ବ୍ୟାଙ୍କରେ ବି ସୁରକ୍ଷିତ ନୁହେଁ ଟଙ୍କା : ଜମାଖାତାରୁ ଟଙ୍କା ଗାଏବ

1,424

କନକ ବ୍ୟୁରୋ : ବ୍ୟାଙ୍କ ଜମାଖାତାରୁ ଟଙ୍କା ଗାଏବ । ହଜାରେ କି ୨ ହଜାର ନୁହେଁ, ୫୦ ଦିନରେ ୫ ଲକ୍ଷ ଟଙ୍କା ଗାଏବ ହୋଇଯାଇଛି । ଗ୍ରାହକଙ୍କ ଏସଏମଏସ ସୁବିଧା ଥିଲେ ସୁଦ୍ଧା ଟଙ୍କା ଉଠାଣ ନେଇ ତାଙ୍କୁ କୌଣସି ମେସେଜ୍ ଆସିନାହିଁ । ଏମିତି ଅଭିଯୋଗ କରିଛନ୍ତି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଗ୍ରାହକ ସସ୍ମିତା ସେଠୀ । ବିନା ମେସେଜରେ ୫ ଲକ୍ଷ ଟଙ୍କା ଜମା ଖାତାରୁ ଗାଏବ ହେବା ଘଟଣାରେ ବ୍ୟାଙ୍କ କର୍ତ୍ତୃପକ୍ଷ ସଂପୃକ୍ତି ଥିବା ଅଭିଯୋଗ ହୋଇଛି । ଏନେଇ ଜମାକାରୀ ଗ୍ରହକ ଜଣଙ୍କ ସାଇବର ସେଲ ଏବଂ କ୍ରାଇମବ୍ରାଂଚରେ ଅଭିଯୋଗ କରିଛନ୍ତି । ସେପଟେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାକୁ ଅସ୍ୱୀକାର କରିବା ସହ ଆଧର କାର୍ଡ ସଂଯୋଗ ଏବଂ ଟିପ ଚିହ୍ନ ମାଧ୍ୟମରେ ଅନ୍ୟ କୌଣସି ବ୍ରାଂଚରୁ ଉଠିଥିବାର ସଫେଇ ରଖିଛନ୍ତି ।

ଷ୍ଟେଟ ବ୍ୟାଙ୍କ ଗ୍ରାହକଙ୍କ ଜମାଖାତାରୁ ଲକ୍ଷାଧିକ ଟଙ୍କା ଗାଏବ । ୫୦ ଦିନରେ ୧୦-୧୦ ହଜାର କରି ପୁରା ୫ ଲକ୍ଷ ଟଙ୍କା ଗାଏବ । କଟକ କିଶନନଗର ଥାନା ବୋଦର ଗାଁର ମଧୁସ୍ମିତା ସେଠୀ, ଜଗତସିଂହପୁର ରଘୁନାଥପୁର ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଏକ ଜମା ଖାତା ଖୋଲି ୫ ଲକ୍ଷ ୧୪ ହଜାର ଟଙ୍କା ଜମା ରଖିଥିଲେ । ଗତ ୧୧ ତାରିଖରେ ଏଟିଏମ୍ କାର୍ଡ ବାବଦକୁ ୧୪୭ ଟଙ୍କା ୫୦ ପଇସା କଟିବା ସହ ତାଙ୍କ ଆକାଉଂଟରେ ୧୪ ହଜାର ୧୦୦ ଟଙ୍କା ବାଲାନ୍ସ ଥିବା ନେଇ ଏକ ମେସେଜ ଆସିଥିଲା । ଏହାପରେ ଆକାଉଂଟରୁ ବାକି ୫ ଲକ୍ଷ ଟଙ୍କା କୁଆଡେ ଗଲା ବୋଲି ଜାଣିବା ପାଇଁ ମଧୁସ୍ମିତା ବ୍ୟାଙ୍କ ଶାଖା ପରିଚାଳକଙ୍କୁ ଅବଗତ କରିଛନ୍ତି । ଏହାପରେ ଲୁଟର ପୁରା ଘଟଣା ସାମ୍ନାକୁ ଆସିଛି ।

ବ୍ୟାଙ୍କ ଖାତାରୁ ଟଙ୍କା ଲୁଟ୍ ନେଇ ମଧୂସ୍ମିତା ଗତ ୧୪ ତାରିଖରୁ ବ୍ୟାଙ୍କ କର୍ତ୍ତୃପକ୍ଷ, କ୍ରାଇମବ୍ରାଂଚଙ୍କୁ ଅବଗତ କରାଇଛନ୍ତି । ସାଇବର କ୍ରାଇମ୍ ଯୋଗେ ଏହି ଲୁଟ ହୋଇଥିବା ବେଳେ ଏଥିରେ ବ୍ୟାଙ୍କ କର୍ତୃପକ୍ଷଙ୍କର ସଂପୃକ୍ତି ଥିବା ସେ ଅଭିଯୋଗ କରିଛନ୍ତି । ମଧୁସ୍ମିତାଙ୍କ ଜମାଖାତାରେ ଗତ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ୫ ଲକ୍ଷ ୧୦ ହଜାର ଟଙ୍କା ଥିଲା । ହେଲେ ଗତ ଜୁନ ୭ ତାରିଖରୁ ଅଗଷ୍ଟ ୧୦ ତାରିଖ ଭିତରେ ଏହି ଟଙ୍କା ଉଠିଛି । ହେଲେ ଟଙ୍କା ଉଠାଣ ନେଇ ଗ୍ରାହକଙ୍କ ପାଖକୁ କୌଣସି ମେସେଜ୍ ଆସିନାହିଁ । ତେଣୁ ଏହି ଲୁଟ୍ ପଛରେ ବ୍ୟାଙ୍କ କର୍ତ୍ତୃପକ୍ଷ ସଂପୃକ୍ତି ଥିବା ମଧୁସ୍ମିତାଙ୍କ ବାପା ସନ୍ଦେହ କରୁଛନ୍ତି ।

ସେପଟେ ରଘୁନାଥପୁର ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ କହୁଛନ୍ତି, ଏଥିରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ କୌଣସି ସଂପୃକ୍ତି ନାହିଁ । ଏହି ଟଙ୍କା କିଓସ୍କୋ ପଏଂଟରୁ ଉଠାଯାଇଛି । ସମ୍ପୃକ୍ତ ଗ୍ରାହକଙ୍କ ଆଧାର ଓ ଟିପ ଚିହ୍ନକୁ ସଂଯୋଗ କରି କେହି ଦୃର୍ବୁତ୍ତ ଏଭଳି ଲୁଟ କରିଛି । ଏହା ଏକ ସାଇବର କ୍ରାଇମ୍ ବୋଲି ସେ ସ୍ୱୀକାର କରିବା ସହ ଉଚ୍ଚସ୍ତରୀୟ ତଦନ୍ତ କରାଯାଉଥିବା କହିଛନ୍ତି ।

ଏଟିଏମ ପାଇଁ ଟଙ୍କା କଟିଲେ ମେସେଜ୍ ଆସୁଥିବା ବେଳେ ଟଙ୍କା ଉଠାଣ ନେଇ ମେସେଜ ଦିଆଗଲା ନାହିଁ କାହିଁକି? ଏଥିପାଇଁ ଦାୟୀ କିଏ? ଗ୍ରାହକ ଟଙ୍କା ଫେରି ପାଇବେ କେମିତି ? ଏବେ ଏହା ହିଁ ସବୁଠାରୁ ବଡ ପ୍ରଶ୍ନ ।