ମୋଦି ଓ ଜିନପିଙ୍ଗଙ୍କ ବନ୍ଧୁତାରେ ଆଶ୍ଚର୍ଯ୍ୟ ହେଲା ପୁରା ବିଶ୍ୱ ! ଚୀନରେ କିପରି ହୋଇଥିଲା ମୋଦିଙ୍କ ସ୍ୱାଗତ, ପଢ଼ନ୍ତୁ ଟିକିନିକି ତଥ୍ୟ

40

କନକ ବ୍ୟୁରୋ : ମୋଦି ଓ ଜିନ୍ ପିଙ୍ଗ ମଧ୍ୟରେ ଶିଖର ବୈଠକ ଯେମିତି ଅନୌପଚାରିକ ଥିଲା ସେମିତି ସେମାନଙ୍କ ଆଲୋଚନା ଓ କାର୍ଯ୍ୟଶୈଳୀ ବି ଥିଲା ନିଆରା । ଉହାନ ସହରର ଇଷ୍ଟ ଲେକ୍ କୂଳରେ ଦୁଇ ନେତା କରିଥିବା ଭ୍ରମଣ ବେଳର ଦୃଶ୍ୟକୁ ଦେଖି ବେଶ୍ ଆଶ୍ଚର୍ଯ୍ୟ ହୋଇଥିଲା ସାରା ବିଶ୍ୱ ।

ଦୁଇ ଦିନିଆ ଚୀନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାରକେଡ, ଯେତେବେଳେ ଉହାନ ସହରର ଇଷ୍ଟ ଲେକ ନିକଟରେ ପହଂଚିଥିଲା ଏହାର ବହୁ ପୂର୍ବରୁ ତାଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ ପହଂଚିସାରିଥିଲେ ରାଷ୍ଟ୍ରପତି ସି ଜିନପିଙ୍ଗ । ଆଉ ଚୀନ ରାଷ୍ଟ୍ରପତି, ମୋଦିଙ୍କୁ ପାଛୋଟି ନେବାବେଳେ ଯେଉଁ ବନ୍ଧୁତ୍ୱପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା ତାହା ବାର୍ତ୍ତା ଦେଉଥିଲା ଯେ, ଦୁଇନେତା ୮ମାସ ତଳର ଡୋକଲାମ ବିବାଦକୁ ବହୁ ପଛରେ ଛାଡିଆସିଛନ୍ତି । ବିଶ୍ୱ ଅର୍ଥନୈତିକ ବିକାଶର ଇଂଜିନ କୁହାଯାଉଥିବା ଏସିଆର ଦୁଇ ମହାଶକ୍ତି ଭାରତ ଓ ଚୀନ ପରସ୍ପରର ନିକଟତର ହେଉଛନ୍ତି ଆଉ ଏକ ଅନୌପଚାରିକ ସମ୍ମିଳନୀର ଏହି ଚିତ୍ର ସାରା ବିଶ୍ୱକୁ ବିସ୍ମିତ କରିଥିଲା । ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ ଇଷ୍ଟ ଲେକ କୂଳରେ ବେଶ କିଛି ସମୟ ବିତାଇଥିଲେ ଦୁଇ ରାଷ୍ଟ୍ରମୁଖ୍ୟ । ଭ୍ରମଣ ଭିତରେ ଚାଲିଥିଲା ଚର୍ଚ୍ଚା ଆଲୋଚନା । ଉଭୟ ଭାରତ ଓ ଚୀନର ଆଭ୍ୟନ୍ତରୀଣ ପ୍ରସଙ୍ଗ ସହ ଅନ୍ତର୍ଜାତୀୟ ପ୍ରସଙ୍ଗଗୁଡିକ ଉପରେ ଆଲୋକପାତ କରିଥିଲେ ମୋଦି ଓ ଜିନପିଙ୍ଗ ।

