ଜୟପୁରରେ ମାଟ୍ରିକ୍ ପ୍ରଶ୍ନପତ୍ର ଭାଇରାଲ୍ ! ପରୀକ୍ଷାର ୧୦ ମିନିଟ ପରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲିଲା ପ୍ରଶ୍ନପତ୍ର

9,960

କନକ ବ୍ୟୁରୋ : ପରୀକ୍ଷା ଆରମ୍ଭରୁ ବିଭ୍ରାଟ । ମାଟ୍ରିକ ପରୀକ୍ଷାର ପ୍ରଥମ ଦିନରେ ହିଁ ପ୍ରଶ୍ନପତ୍ର ଭାଇରାଲ ହୋଇଛି । ଜୟପୁର ବନ୍ଧୁଗାଁ ବ୍ଲକର ସରକାରୀ ସ୍କୁଲରେ ପରୀକ୍ଷା ବେଳେ ଲିକ୍ ହୋଇଛି ପ୍ରଶ୍ନପତ୍ର । ଏବେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ପ୍ରଶ୍ନପତ୍ର । ତେବେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ବାରଣ ଥିବା ସତ୍ୱେ କିପରି ପ୍ରଶ୍ନପତ୍ର ଭାଇରାଲ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଜୟପୁରରେ ନୁହେଁ, କନ୍ଧମାଳ, ନୂଆପଡ଼ା ଓ ଢ଼େଙ୍କାନାଳରେ ପ୍ରଶ୍ନପତ୍ର ଲିକ୍ ହୋଇଛି । ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ପ୍ରଶ୍ନପତ୍ର ସହ ମେଳ ଖାଇଛି । ‘ଏ’ ସେଟର ପ୍ରଶ୍ନପତ୍ର ଆଜିର ମାତୃଭାଷା ଓଡ଼ିଆ ‘ଏ’ସେଟ୍ ପ୍ରଶ୍ନପତ୍ର ସହ ମେଳ ଖାଉଛି । ମାତୃଭାଷା ସେଟ ଏର ୩୩ରୁ ୪୪ଯାଏଁ ପ୍ରଶ୍ନପତ୍ର ଅସଲ ପ୍ରଶ୍ନପତ୍ର ସହ ସମାନ ରହିଛି । ବର୍ତମାନ ସୁଦ୍ଧା ଉପଲବ୍ଧ ଭାଇରାଲ ପ୍ରଶ୍ନ ପତ୍ର ଅଂଶ ସହ ଆଜିର ଅସଲି ପ୍ରଶ୍ନପତ୍ର ମେଳଖାଉଛି । ଆଜି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ମାତୃଭାଷାର ସେଟର ପ୍ରଶ୍ନପତ୍ର ।

ପରୀକ୍ଷାର ପ୍ରଥମ ଦିନରେ ଗୋଟିଏ ପଟେ କ୍ଲାସରୁମରେ ପିଲା ମାତୃଭାଷା ପରୀକ୍ଷା ଦେଉଥିଲେ ଆଉ ଅନ୍ୟପଟେ ମୋବାଇଲରୁ ମୋବାଇଲ ଘୁରିବୁଲୁଲିଲା ପ୍ରଶ୍ନପତ୍ର । ହେଲେ ଗଣଶିକ୍ଷା ବିଭାଗ ପ୍ରଶ୍ନପତ୍ର ଲିକ ଘଟଣାକୁ ଖଣ୍ଡନ କରିଛି । ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ପ୍ରଶ୍ନପତ୍ର ଲିକ୍ ଘଟଣାକୁ ଗୁଜବ ବୋଲି କହିଛନ୍ତି । ପ୍ରଶ୍ନପତ୍ର ଲିକ୍ ହୋଇଥିଲେ ତଦନ୍ତ କରାଯିବ । କଡ଼ା ସୁରକ୍ଷା ବଳୟରେ ପ୍ରଶ୍ନପତ୍ରକୁ ରଖାଯାଇଛି । ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ୧୪୪ ଧାରା ଜାରି ହୋଇଛି । ଗଣଶିକ୍ଷା ବିଭାଗ ଏହାକୁ ଗୁଜବ ବୋଲି କହୁଥିବା ବେଳେ ଆଗକୁ ଅନ୍ୟ ପରୀକ୍ଷା ଉପରେ ଉଠିଛି ପ୍ରଶ୍ନ ।

ସୂଚନାଯୋଗ୍ୟ ଗତବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଚଳିତ ବର୍ଷରେ ମଧ୍ୟ ଏପରି ଘଟଣା ଘଟିବା ପରେ ପିଲାଙ୍କ ଭବିଷ୍ୟତ ତଥା ପରୀକ୍ଷା କେନ୍ଦ୍ରର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । କଡ଼ା ସୁରକ୍ଷାବଳୟରେ ଥିଲେ ମଧ୍ୟ କିପରି ପ୍ରଶ୍ନ ଲିକ୍ ହେଲା ବୋଲି ପ୍ରଶ୍ନ ଉଠୁଛି । ପରୀକ୍ଷାରେ ସ୍ୱଚ୍ଛତା ଆଣିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବା ପରେ ବି ଏପରି ଘଟଣା ଘଟିବା ନିହାତି ଆଶ୍ଚର୍ଯ୍ୟକର କଥା ।

Comments are closed.