ଦଲାଲଙ୍କ ଟାର୍ଗେଟରେ ବଣ୍ଡା ଯୁବତୀ ! ଦାଦନ ଖଟିବାକୁ ଯାଇଥିବା ୨ ନାବାଳିକା ଏବେ ୭ ମାସର ଅନ୍ତସତ୍ୱା

54

କନକ ବ୍ୟୁରୋ : ଦଲାଲଙ୍କ ଟାର୍ଗେଟରେ ଏବେ ବଣ୍ଡା ଯୁବତୀ । ମାଲକାନଗିରି ଜିଲ୍ଲାରେ ସକ୍ରିୟ ହୋଇଛି ଯୁବତୀ ଚାଲାଣ ର୍ୟାକେଟ । ଦାଦନ ନାଁ ରେ ଦେହ ବ୍ୟାପାରରେ ଛନ୍ଦି ହୋଇ ପଡୁଛନ୍ତି ଆଦିମ ଜନଜାତୀର ଯୁବତୀ ଓ ନାବାଳିକା । ବଣ୍ଡା ଯୁବତୀମାନେ ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଦଲାଲ ଜାଲରେ ପଡ଼ିଯାଉଛନ୍ତି । ପଡୋଶୀ ବିଶାଖାପାଟଣାକୁ ଦାଦନ ଖଟିବାକୁ ଯାଇ ବଣ୍ଡା ଘାଟିର ଦୁଇ ନାବାଳିକା ୭ମାସର ଗର୍ଭଧାରଣ କରି ଘରକୁ ଫେରିଥିବା ଜଣାପଡିଛି ।

ଏବେ ମଧ୍ୟ ଶତାଧିକ ବଣ୍ଡା ଝିଅ ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଥିବାବେଳେ ପୁଲିସ କିମ୍ବା ଶ୍ରମ ବିଭାଗ ନିକଟରେ କିଛି ଖବର ନାହିଁ । ପରିବାରର ପେଟ ପୋସିବା ଲାଗି ଡୁମୁରିଗୁଡା ଗାଁର ଓ ଅଣ୍ରାହାଲ ପଂଚାୟତର ଦୁଇ ଜଣ ନାବାଳିକା ବିଶାଖାପାଟଣା ଯାଇଥିଲେ । ସେଠାରେ ସେମାନେ ବାରମ୍ବାର ଦୁଷ୍କର୍ମର ଶିକାର ହୋଇଛନ୍ତି । ଏହି ଦୁଇ ଯୁବତୀଙ୍କ ପରି ସମଗ୍ର ବଣ୍ଡା ଘାଟିର ୩୨ଟି ଗାଁରେ ଏମିତି ଅନେକ ଘଟଣା ଦେଖିବାକୁ ମିଳିଛି । କାମଧନ୍ଦା ନ ପାଇ ପଡୋଶୀ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା ଠାରେ ଏବେ ମଧ୍ୟ ୨୦୦ରୁ ଅଧିକ ବଣ୍ଡା ଯୁବତୀ ଦଲାଲଙ୍କ ପ୍ରଲୋଭନରେ ପଡି ବାଧ୍ୟହୋଇ ଦେହ ବ୍ୟବସାୟରେ ଲିପ୍ତ ରହିଥିବା ପୀଡିତା କହିଛନ୍ତି ।

ଏପରି ପ୍ରଲୋଭନର ଶିକାର ହୋଇଥିବା ଅନ୍ତସତ୍ୱା ହୋଇଥିବା ଜଣେ ଯୁବତୀ କହିଛନ୍ତି, କାମ ପାଇଁ ସେ ବିଶାଖାପାଟଣା ଯାଇଥିଲେ । ଏବେ ସେ ଗର୍ଭବତୀ ଥିବା ଖବର ଶୁଣି ତାଙ୍କ ବାପା ମା’ ଗାଳି କରୁଥିବା କହିଛନ୍ତି ଯୁବତୀ ଜଣକ । ତେବେ ବଣ୍ଡା ଯୁବତୀ ଜଣକ ଏବେ କେଉଁଠି ରହିବେ କ’ଣ କରିବ ସେକଥା ତାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।