ପୁରୀ ବେଳାଭୂମିରେ ତୀର୍ଥରାଜ ମହୋଦଧିଙ୍କ ଆଳତି ! ଘଣ୍ଟଘଣ୍ଟା ଓ ମନ୍ତ୍ର ପାଠ ମଧ୍ୟରେ ସମୁଦ୍ର ଆଳତି କଲେ ଶତାଧିକ ସାଧୁସନ୍ଥ

182

କନକ ବ୍ୟୁରୋ : ପୌଷପୂର୍ଣ୍ଣିମା ଅବସରରେ ପୁରୀ ବେଳାଭୂମିରେ ସମ୍ପନ୍ନ ହୋଇଛି ତୀର୍ଥରାଜ ମହୋଦଧିଙ୍କ ଆଳତି । ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଜପତିଙ୍କ ସମେତ ଶତାଧିକ ସାଧୁସନ୍ଥ ଯୋଗଦେଇ ସମୁଦ୍ର ଆଳତି କରିଛନ୍ତି । ଘଂଟଘଂଟା ଓ ମନ୍ତ୍ର ପାଠରେ ଉଛୁଳି ଉଠିଛି ପୁଣ୍ୟ ମହୋଦଧି । ଭକ୍ତଙ୍କ ହୁଳୁହୁଳି ଓ ହରିବୋଲ ଧ୍ୱନିରେ ପବିତ୍ର ହୋଇଛି ପରିବେଶ । ଏକ ଆଧ୍ୟାତ୍ମିକ ପରିବେଶରେ ମହୋଦଧିରେ ପାଳିତ ହୋଇଛି ମହୋଦଧି ଆରତୀର ୧୨ ତମ ବାର୍ଷିକୋତ୍ସବ ।

ବିଶ୍ୱ କଲ୍ୟାଣ ଓ ବରୁଣଦେବଙ୍କ ଉପାସନା ନିମନ୍ତେ ଏହି ସମୁଦ୍ର ଆଳତି କରାଯାଇଥିଲା । ଶଙ୍କରାଚାର୍ଯ୍ୟ ପ୍ରଥମେ ଆଳତି କରିଥିବାବେଳେ ଅନ୍ୟାନ୍ୟ ସାଧୁସନ୍ଥ ଆରତୀ ଅର୍ଚନା କରିଥିଲେ । ଏଥିପାଇଁ ସ୍ୱର୍ଗଦ୍ୱାର ନିକଟସ୍ଥ ଆରତୀ ସ୍ଥଳରେ ହୋଇଥିଲା ସ୍ୱତନ୍ତ୍ର ଆୟୋଜନ । ସାଧୁସନ୍ଥଙ୍କଠାରୁ ଆରମ୍ଭ କରି ଗଜପତି ଓ ମଠାଧୀଶ ଉପସ୍ଥିତ ଥିଲେ । ୧ ହଜାର ୮ ଦୀପର ପ୍ରଜ୍ୱଳନ ବେଦପାଠରେ ଜଗଦଗୁରୁ ଆଳତି କରିଥିଲେ । ଏହାକୁ ଦେଖିବାକୁ ଭକ୍ତଙ୍କ ବି ଭିଡ ହୋଇଥିଲା ।

ସେପଟେ ପୌଷପୂର୍ଣ୍ଣିମାରେ ପୁରୀ ରାଜନଅରରେ ଗଜପତି ମହାରାଜଙ୍କ ରାଜଭିଷେକ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ରୀତି ନୀତି କରାଯାଇଥିଲା । ଷୋଳ ଶାସନ ବ୍ରାହ୍ମଣ ମାନେ ମନ୍ତ୍ର ପାଠ କରି ନଡିଆ, ଗୁଆ, ତାମ୍ର ପଇତା ଭେଟି ଦେଇଥିଲେ । ମହାରାଜ ମଧ୍ୟ ବ୍ରାହ୍ମଣମାନଙ୍କୁ ମହାପ୍ରସାଦ ଭେଟି ଦେଇଥିଲେ ।