ଜେଲରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ : ମା’ଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ଆଜିଠୁ ୪ ଦିନ ପାଇଁ ଜାମିନରେ ଆସିଲେ ପୁଞ୍ଜିଲାଲ ମେହେର୍

337

କନକ ବ୍ୟୁରୋ : ଜେଲରୁ ବାହାରିଲେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ଖଳନାୟକ ପୁଞ୍ଜିଲାଲ୍ । ମା’ଙ୍କ  ଶୁଦ୍ଧିକ୍ରିୟାରେ ଯୋଗଦେବା ପାଇଁ ବଲାଙ୍ଗୀର ଜେଲରୁ ବାହାରିଲେ ପୁଞ୍ଜିଲାଲ ମେହେର୍ । ଆଜିଠାରୁ ୨୮ ତାରିଖ ଯାଏ ଜାମିନରେ ଆସିଲେ ପାର୍ସଲ ବୋମା ବିସ୍ଫୋରଣର ମୁଖ୍ୟ ସୂତ୍ରଧର ।  ଆଜି ଜାମିନରେ ପୁଞ୍ଜିଲାଲ ଜେଲରୁ ବାହାରିଥିବା ବେଳେ ଜାନୁଆରି ୨୮ ତାରିଖ ଦିନ ୧୧ଟା ମଧ୍ୟରେ ପୁଣି ଥରେ ହାଜର ହେବେ ।

ଗତ ୨୨ ତାରିଖ ଦିନ ପୁଞ୍ଜିଲାଲଙ୍କୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନ୍ ପ୍ରଦାନ କରିଥିଲେ ହାଇକୋର୍ଟ । ତେବେ ପୁଞ୍ଜିଲାଲଙ୍କୁ ମିଳିଥିବା ଏହି ୪ଦିନର ଜାମିନରେ ତାଙ୍କ ପାଇଁ କେତୋଟି କଡ଼ା ସର୍ତ୍ତ ରଖା ଯାଇଥିଲା । ସେଥିମଧ୍ୟରେ , ଜାମିନ୍ ସମୟରେ ପୁଞ୍ଜିଲାଲ କୌଣସି ଗଣମାଧ୍ୟମକୁ ଭେଟି ପାରିବେ ନାହିଁ । ଏଥି ସହିତ ବାହାରକୁ କିମ୍ବା ଅନ୍ୟ କୌଣସି ସ୍ଥାନକୁ ଗଲେ ସ୍ଥାନୀୟ ଥାନା ଅଧିକାରୀଙ୍କୁ ଜଣାଇ ଯିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାଯୋଗ୍ୟ, କିଛିଦିନ ତଳେ ପୁଞ୍ଜିଲାଲଙ୍କ ମା’ଙ୍କ ପରଲୋକ ହୋଇଥିଲା । ପୁଞ୍ଜିଲାଲ ଏକମାତ୍ର ପୁଅ ହୋଇଥିବାରୁ ମା’ଙ୍କ ମୁଖାଗ୍ନି ପାଇଁ ଜାମିନରେ ଯିବାକୁ ଆବେଦନ କରିଥିଲେ । ପାଟଣାଗଡ଼ ଏଡିଜେ ଅଦାଲତ ଆବେଦନକୁ ଗ୍ରହଣ କରି ଗୋଟିଏ ଦିନ ପାଇଁ ଜାମିନରେ ଯିବାକୁ ଅନୁମତି ଦେଇଥିଲେ । ଏହାପରେ ସେ ପୁଲିସ୍ ସୁରକ୍ଷା ମଧ୍ୟରେ ମୁଖାଗ୍ନି ଦେଇଥିଲେ । ଅନ୍ତିମ ସଂସ୍କାର ପରେ ପୁଞ୍ଜିଲାଲ ପୁଣି ବଲାଙ୍ଗୀର ଜେଲକୁ ଫେରି ଆସିଥିଲେ । ଆଉ ଏବେ ମା’ଙ୍କ ଶୁଦ୍ଧିକ୍ରିୟା ପାଇଁ ୪ ଦିନ ପାଇଁ ଜାମିନରେ ଆସିଛନ୍ତି ପୁଞ୍ଜିଲାଲ୍ ମେହେର୍ ।