କନକ ବ୍ୟୁରୋ : କେରଳରେ ମୌସୁମୀ ସକ୍ରିୟ ହୋଇଥିଲେ ହେଁ ଏହା ଓଡ଼ିଶା ଦିଗରେ ଯେମିତି ଆସିବା କଥା ଆସୁନି । ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ବାୟୁ’ ପ୍ରଭାବରେ ଦକ୍ଷିଣ ପଶ୍ଚିମ ଦିଗରୁ ଆସିବାକୁ ଥିବା ମେଘ ବାଦଲ ଓଡ଼ିଶା ଦିଗରେ ଆସୁନି । ଏପରିକି ଦକ୍ଷିଣ ପଶ୍ଚିମ ଦିଗରୁ ମୌସୁମୀ ବାୟୁ ବହୁନି । ତେଣୁ ଓଡ଼ିଶାକୁ ମୌସୁମୀ ପ୍ରବେଶ ବିଳମ୍ବ ହେଉଛି । କିନ୍ତୁ ଉତ୍ତର ଭାରତର ଆସାମ, ଗ୍ୟାଙ୍ଗଟକ୍ ଅଞ୍ଚଳରେ ଏବେ ମୌସୁମୀ ସକ୍ରିୟ ହୋଇଛି। ଏହା ଏବେ ଓଡ଼ିଶା ଦିଗରେ ଗତି କରୁଛି । ଯାହା ପ୍ରଭାବରେ ଓଡ଼ିଶାରେ ଜୁନ୍ ୨୦ ବେଳକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଶେଷଜ୍ଞ ଶରତ କୁମାର ସାହୁ କହିଛନ୍ତି ।
ସେହିପରି ଆସନ୍ତା ୪ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଆକାଶ ମେଘୁଆ ରହିବା ସହ ଅପରାହ୍ନରେ କାଳବୈଶାଖୀ ବର୍ଷା ହୋଇପାରେ । ରବିବାର ବଲାଙ୍ଗୀର, ସୋନପୁର, ବରଗଡ଼, ବୌଦ୍ଧ, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ, ଯାଜପୁର, କନ୍ଧମାଳ, ଗଜପତି, ଗଞ୍ଜାମ ଆଦି ଜିଲ୍ଲାରେ ୩୦ରୁ ୪୦କିମି ବେଗରେ ପବନ ବହିବା ସହ ବର୍ଷା ହୋଇପାରେ । ଏହାବାଦ୍ ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ସୁନ୍ଦରଗଡ଼ରେ କିନ୍ତୁ ପୂର୍ବାହ୍ନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।