ସରକାରଙ୍କ ଅନୁମତି ମିଳିଲେ ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ଯିବ ଏଏସଆଇ ଟିମ ! ଧୋତି ଗାମୁଛା ଓ ମୁଣ୍ଡରେ ଏଲଇଡି ଲାଇଟ ଲଗାଇ ଯିବେ ୪ରୁ ୫ ଜଣିଆ ଟିମ

138

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାରକୁ ନେଇ ଦିନକୁ ଦିନ ବଢ଼ିଚାଲିଛି ରହସ୍ୟ । ରତ୍ନଭଣ୍ଡାର ନେଇ  କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି । ତେବେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଭିତରକୁ ନେଇ ଅନେକ କଳ୍ପନା ଜଳ୍ପନା ଚାଲିଛି । ପୁରୀ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ କରୁଥିବା ଏଏସଆଇ ଟିମ୍ ଭଣ୍ଡାରଘରକୁ ଯିବ କି ? ଜଗମୋହନକୁ ଲାଗି ରହିଥିବା ଭିତର ଓ ବାହାର ଭଣ୍ଡାର ଭିତରେ ପଶି ଅନୁଧ୍ୟାନ କରିବ ନା ନାହିଁ ? କାରଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ୱେ କେବଳ ବାହାରୁ ଭଣ୍ଡାର ଘରର ସ୍ଥିତି ଅନୁଧ୍ୟାନ ଶେଷ ହୋଇଛି । ଏଏସଆଇ ଟିମ ଅନୁଭବ କରୁଛନ୍ତି ଭଣ୍ଡାର ଘର ଭିତରେ ମଧ୍ୟ ଯାଂଚ ହେବା ଜରୁରୀ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ମଗାଯାଇଛି । ଆଉ ଅନୁମତି ମିଳିବା ପରେ କିଭଳି ଭଣ୍ଡାର ଘରର ଯାଂଚ ହେବ ସେନେଇ ପ୍ରସ୍ତୁତ ହେବ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଜିଓର । ଛତିଶା ନିଯୋଗ ସହ ବୈଠକ କରି ପୁରା ପ୍ରକ୍ରିୟା ସ୍ଥିର କରିବ ମନ୍ଦିର ପରିଚାଳନା କମିଟି ।

ସୂଚନା ଅନୁସାରେ ରତ୍ନ ଭଣ୍ଡାର ଭିତରେ ପ୍ରବେଶ କରିବେ ପ୍ରତ୍ନତତ୍ୱ ବିଭାଗ, କୋର କମିଟି ସଦସ୍ୟ ଓ ସେବାୟତ । ଧୋତି ଓ ଗାମୁଛା ପିନ୍ଧି ରତ୍ନ ଭଣ୍ଡାରକୁ ପ୍ରବେଶ କରିବେ ସମେସ୍ତ । ଦେହରେ କୌଣିସି ଅଳଙ୍କାର, ମୁଦି କିମ୍ବା ଅନ୍ୟ କୌଣସି ପ୍ରସାଧନ ସାମଗ୍ରୀ ପିନ୍ଧିବେ ନାହିଁ । କେବଳ ଚଷମା ବ୍ୟବହାର କରିବାକୁ ଅନୁମତି ଦିଆଯିବ । ଏହା ଛଡା ଖଣି ଅଂଚଳରେ ବ୍ୟବହାର ହେଉଥିବା ଏଲଇଡି ଲାଇଟ ମୁଣ୍ଡରେ ଲଗାଇବାକୁ ବ୍ୟବସ୍ଥା କରାଯିବ । ଖୁବ ଉଜ୍ଜଳ ଭାବେ ଜଳୁଥିବା ଏହି ଲାଇଟ ସେମାନଙ୍କୁ ଘନ ଅନ୍ଧକାର ଭିତର ବାଟ କଢେଇନେବ ।

