ମାଂସ ରୋଷେଇ କରିବାରେ ବିଳମ୍ବ କଲେ ପତ୍ନୀ, ରାଗରେ ୪ବର୍ଷ ଝିଅକୁ ହତ୍ୟାକଲା ବାପା

191

କନକ ବ୍ୟୁରୋ : ବିହାର ପୂର୍ଣ୍ଣିଆ ଜିଲ୍ଲାରେ ଜଣେ ପିତାର ଅମାନୁଷିକ ଚେହେରା ସାମ୍ନାକୁ ଆସିଛି । ପତ୍ନୀ ଛେଳି ମାଂସ ରାନ୍ଧିବାରେ ବିଳମ୍ବ କରିବାରୁ ୪ବର୍ଷ ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପିତା । ପୁଲିସ ସୂତ୍ରରୁ ପ୍ରକାଶ, ବୁଧବାର ସନ୍ଧ୍ୟାରେ ରାଜଧାନୀ ପାଟନାଠାରୁ ପାଖାପାଖି ୩୬୦କିମି ଦୂର ଏମୋୟୁର୍‌ ପୁଲିସ ଷ୍ଟେସନ୍‌ ଅଧିନରେ ଥିବା ଫକିରତୋଲି ଗ୍ରାମରେ ଘଟିଛି ।

ଏହି ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଝିଅ ହତ୍ୟାକାରୀ ଶମ୍ଭୁଲାଲ ଶର୍ମାକୁ ଗିରଫ କରି ଶିଶୁକୁ ଉଦ୍ଧାର କରି ଚିକିତ୍ସା ପାଇଁ ପୂର୍ଣ୍ଣିଆ ସଦର ହସ୍‌ପିଟାଲକୁ ଚିକିତ୍ସା ପାଇଁ ପଠାଇ ଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ଶିଶୁକୁ ଏମୋୟୁର ହସ୍‌ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ । ସେଠାରେ ଶିଶୁକୁ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ । ଶର୍ମା ପତ୍ନୀର ଲିଖିତ ଅଭିଯୋଗ ମୁତାବକ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ । ହତ୍ୟାକାରୀ ପିତା ଗୁଜୁରାଟରେ ଶ୍ରମିକ ଭାବେ କାମ କରେ । ଛଟ ପର୍ବ ପାଇଁ ସେ କାମରୁ ଘରକୁ ଆସିଥିଲା ।

ସ୍ଥାନୀୟଲୋକଙ୍କ କହିବାନୁସାରେ, ହତ୍ୟାକାରୀ ଶମ୍ଭୁକୁ ଛେଳି ମାଂସ ଖାଇବାକୁ ବହୁତ ଭଲପାଏ । ତେଣୁ ପତ୍ନୀ ମାଂସ ରାନ୍ଧିବାରେ ବିଳମ୍ବ ଦେଖିବାକୁ ସେ ନିଜର ରାଗକୁ ଆୟତ୍ତ କରି ପାରି ନଥିଲା । ଫଳରେ ପାଖରେ ଖେଳୁଥିବା ନିଜର ୪ବର୍ଷର ଝିଅକୁ ମାଡ ମାରିବା ଆରମ୍ଭ କରିଦେଇଥିଲା । ପିତାର ମାଡରେ ଝିଅ ଗୁରୁତର ଆହତ ହୋଇ ଅଚେତ ହୋଇପଡ଼ିଥିଲା । ଏହାପୂର୍ବରୁ ମଦ ମାଂସରେ ଟଙ୍କା ଖର୍ଚ୍ଚ କର ନାହିଁ ବୋଲି ବାରଣ କରିବାରୁ ଶମ୍ଭୁ ତା’ପତ୍ନୀକୁ ସବୁବେଳେ ମାଡଧର କରିଥାଏ ।