ଘରବାହୁଡ଼ାଙ୍କ ଅନ୍ନଦାତ୍ରୀ ଅନ୍ନପୂର୍ଣ୍ଣା । କ୍ଷତି ସହି ଅସହାୟ ଭୋକିଲା ମଣିଷ ମୁହଁରେ ହସ ଫୁଟାଉଛନ୍ତି ଚର୍ଚ୍ଚିତ ଇଟିଲି ଦାଦି । ତାଲାବନ୍ଦ ସତ୍ୱେ ମାତ୍ର ଏକ ଟଙ୍କାରେ ପରସି ଦେଉଛନ୍ତି ଇଟିଲି, ସାମ୍ବର ସାଙ୍ଗକୁ ସୁଆଦିଆ ଚଟଣୀ । 

867

କନକ ବ୍ୟୁରୋ : ଗହଳି ଆଖିରୁ ନିଦ ହଜାଇଛି କରୋନା । ତାଲାବନ୍ଦରେ ଅଭାବୀ ପେଟକୁ ଅସ୍ତବ୍ୟସ୍ତ କରୁଛି ଭୋକ । ଭାଇରସ୍ ଭୟ ସାଙ୍ଗକୁ ଲକଡାଉନ୍ ଲକ୍ଷ୍ମଣରେଖା ତିଳ ତିଳ ଜାଳୁଛି । ଝାଳୁଆ ମଧ୍ୟାହ୍ନରେ ଘରବାହୁଡ଼ାଙ୍କୁ ଦାଣ୍ଡରେ ଛିଡାକରିଛି ନିଆଁଲଗା ପେଟ । ସଂକ୍ରମଣ ସନ୍ଦେହରେ ଆପଣାର ଲୋକ ପର କରିଦେଉଥିବା ବେଳେ ନିଜ କଥା ଚିନ୍ତା ନକରି ଭୋକିଲା ମଣିଷଙ୍କ ଭଗବାନ୍ ପାଲଟିଛନ୍ତି ଇଟିଲି ଦାଦି । ଘରବାହୁଡ଼ାଙ୍କ ପାଇଁ ପାଲଟିଛନ୍ତି ଅନ୍ତ୍ରଦାତ୍ରୀ ଅନ୍ନପୂର୍ଣ୍ଣା । ଲକଡାଉନର ଚଢ଼ା ଦର ମଧ୍ୟରେ ବି ମାତ୍ର ଏକଟଙ୍କାରେ ଭୋକିଲାଙ୍କ ଭୋକ ମେଣ୍ଟାଉଛନ୍ତି ।

ତାଲିଲନାଡ଼ୁ କୋଏମ୍ବାଟୁର ସହରର ଚର୍ଚ୍ଚିତ ୮୫ ବର୍ଷ ବର୍ୟିୟ ଇଟିଲି ଦାଦି । ସଳଖି ଛିଡ଼ା ହେବାକୁ ବଳ ନାହିଁ । ବୟସ୍କଙ୍କୁ ଅଦୃଶ୍ୟ ଭାଇରସର ଭୟ ଅଧିକ ଥିବା ସତ୍ୱେ ଭୋକିଲା ଅସହାୟଙ୍କ ମୁହଁ ତାଙ୍କୁ ଘରେ ବସାଇ ଦେଉନି । କ୍ଲାନ୍ତ ଆଉ ଜରାଜୀର୍ଣ୍ଣ ମଣିଷର ଚେହେରା ଆଖି ଆଗରେ ଜଳଜଳ ହୋଇ ଭାସି ଉଠୁଛି । ଆଉ ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଜୀବନ ଓ ଜୀବିକାକୁ ସଙ୍କଟରେ ପକାଇ ବୟସର ଅପରାହ୍ନରେ ଘରବାହୁଡ଼ାଙ୍କୁ ପେଟପୁରା ଖାଇବା ପରସୁଛନ୍ତି ଇଟିଲି ଦାଦି । ବ୍ୟବସାୟ ପାଇଁ ନୁହେଁ ମାତ୍ର ଏକ ଟଙ୍କାରେ କ୍ଷତି ସହି ମଧ୍ୟ ଗରିବ ଭୋକିଲାଙ୍କୁ ଖୁସି ଖୁସି ଇଟିଲି, ସାମ୍ବର ସାଙ୍ଗକୁ ସୁଆଦିଆ ଚଟଣୀ ପରସି ଦେଉଛନ୍ତି ।

ଅଦୃଶ୍ୟ ଭାଇରସ୍ ଭୟ ହେଉ କିି ତାଲାବନ୍ଦ କଟକଣା ! ୩୦ ବର୍ଷ ଧରି ଏକ ଟଙ୍କାରେ ଇଟିଲି ବିକ୍ରି କରୁଥିବା ଇଟିଲି ଦାଦିଙ୍କୁ ଅଟକାଇ ପାରିନି । ଲକଡାଉନ୍ ପାଇଁ ଗାଡ଼ିମଟର ବନ୍ଦ ଥିବାବେଳେ ତାମଲିନାଡ଼ୁରେ ଫସିଛନ୍ତି ଶହ ଶହ ପ୍ରବାସୀ । ଏପରିସ୍ଥଳରେ ଇଟିଲି ଦାଦିଙ୍କ ଇଟିଲି ସେମାନଙ୍କ ଜୀବନ ବଞ୍ଚାଉଛି । ଏକ ଟଙ୍କିଆ ଇଟିଲି ପାଇଁ ଅଧିକରୁ ଅଧିକ ଭିଡ଼ ଜମୁଛି । ଏ ବୟସରେ ନିସ୍ୱାର୍ଥପର ଭାବେ ଘରବାହୁଡ଼ାଙ୍କୁ ପେଟପୂରା ଖାଇବାକୁ ଦେଇ ଆତ୍ମତୃପ୍ତିର ନିଶ୍ୱାସ ମାରୁଛନ୍ତି ଇଟିଲି ଦାଦି ।