ଆଜି ବିଜେଡ଼ିରେ ଯୋଗଦେବେ ବରିଷ୍ଠ ନେତା ନବ ଦାସ ! କିଶୋର ମହାନ୍ତି କହିଲେ, ନବଙ୍କ ଯୋଗଦାନରେ ଶକ୍ତିଶାଳୀ ହେବ ଦଳ

254

କନକ ବ୍ୟୁରୋ : ଆଜି ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଯୋଗଦେବେ ବରିଷ୍ଠ ନେତା ନବ ଦାସ । ବିଧିବଦ୍ଧ ଭାବେ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ ନବ ଦାସ । ସେପଟେ କିଶୋର ମହାନ୍ତି କହିଛନ୍ତି ନବଙ୍କ ଯୋଗଦାନ ଦଳକୁ ଶକ୍ତିଶାଳୀ କରିବ । ଆଜି ଝାରସୁଗୁଡାରେ ଜିଲ୍ଲା ପାଇଁ ୬୧୮ କୋଟି ୬୬ ଲକ୍ଷ ଟଙ୍କା ବ୍ୟୟର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ଝାରସୁଗୁଡାରେ ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଓ ଲଖନପୁର ବ୍ଲକର ୬ଟି ଉଠାଜଳସେଚନ ପ୍ରକଳ୍ପ ସହ ଝାରସୁଗୁଡା ଓ କିରିମରା ବ୍ଲକ ପାଇଁ ୨ଟି ଗ୍ରିଡକୋ ସବ ଷ୍ଟେସନକୁ ଉଦଘାଟନ କରିବେ ।

ସେହିପରି ଝାରସୁଗୁଡା କ୍ୟାନସର କେୟାର ହସ୍ପିଟାଲ, ୪ଟି ମେଗା ଜଳ ଯୋଗାଣ ପ୍ରକଳ୍ପ, ଚଉକିପଡା ରେଳ ଓଭରବ୍ରିଜ ଓ ଅମାତି କ୍ଷୁଦ୍ର ଜଳ ସେଚନ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିବେ । ଅମଲିପାଲିଠାରେ ଆୟୋଜିତ ସାଧାରଣ ସଭାକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରିବେ । ଝାରସୁଗୁଡା କାର୍ଯ୍ୟକ୍ରମ ଶେଷ କରି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ବଲାଙ୍ଗିର ରାଜେନ୍ଦ୍ର କଲେଜ ପଡିଆରେ ହେଉଥିବା ବିଜୁ ଯୁବ ବାହିନୀ ଆଂଚଳିକ ସମାବେଶରେ ସାମିଲ ହେବେ । ସେଠାରେ ମଧ୍ୟ ୧୬୮ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ୯୪ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ କରିବେ ।