ରତ୍ନ ଭଣ୍ଡାରର ସ୍ଥିତି ଯାଂଚ ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରସିଡିୟର ବା ଏସଓପି ପ୍ରସ୍ତୁତ କରୁଛି ଶ୍ରୀମନ୍ଦିର ପ୍ରଶାସନ । ଆସନ୍ତା ୨୯ତାରିଖରେ ଛତିଶା ନିଯୋଗ ବୈଠକ ପରେ ଏକ କମିଟି ଗଠନ କରାଯିବ ଏବଂ କେଉଁମାନେ ରତ୍ନ ଭଣ୍ଡାର ଭିତରେ ପ୍ରବେଶ କରିବେ ଏହି କମିଟି ନିଷ୍ପତି ନେବ । ରତ୍ନ ଭଣ୍ଡାର ଯାଂଚ ସମୟରେ ସବୁ ପ୍ରକାର ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହି ସମୟରେ ବାହାରେ ଆମ୍ବୁଲାନ୍ସ ମଧ୍ୟ ରଖାଯିବ । ଏଥିସହ ଡାକ୍ତର ମଧ୍ୟ ଉପସ୍ଥିତ ରହିବେ ।

ଭଣ୍ଡାର ଘରକୁ ନେଇ ଅନେକ ଲୋକ କଥା ରହିଛି । ଭଣ୍ଡାର ଘରକୁ ବିଷଧର ସାପ ଜଗି ରହେ ବୋଲି ଏହି ଲୋକ କଥା ଚର୍ଚ୍ଚା ହୁଏ । ତେଣୁ ଭଣ୍ଡାର ଘର ଯାଂଚ ବେଳେ ସ୍ନେକ ହେଲପଲାଇନ ସଦସ୍ୟଙ୍କୁ ଡକାଯିବ ବୋଲି ସୂଚନା ମିଳିଛି । ଭଣ୍ଡାର ଘର ଯାଂଚ ସମୟରେ ସାପ ଧରାଳିଙ୍କୁ ଡକାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ଏଥିପାଇଁ ସ୍ନେକ ହେଲପଲାଇନକୁ ଯୋଗା ଯୋଗ କରାଯିବ । କାରଣ ଶହ ଶହ ବର୍ଷ ଧରି ବନ୍ଦ ହୋଇ ପଡିଥିବା ଭଣ୍ଡାର ଘରେ ସାପ ଥିବାର ଅନେକ ସମ୍ଭାବନା ରହିଛି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆସନ୍ତା ୨ରୁ ୩ ଦିନ ଭିତରେ ରତ୍ନ ଭଣ୍ଡାରରେ ପ୍ରବେଶ ପାଇଁ ସରକାର ଅନୁମତି ଦେଇପାରନ୍ତି ଏବଂ ୨୯ ତାରିଖ ଛତିଶା ନିଯୋଗ ବୈଠକ ପରେ ରତ୍ନ ଭଣ୍ଡାରରେ ପ୍ରବେଶ ନେଇ ଚୂଡାନ୍ତ ରୂପରେଖ ପ୍ରସ୍ତୁତ ହେବ । ତେବେ ରତ୍ନ ଭଣ୍ଡାର ପ୍ରବେଶ ସମୟରେ ସେଠାରେ କଣ ଅଛି ତାହା ଉପରେ ସଦସ୍ୟ ମାନେ ନଜର ପକାଇବେ ନାହିଁ ଓ ବାହାରେ କାହାକୁ ଏ ବାବଦରେ କୌଣସି ସୂଚନା ଦେବେ ନାହିଁ ବୋଲି ଭଣ୍ଡାର ଘରେ ପ୍ରବେଶ କରିବାକୁ ଥିବା ସଦସ୍ୟଙ୍କୁ ସତର୍କ କରାଇ ଦିଆଯିବ ।