modi and jinping

ଜଣେ ଚା ବିକାଳିକୁ ଭାରତର ପ୍ରଧାନମନ୍ତ୍ରୀ ବନିଥିବା ନରେନ୍ଦ୍ର ମୋଦି କେବେହେଲେ ନିଜ ଅତୀତ ଜୀବନକୁ ଗୌଣ କରିନଥାନ୍ତି । କାରଣ ଭାରତୀୟ ଗଣତନ୍ତ୍ରର ଏହା କରିସ୍ମା ଯେ, ଏଠାରେ ଜଣେ ଚା ବିକାଳି ବି ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସିବାର ସୁଯୋଗ ପାଆନ୍ତି । ତେବେ ଇଷ୍ଟ ଲେକ କୂଳରେ ମୋଦିଙ୍କ ପାଇଁ କରାଯାଇଥିବା ଚା ଷ୍ଟଲରେ ନିଜ ଚା ତିଆରି କରିବାର ଅଭିଜ୍ଞତା ସଂପର୍କରେ ରାଷ୍ଟ୍ରପତି ଜିନପିଙ୍ଗଙ୍କୁ ଜଣାଇବାକୁ ଭୁଲିନଥିଲେ ପ୍ରଧାନମନ୍ତ୍ରୀ ମୋଦି । ଆଉ ଏଭଳି ଏକ ବିରଳ ଦୃଶ୍ୟ ଜଣେ ବିଶ୍ୱନେତାଙ୍କ ଗାରିମାକୁ ଆହୁରି ବଢାଇଦେଥିବା ନେଇ ଚୀନ ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି ।

ଏହାପରେ ଅବସର ଥିଲା ନୌକା ବିହାରର । ଦୁଇଟି ଦେଶର ନେତା ନମ୍ବର ୱାନଙ୍କ ମଧ୍ୟରେ କୂଟନୈତିକ କଥାବାର୍ତାର ମାହୋଲ କିଭଳି ହୋଇପାରେ ତାର ଏକ ନିଆରା ଚିତ୍ର ଦେଖିବାକୁ ମିଳିଥିଲା । ଯେତେବେଳେ ମୋଦି ଓ ଜିନପିଙ୍ଗ ବୋଟରେ ବସି ଇଷ୍ଟ ଲେକ ସାରା ବୁଲିଥିଲେ । ଏହି ସମୟରେ ମଧ୍ୟ ଦୁଇ ନେତା ଚର୍ଚ୍ଚା ଆଲୋଚନା ଜାରି ରଖିଥିଲେ । ଅତି ସାଧାରଣ ଓ ସ୍ୱାଭାବିକ ଢଙ୍ଗରେ ପରସ୍ପରର କଥାକୁ ଶୁଣୁଥିଲେ ଓ ଗୁରୁତ୍ୱ ଦେଉଥିଲେ । ଟି ସେରିମନିରେ ମୋଦି ଓ ଜିନପିଙ୍ଗ ସାରା ବିଶ୍ୱର ବିଭିନ୍ନ ପ୍ରସଙ୍ଗରେ ନିଜନିଜ ଆଭିମୁଖ୍ୟ ରଖିଥିବାବେଳେ ଚାଏ ପେ ଚର୍ଚ୍ଚା କରିଥିଲେ । କୁହାଯାଉଛି ମୋଦିଙ୍କ ଆତିଥ୍ୟ ପାଇଁ ପ୍ରତ୍ୟେକଟି ଆୟୋଜନ ରାଷ୍ଟ୍ରପତି ଜିନପିଙ୍ଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଥିଲା । ଆଉ ଏହିଳି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ନିଜର ଅନୌପଚାରିକ ସମ୍ମିଳନୀ ଶେଷ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହା ଦୁଇଦେଶର ସଂପର୍କରେ ଅନେକ ପ୍ରଭାବ ପକାଇବା ଅନୁମାନ କରାଯାଉଛି ।