ଗ୍ରାମାଞ୍ଚଳର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ! ଏମବିବିଏସ୍ ଡାକ୍ତର ବଦଳରେ ଦଶମ ଫେଲ୍ ଆଟେଣ୍ଡାଣ୍ଟ କରୁଛନ୍ତି ରୋଗୀ ଚିକିତ୍ସା

130

କନକ ବ୍ୟୁରୋ : ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା କେଉଁ ସ୍ତରକୁ ଗଲାଣି ତାର ଏକ ବଡ  ଉଦାହରଣ ରାଜଧାନୀରୁ ମାତ୍ର ୭୦ କିମି ଦୂର ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ସ୍ଥିତ ରେଡକ୍ରସ୍‌ ମେଡିକାଲ‌ରେ ଦେଖିବାକୁ ମିଳିଛି । ଏମ୍‌ବିବିଏସ୍‌ ଡାକ୍ତରଙ୍କ ବଦଳରେ ଏଠାରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ (ଆଟେଣ୍ଡାଣ୍ଟ) ଡାକ୍ତର ସାଜି ଲୋକଙ୍କୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ସବୁଠୁ ବଡ଼ କଥା ହେଲା, ଡାକ୍ତରଙ୍କ ଭଳି ବେକରେ ‌ଷ୍ଟେଥୋ ପକାଇ ରୋଗୀ ଚିକିତ୍ସା କରୁଥିବା ଏହି କର୍ମଚାରୀ ଜଣକ ଦଶମ ବି ପାସ୍‌ କରିନାହାନ୍ତି । ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ୯ ମାସ ହେଲା ସେ ଡାକ୍ତର ଭୂମିକାରେ‌ ରୋଗୀ ଦେଖି ଆସୁଛନ୍ତି ।

୧୯୮୦ ମସିହା‌ରେ ପୁରୀ ଜିଲ୍ଲାର ଅସ୍ତରଙ୍ଗ ବ୍ଲକ ଅସନଠାରେ ସ୍ଥାପିତ ହୋଇଥିଲା ରେଡକ୍ରସ୍ ସ୍ୱାସ୍ଥ୍ୟ କେନ୍ଦ୍ର । ବ୍ଲକର ଆଳସାହି, ନଈଗୁଆଁ, ଆଳଙ୍ଗପୁର ଓ ନଗର ପଞ୍ଚାୟତବାସୀ ଏହି ଡାକ୍ତରଖାନା ଉପ‌ରେ ନିର୍ଭର କରନ୍ତି । ଏଠାରେ ଅସ୍ତ୍ରୋପଚାରଠାରୁ ଆରମ୍ଭ କରି ସବୁପ୍ରକାର ସୁବିଧା ମିଳୁଥିଲା । ପ୍ରତି ଦିନ ୧୦୦ରୁ ୧୫୦ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁଥିଲେ। ହେଲେ ସମୟ କ୍ରମେ ଡାକ୍ତରଖାନାଟି ଏବେ ନାମକୁ ମାତ୍ର ଚାଲିଛି । ଦୀର୍ଘ ୬ ବର୍ଷ ହେଲା ଏଠାରେ ଡାକ୍ତର କିମ୍ବା ନର୍ସ ନାହାନ୍ତି । ଅବଶ୍ୟ ସପ୍ତାହକୁ ଏଠାକୁ ଜଣେ ଡାକ୍ତର ଆସୁଥିଲେ, କିନ୍ତୁ ଗତ ୯ ମାସ ହେଲା ସେ ବି ଆସୁନାହାନ୍ତି ।

ତାଙ୍କ ବଦଳ‌ରେ ଏଠାରେ କାମ କରୁଥିବା ଆଟେଣ୍ଡାଣ୍ଟ ତପନ ଶତପଥୀ ରୋଗୀ ଚିକିତ୍ସା କରୁଛନ୍ତି । ପ୍ରତିଦିନ ତପନ ଡାକ୍ତରଖାନାକୁ ଆସନ୍ତି । ଡାକ୍ତରଙ୍କ ଚୌକି‌ରେ ବସି ରୋଗୀ ଦେଖିବା ଆରମ୍ଭ କରନ୍ତି । ଷ୍ଟେଥୋ ପକାଇ ବିପି (ରକ୍ତ ଚାପ) ମାପନ୍ତି, ନାଡି (ପଲ୍ସ) ଦେଖି ‌‌ରୋଗୀଙ୍କଠାରୁ ରୋଗ ଲକ୍ଷଣ ବୁଝି ଔଷଧ ଲେଖନ୍ତି । ରୋଗୀମାନେ ବି ତାଙ୍କ ପ୍ରେସ୍‌କ୍ରିପସନ୍‌କୁ ଭରସା କରି ଔଷଧ ନେଉଛନ୍ତି । ଡାକ୍ତର ନଥିବାରୁ ଆଟେଣ୍ଡାଣ୍ଟଙ୍କୁ ଏଠାକାର ଗରିବ ମତ୍ସ୍ୟଜୀବୀମାନେ ଡାକ୍ତର ମାନି ନେଇଛନ୍ତି । ଗତ ୯ ମାସ ଧରି ଏଭଳି ଢଙ୍ଗରେ ଚାଲିଛି ଡାକ୍ତରଖାନା । ଅସ୍ତରଙ୍ଗ ବ୍ଲକର ୪ଟି ପଞ୍ଚାୟତର ୧୫ ହଜାର ‌ଲୋକଙ୍କ ପାଇଁ ତପନ ସାହାଭରସା ପାଲଟିଛନ୍ତି ।