ସୂଚନାଯୋଗ୍ୟ ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟକୁ ନେଇ ବିଭିନ୍ନ ସମୟରେ ନାନା କଥା ଶୁଣିବାକୁ ମିଳିଥାଏ । ଏପରିକି ରତ୍ନଭଣ୍ଡାରକୁ ନେଇ ଅନେକ କାଳ୍ପନିକ ଓ ଅଲୌକିକ କାହାଣୀ ଶୁଣିବାକୁ ମିଳିଥାଏ । ରତ୍ନଭଣ୍ଡାରର ତୃତୀୟ ଓ ଚତୁର୍ଥ ଘରେ ହିଁ ସୁନା,ରୂପା, ମୋତି,ମାଣିକ ଓ ମୂଲ୍ୟବାନ ଅଳଙ୍କାର ରହିଛି ବୋଲି ଲୋକଙ୍କ ମତ । ଏପର୍ଯ୍ୟନ୍ତ ରତ୍ନ ଭଣ୍ଡାରର ତୃତୀୟ ଓ ଚତୁର୍ଥ ଘର ଖୋଲା ଯାଇ ନାହିଁ । କି ଏହାକୁ ଖୋଲିବାକୁ କେହି ସାହସ ମଧ୍ୟ କରନ୍ତି ନାହିଁ । ଲୋକକଥା ଅନୁଯାୟୀ ଏହି ଭଣ୍ଡାରଙ୍କୁ ଲୋକନାଥଙ୍କ ଚଳନ୍ତି ପ୍ରତିମା ଜଗି ରହିଛନ୍ତି । ଏହାସହ ଏହି ଭଣ୍ଡାର ଘରୁ ସାପଙ୍କର ଭୟଙ୍କର ସଁ ସଁ ଶବ୍ଦ ଶୁଣିବାକୁ ମିଳେ ବୋଲି ଲୋକକଥା ରହିଛି ।

ରତ୍ନଭଣ୍ଡାରରେ ପ୍ରକୃତରେ କେତେ ପରିମାଣର ଅଳଙ୍କାର ରହିଛି । ଏହାକୁ ମୂଲ୍ୟାୟନ କରିବା ପାଇଁ ଅନେକ ସମୟରେ ଚେଷ୍ଟା କରାଯାଇଛି । କିନ୍ତୁ ଏଥିରେ କେହି ମଧ୍ୟ ସଫଳ ହୋଇନାହାନ୍ତି । ପ୍ରକୃତରେ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହାର କାହା ପାଖରେ ମଧ୍ୟ ନାହିଁ । କିନ୍ତୁ କିଛି ଗବେଷକଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାରରେ କେତେ ପରିମାଣର ଅଳଙ୍କାର ରହିଛି ତାହା ଜାଣିବା ପାଇଁ ଇଂରେଜ ଅମଳରେ ଜଣେ ଜିଲ୍ଲାପାଳ ରତ୍ନ ଭଣ୍ଡାର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ରତ୍ନ ଭଣ୍ଡାର ଖୋଲିବା ଉଦ୍ୟମ ଆରମ୍ଭ ହେଲାପରେ ସମ୍ପୃକ୍ତ ଜିଲ୍ଳାପାଳଙ୍କ ପୁଅ କମ ବୟସରେ ମୃତ୍ୟୁ ବରଣ କରିଥିଲେ । ଏପରିକି ଜିଲ୍ଲାପାଳ ଜଣକ ରାତିରେ ଭୟଙ୍କର ସ୍ୱପ୍ନ ଦେଖିଥିଲେ । ଜିଲ୍ଲାପାଳଙ୍କୁ ବହୁ ବିପଦ ମାଡି ଆସିଲା । ଫଳରେ ରତ୍ନଭଣ୍ଡାରର ରହସ୍ୟ ଜାଣିବା ନିଷ୍ପତ୍ତିରୁ ଓହରି ଯାଇଥିଲେ ଜିଲ୍ଲାପାଳ । ତେବେ ଏହି ଲୋକକଥାରେ କେତେ ସତ୍ୟତା ରହିଛି ତାହା ଯେବେ ରତ୍ନଭଣ୍ଡାର ଖୋଲିବ ସେବେ ଜଣାପଡିବ ।