ଗଛ ପାଇଁ ବଂଚିଗଲା କୋମଳମତିର ଜୀବନ ! ମୁମ୍ବାଇରେ ୪ ମହଲା କୋଠା ଉପରୁ ଖସିପଡ଼ିଥିଲା ୧୪ ମାସିଆ ଶିଶୁପୁତ୍ର

305

କନକ ବ୍ୟୁରୋ : ଆଜିକାଲି ଲୋକେ ନିଜ ସୁବିଧା ପାଇଁ ଗଛ କାଟି ପଦା କରିଦେଉଛନ୍ତି । ଦିନକୁ ଦିନ ବଢ଼ିଚାଲିଛି ଜନସଂଖ୍ୟା । ଜନସଂଖ୍ୟା  ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଗଛକଟା ମଧ୍ୟ ବୃଦ୍ଧି ପାଉଛି । ଲୋକମାନେ ନିଜର ଘର ତିଆରି ପାଇଁ ଗଛ କାଟି ଜଙ୍ଗଲ ପଦା କରିଦେଲେଣି  । ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷ ହେଉଛି ଉତ୍ତମ ମାଧ୍ୟମ । ବିଶ୍ୱ ପରିବେଶ ଆଜି ପ୍ରଦୂଷିତ ହୋଇଛି । ଏଥିପାଇଁ ବିଭିନ୍ନ ସମୟରେ ବହୁ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି । ତେବେ ମୁମ୍ବାଇରେ ଗଛ ପାଇଁ ବଂଚିଯାଇଛି ୧୪ ମାସିଆ ଶିଶୁପୁତ୍ରର ଜୀବନ ।

ଗତକାଲି ସକାଳେ ଗୋବନ୍ଦିସ୍ଥିତ ୪ ମହଲା ବାସଭବନର ସ୍ଲାଇଡିଙ୍ଗ୍ ଫ୍ରେଞ୍ଚ୍ ଝରକାରୁ ତଳକୁ ଖସିପଡ଼ିଥିଲା ଜଣେ ୧୪ ମାସିଆ । ତେବେ ସେଭାଗ୍ୟବଶତଃ ବଂଚିଯାଇଛି ଅଥର୍ବ ବାର୍କାଡ଼େ ଓରଫ ଶ୍ରୀଙ୍କ ଜୀବନ ।  ଅଥର୍ବ ଝରକା ବାହାରେ ଥିବା ଗୋଟାଏ ଗଛରେ ପଡ଼ି ଭୂଇଁକୁ ଖସଡ଼ି ଯାଇଥିଲେ। ସକାଳ ପ୍ରାୟ ୮. ୪୫ରେ ଘଟନାଟି ଘଟିଥିଲା । ଅଥର୍ବର ଜେଜେ ଗ୍ରିଲ୍ ଝରକା ଖୋଲି ଲୁଗା ଶୁଖାଇବା ପାଇଁ ବାହାରକୁଯାଇଥିଲେ । ସେ ଝରକାଟି ବନ୍ଦ କରିଥିଲେ ସୁଦ୍ଧା ତାହା ଭଲଭାବେ ବନ୍ଦ ହୋଇନଥିଲା ।

ଏତିକି ବେଳେ ରହିବା ଘରେ ଖେଳୁଥିବା ଅଥର୍ବ ଝରକା ପାଖକୁ ଦୌଡ଼ି ଯାଇ ୨ଫୁଟ୍ ଲେଜ୍ରୁ ଖସିପଡ଼ି ବାହାରକୁ ପଡ଼ିଯାଇଥିଲା ଆଉ ଏକତା ଦେଖିନେଇଥିଲେ ଅଥର୍ବଙ୍କ ବାପା । ତାଙ୍କ ପାଟି ଚିଲାଇବାରୁ ଘରଲୋକେ ତଳକୁ ଧାଇଁଯାଇ ଦେଖିଲେ ଅଥର୍ବ ତଳେ ପଡ଼ିଛି। କଥା ହେଲା, ଅଥର୍ବ ଝରକାରୁ ସିଧା ଗଛ ଉପରେ ପଡ଼ି ସେ ନୁଆଣିଆ ଡାଳ ଦେଇ ଭୂଇଁ ଉପରକୁ ଖସି ଆସିଥିଲା । ପ୍ରଥମେ ସେ ଗଛରେ ପଡ଼ିଥିବାରୁ ଯୋର୍ ଆଘାତ ଲାଗି ନଥିଲା । ଆଉ ଗଛ ପାଇଁ ବଂଚିଗଲା ଅଥର୍ବର ଜୀବନ । ତେବେ ପଡ଼ିଯିବା ପରେ ଅଥର୍ବକୁ ତୁରନ୍ତ ମେଡ଼ିକାଲ ନିଆଯାଇଥିଲା । ତା’ ଓଠ ଓ ଗୋଟିଏ ଗୋଡ଼ରେ ଆଘାତ ଲାଗିଛି। ସୂଚନା ଅନୁସାରେ ଅଥର୍ବର ସ୍ୱାସ୍ଥ୍ୟବସ୍ଥା ଏବେ ଭଲ ଅଛି ।