ଭୂତ ନାଁରେ ଉଠୁଛି ଟଙ୍କା ! ନବରଙ୍ଗପୁରରେ ମୃତ ଜବ କାର୍ଡଧାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ

17

କନକ ବ୍ୟୁରୋ : ଭୂତ ନାଁରେ ଉଠୁଛି ଟଙ୍କା । ଲକ୍ଷାଧିକ ଟଙ୍କା ହେଉଛି ଆତ୍ମସାତ । ଏପରି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁରରେ । ଏନଆରଇଜିଏସ ଯୋଜନା ଅଧିନରେ ମୃତ ଜବ କାର୍ଡଧାରୀଙ୍କୁ କାର୍ଯ୍ୟରେ ଲଗାଇ ଲକ୍ଷାଧିକ ଟଙ୍କା ହଡପ କରିନିଆଯାଉଥିବା ଅଭିଯୋଗ ହୋଇଛି ।

ମୃତ ଜବକାର୍ଡ ଧାରୀଙ୍କ ନାଁରେ ଲକ୍ଷାଧିକ ଟଙ୍କା ଆତ୍ମସାତ । ନବରଙ୍ଗପୁର ଜିଲ୍ଲା ଝରିଗାଁରେ ଏନଆରଇଜିଏସ ଯୋଜନା ଅଧିନରେ ୩୯ଜଣ ମୃତ ଜବ କାର୍ଟଧାରୀଙ୍କ ନାଁରେ ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି । ଗତ ଫେବୃୟାରୀ ୧୦ ତାରିଖରେ ଝରିଗାଁ ସଦର ମହକୁମାର ଇନ୍ଦିରା ଗୌଡଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ସ୍ୱାମୀଙ୍କ କହିବା କଥା ହେଲା ମୃତ ସ୍ତ୍ରୀଙ୍କ ନାଁରେ ଉଠାଯାଇଛି ଟଙ୍କା । ସେହିପରି ମାର୍ଚ୍ଚ ୧୦ରେ ପ୍ରାଣ ହରାଇଥିବା ଗଣପତି ଭଦ୍ରାଙ୍କ ନାଁରେ ବି ଉଠିଛି ଟଙ୍କା । ମୃତ ବ୍ୟକ୍ତିଙ୍କ ନାଁରେ ଏପରି ଟଙ୍କା ଉଠାଣ ଘଟଣାର ଯାଂଚ ପାଇଁ ଦାବି କରିଛନ୍ତି ପରିବାର ।

ପୋଷ୍ଟ ଅଫିସରୁ ପାସବୁକ ଜରିଆରେ ଏନଆରଇଜିଏସ ଟଙ୍କା ଉଠାଣ ହେଉଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ମୃତ ବ୍ୟକ୍ତିଙ୍କ ନାଁରେ କିପରି ଉଠାଯାଉଛି ଟଙ୍କା । ଏନେଇ ଝରିଗାଁ ପୋଷ୍ଟ ମାଷ୍ଟରଙ୍କ କହିଛନ୍ତି କଯେ, ଯେଉଁ ବ୍ୟକ୍ତିଙ୍କର ଟଙ୍କା ଆସିଛି ସେମାନେ ପରିଚୟ ପତ୍ର ଆଣି ଟଙ୍କା ଉଠାଣ କରୁଛନ୍ତିି । ସେପଟେ ବିଡିଓଙ୍କ କହିବା କଥା ହେଲା, ଏନେଇ କୌଣସି ଲିଖିତ ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନଆରଇଜିଏସ ଯୋଜନାରେ ଗାଁଲୋକଙ୍କୁ ରୋଜଗାର ଦିଆଯିବା ଯୋଜାନ କରାଯାଉଥିବା ବେଳେ ଏଥିରୁ ମଧ୍ୟ ଲକ୍ଷାଧିକ ଟଙ୍କା ଆତ୍ମସାତ କରୁଛନ୍ତି ଅଧିକାରୀ । ଏହାର ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ତଥ୍ୟ ପଦାକୁ ଆସିବ ।