ ପ୍ରଣୀ ଚିକିତ୍ସକ ଅନିଲ କୁମାର ଦାସ, ଜନ୍ତୁ ବିଭାଗ ଏସିଏଫ୍ ଅଞ୍ଜନ କୁମାର ମହାନ୍ତି, ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
୧୮୧୦ ବର୍ଗମିଟର ପରିମିତ ଜାଗାରେ ୨ଟି ହେଟାବାଘ ଘର ନିର୍ମାଣ କରାଯାଇଛି। ଏଥିରେ ନନ୍ଦନକାନନର ନିଜସ୍ୱ ପାଣ୍ଠିରୁ ୩୫ ଲକ୍ଷ ଟଙ୍କା ଖର୍ଚ ହୋଇଛି। ଖୁଆଡ଼ ୨ଟିରେ ହେଟାବାଘଙ୍କ ପାଇଁ ୬ଟି ଖାଦ୍ୟ ଗ୍ରହଣ କକ୍ଷ ରହିଛି । ଏହା ପଛକୁ ଆଉ ୪ଟି ଗୃହ ନିର୍ମାଣ କରାଯାଇଛି। ଏଥିରେ ଅସୁସ୍ଥ ହେଟାବାଘଙ୍କର ଚିକିତ୍ସା କରାଯିବ । ସେହିପରି ଜନ୍ତୁରକ୍ଷକଙ୍କ ଲାଗି ମଧ୍ୟ ଗୃହ ନିର୍ମାଣ କରାଯାଇଛି । ପର୍ଯ୍ୟଟକଙ୍କ ଲାଗି ଉଭୟ ହେଟାବାଘ ଘର ସମ୍ମୁଖରେ ଗ୍ୟାଲେରି ନିର୍ମାଣ କରାଯାଇଛି । ପରେ ମନ୍ତ୍ରୀ ଶ୍ରୀ ରାଉତରାୟ ବ୍ୟାଟେରି ଚାଳିତ ଗାଡ଼ି ଟିକେଟ୍ ଘରକୁ ଉଦ୍ଘାଟନ କରିଥିଲେ ।
ଏହି ଅବସରରେ ମନ୍ତ୍ରୀ ଶ୍ରୀ ରାଉତରାୟ ନନ୍ଦନକାନନ ପାଇଁ ଅନେକ ଯୋଜନା ରହିଛି ବୋଲି କହିଥିଲେ । ତେବେ ନନ୍ଦନକାନନ ପଛ ପାଖ ପାଚେରି କିଭଳି ସୁଦୃଢ଼ କରାଯାଇ ପାରିବ ସେଥିଲାଗି ଆମେ ଚିନ୍ତା କରୁଛୁ ବୋଲି ଗୁରୁତ୍ୱ ଦେଇଥିଲେ । ଅନ୍ୟପକ୍ଷରେ ଜେବ୍ରା ଆଣିବା ନେଇ ମନ୍ତ୍ରୀ କହିଥିଲେ ଯେ, ଆମ ପରିବେଶ ଜେବ୍ରାଙ୍କୁ ସୁହାଉ ନାହିଁ । ତେବେ ଏ ନେଇ ଅଧିକ ପରୀକ୍ଷା ନରୀକ୍ଷା ଜାରି ରହିଛି । କିପରି ଜେବ୍ରାମାନେ ଆମ ପରିବେଶରେ ରହି ପାରିବେ ତାହା ନିଶ୍ଚିତ ହବା ପରେ ଯାହା କିଛି ପଦକ୍ଷେପ ନିଆଯାଇ ପାରିବ । ନିର୍ଦ୍ଦେଶକ ଶ୍ରୀ ଆଚାର୍ଯ୍ୟ କହିଥିଲେ, ଆଜି ୪ଟି ହେଟାବାଘ ଛଡ଼ାଯାଇଛି ଆଗକୁ ଆଉ ଗୋଟିଏ ଛଡ଼ାଯିବ । ଆଗମୀ ବର୍ଷରେ ସଇସୁର ଚିଡ଼ିଆଖାନାରୁ ନନ୍ଦନକାନନକୁ ହଳେ ଜିରାଫ ଆଣିବାକୁ ସ୍ଥିର ହୋଇଥିବା ସେ କହିଥିଲେ ।