ଚିଲିକା ନିକଟ ସମୁଦ୍ରରେ ବୁଡି ବୁଡି ଯାଉଛି ମାଲେସିଆ ଜାହାଜ : ଲିକ୍ ହୋଇଯାଇପାରେ ୩୩ ହଜାର ଲିଟର ଡିଜେଲ ଓ ଲୁବ୍ରିକାଂଟ, ପ୍ରଭାବିତ ହୋଇପାରେ ଚିଲିକା

2,578

କନକ ବ୍ୟୁରୋ : ସମୁଦ୍ରରେ ଲାଗିଥିବା ମାଲେସିଆ ଜାହାଜ ଖୁବଜୋରରେ ଦୋହଲୁଛି । ପ୍ରବଳ ଢେଉରେ ଏହା ଓଲଟି ପଡିବାର ଆଶଙ୍କା ସୃଷ୍ଟି ହୋଇଛି । ଜାହାଜଟି ଓଲଟି ପଡିଲେ ଏଥିରେ ମହଜୁଦ ଥିବା ପ୍ରାୟ ୩୩ ଜହାର ଲିଟର ତେଲ ଚିଲିକା ପ୍ରତି ବଡ ବିପଦ ଆଣିଦେବ । ସେହିପରି ଗତ ୭ ତାରିଖରୁ କାର୍ଗୋ ଜାହାଜଟି ଲାଗି ରହିଥିବାବେଳେ, ଭାସିଭାସି ଜାହାଜଠାରୁ ଅଲଗା ହୋଇଯାଇଛି କଂଟେନର । ଏହା ଚିଲିକା ମୂହାଣକୁ ସଂକୀର୍ଣ୍ଣ କରିଦେବାର ମଧ୍ୟ ଆଶଙ୍କା ଉପୁଜିଛି । ତେବେ ଦୁଇଦିନ ଭିତରେ ଜାହାଜରୁ ତେଲ ଖାଲି କରିବାକୁ ଯୋଜନା ରହିଛି । ଏବଂ ଜାହାଜର ମାଲିକ ଏହାକୁ ନେଇଯିବା ପାଇଁ ମଧ୍ୟ ପ୍ରସ୍ତୁତି କରୁଥିବା ଜଣାପଡିଛି ।

ଜାହାଜରେ ଥିବା ୩୩ ହଜାର ଲିଟର ତେଲ ଲିକ ହେବାର ସମ୍ଭାବନା ଥିବାରୁ ଏହା ସବୁଠାରୁ ଚିନ୍ତାର କାରଣ ହୋଇଛି । ମାଲେସିଆରୁ ବାଂଲାଦେଶ ଯାଉଥିବା ଜାହାଜଟି ଗୋପାଳପୁର ସମୁଦ୍ର ଭିତରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଅଚଳ ହୋଇପଡିଥିଲା । ଆଉ ଭାସିଭାସି ଆସି ଲାଗିଥିଲା ଚିଲିକା ନିକଟରେ । ଜାହାଜ କଂଟେନରରେ ରହିଥିବା ଏକ ବିରାଟ ଫାଟ, ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ନେଇ ସନ୍ଦେହ ବଢାଉଛି । ଅଗଷ୍ଟ ୭ ତାରିଖରୁ ଚିଲିକା ନିଟକ ସମୁଦ୍ରରେ ଲାଗିଥିଲା ମାଲେସିଆର ଜିନ୍ ହକ ଜାହାଜଟି ଅତି ବିପଦସଂକୁଳ ଅବସ୍ଥାରେ ରହିଛି । ଏହାକୁ ଜଗି ରହିଛନ୍ତି ସ୍ଥାନୀୟ ଖିରିସାହି ଗାଁ ଲୋକେ ।

ପାଣିରେ ଭାଷୁଛି ୫୦ କୋଟି । କୁହାଯାଉଛି ପ୍ରାୟ ୫୦ କୋଟି ଟଙ୍କା ମୂଲ୍ୟର ଜାହାଜ ଓ ଏଥିରେ ମହଜୁଦ ଥିବା ତେଲକୁ ଛାଡିବାକୁ ଚାହିଁବେନି ମାଲେସିଆ ଜାହାଜ କମ୍ପାନି ମାଲିକ । ସେଥିପାଇଁ ଦୁଇଦିନ ଭିତରେ ତେଲ ଖାଲି କରିବାକୁ ପ୍ରୟାସ ଆରମ୍ଭ ହେବ ବୋଲି ଜଣାପଡିଛି ।

ମାଲେସିଆରୁ ଆସିଥିବା ଜାହାଜରେ ଥିଲେ ୧୦ଜଣ । ସେମାନଙ୍କୁ ପୋଲିସ କଷ୍ଟୋଡିରେ ସ୍ଥାନୀୟ ଖିରିସାହିରେ ଏକ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି । ଆଗକୁ ଜାହାଜର କଣ ହେବ, ସେମାନେ କେବେ ଘରକୁ ଫେରିବେ ସେକଥା ସେମାନଙ୍କୁ ମଧ୍ୟ ଜଣାନାହିଁ । ହେଲେ ଆଶ୍ୱସ୍ତର କଥା ହେଉଛି ଯେ, ଜାହାଜ ମାଲିକ ଖୁବଶୀଘ୍ର ଜାହାଜଟିକୁ ନେଇଯିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ।