୧୪୭ ପଦ୍ମ ଆଉ ଅମିତ ଶାହାଙ୍କ ଦଳିତ କାର୍ଡ ! ମିଶନ ୨୦୧୯ର ବିଗୁଲ

58

କନକ ବ୍ୟୁରୋ : ଆସନ୍ତାକାଲି ଠାରୁ ଭୁବନେଶ୍ୱରରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରିଣୀ । ହେଲେ ଆଜି ଆସି ମଙ୍ଗ ଧରିବେ ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହା । ରାଜ୍ୟ ପଦାଧିକାରୀଙ୍କ ସହ ଗୁପ୍ତ ମନ୍ତ୍ରଣା କରିବେ । ରାଜ୍ୟ ବିଜେପି ପକ୍ଷରୁ ଅମିତ ଶାହାଙ୍କୁ ସ୍ୱାଗତ କରିବାକୁ ବିଶେଷ ରୂପରେ ପ୍ରସ୍ତୁତି କରାଯାଇଛି । ୧୪୭ ପଦ୍ମର ମାଳ ଦେଇ ବସନ୍ତ ପଣ୍ଡା ଅମିତ ଶାହାଙ୍କୁ ସ୍ୱାଗତ କରିବାକୁ ଥିବା ବେଳେ,୨୧ ପଦ୍ମ ଫୁଲର ମାଳ ଦେବେ ଦୁଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ଧର୍ମେନ୍ଦ୍ର ପ୍ରଧାନ ।

ଅର୍ଥାତ୍ ମିଶନ ୨୦୧୯ ପୂର୍ବରୁ ୧୪୭ ବିଧାନସଭା ଆଉ ୨୧ ଲୋକସଭା ଆସନ ତରଫରୁ ସ୍ୱାଗତ କରିବ ରାଜ୍ୟ ବିଜେପି । ଏୟାରପୋର୍ଟରୁ ଲମ୍ବିବ ବିଶାଳ ବାଇକ ରାଲି । ଶକ୍ତି ପ୍ରଦର୍ଶନ ପାଇଁ ମୌକାକୁ ହାତଛଡା କରିବାକୁ କେହି ଚାହୁଁନାହାନ୍ତି । ଖାଲି ଏତିକି ନୁହେଁ, ଦଳିତ ଭୋଟବ୍ୟାଙ୍କ ଉପରେ ମଧ୍ୟ ପଡିଛି ଅମିତ ଶାହାଙ୍କ ଆଖି ।

ଏୟାରପୋର୍ଟରୁ ବାଇକ ରାଲି ଯିବ ଏଜି ଛକ । ଆଉ ସେଠି ବି. ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ଖାସ କରି ପଛୁଆ ବର୍ଗର ଭୋଟବ୍ୟାଙ୍କରେ ଫରକ ଆଣିବାକୁ ଏହା ଅମିତଙ୍କ ଗୋଟିଚାଳନା ବୋଲି କୁହାଯାଉଛି । ନିକଟରେ ବିଜେଡି ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ହଟାଇ ଆଣିବା ପରେ ବିଜେପି କହିଥିଲା, ଏହା ଦଳିତଙ୍କ ପ୍ରତି ଅପମାନ । ତେଣୁ ଆଗାମୀ ଦିନରେ ବିଜେପି ଦଳୀୟ କାର୍ଡ ଖେଳିବାକୁ ଯାଉଛି, ଏହା ସ୍ପଷ୍ଟ ।