ପଶ୍ଚିମବଙ୍ଗର ଡାକ୍ତର ଆନ୍ଦୋଳନ ପ୍ରତ୍ୟାହାର ପାଇଁ ଫିଟିଲା ବାଟ : ନରମିଲେ ମମତା,ଦାବି ପୂରଣ ପାଇଁ ଦେଲେ ପ୍ରତିଶ୍ରୁତି

104

କନକ ବ୍ୟୁରୋ : ପଶ୍ଚିମବଙ୍ଗ ସରକାର ଓ ଆନ୍ଦୋଳନରତ ଡାକ୍ତରଙ୍କ ଗତିରୋଧ ଆଜି ଦୂର ହୋଇପାରେ । ଆଜି କାର୍ଯ୍ୟରେ ଯୋଗ ଦେଇ ପାରନ୍ତି ଡାକ୍ତର । ରାଜ୍ୟ ସରକାର ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି, ଆନ୍ଦୋଳନରତ ଜୁନିୟର ଡାକ୍ତର । ତେବେ ଆଜି ଆଲୋଚନା କେଉଁଠି ହେବ, କେତେ ବେଳେ ହେବ ସେ ନେଇ କୌଣସି ସୂଚନା ମିଳି ନାହିଁ । ଗତକାଲି ଡାକ୍ତରଙ୍କ ସମସ୍ତ ଦାବି ମାନିନେବେ ବୋଲି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

ଏଥିସହ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଜୁନିୟର ଡାକ୍ତରଙ୍କୁ ଅପିଲ କରିଥିଲେ ମମତା । ଏହାପରେ ରାତିରେ ଆନ୍ଦୋଳନରତ ଡାକ୍ତର ରାଜ୍ୟ ସରକାରଙ୍କ ସହ ଆଲୋଚନା କରିବାକୁ ରାଜି ହୋଇଛନ୍ତି । ତେଣୁ ପଶ୍ଚିମବଙ୍ଗରେ ରାଜ୍ୟ ସରକାର ଓ ଜୁନିୟର ଡାକ୍ତରଙ୍କ ମଧ୍ୟରେ ଥିବା ଗତିରୋଧ ଦୁର ହେବା ସମ୍ଭାବନା ରହିଛି । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ମମତା କହିଥିଲେ ଆନ୍ଦୋଳନରତ ଡାକ୍ତରଙ୍କ ଉପରେ କୌଣସି ବଳ ପ୍ରୟୋଗ କରାଯାଇ ନାହିଁ । କାହାରିକୁ ଗିରଫ କରାଯାଇ ନାହିଁ, କାହା ଉପରେ ଏସମା ଲାଗୁ କରିବା ଯୋଜନା ମଧ୍ୟ ନାହିଁ । ଆନ୍ଦୋଳନ ରତ ଜୁନିୟର ଡାକ୍ତରମାନେ କାର୍ଯ୍ୟ କ୍ଷେତ୍ରରେ ଯୋଗ ଦିଅନ୍ତୁ, ସରକାର ସେମାନଙ୍କ ଦାବି ପୂରଣ କରିବେ ।

ମେଡିକାଲରେ ହଜାର ହଜାର ରୋଗୀ, ସ୍ୱାସ୍ଥ୍ୟ ସେବା ପାଇବାକୁ ଅପେକ୍ଷା କରିଛନ୍ତି ତେଣୁ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ଡାକ୍ତରଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସେପଟେ ଗତ ୬ ଦିନ ହେଲାଣି ପଶ୍ଚିମବଙ୍ଗର ଡାକ୍ତର ଆନ୍ଦୋଳନ ଯୋଗୁଁ ସ୍ଥାଣୁ ଅବସ୍ଥାକୁ ଚାଲିଯାଇଛି ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ସେବା । ଏପଟେ ସାରା ଦେଶକୁ ବ୍ୟାପିବାରେ ଲାଗିଛି ପଶ୍ଚିମବଙ୍ଗରେ ଡାକ୍ତରଙ୍କ ଆନ୍ଦୋଳନ ନିଆଁ । ସେପଟେ ଡାକ୍ତର ଷ୍ଟ୍ରାଇକ୍ ସଂପର୍କରେ ପଶ୍ଚିମବଙ୍ଗ ସରକାରକୁ ରିପୋର୍ଟ ତଲବ କରିଛନ୍ତି କେନ୍ଦ୍ର ସରକାର ।