ମହାରାଷ୍ଟ୍ର ଓ ହରିୟାଣା ବିଧାନସଭା ପାଇଁ ମତଦାନ ଜାରି : ଦୁଇଟି ରାଜ୍ୟରେ ଧିମା ମତଦାନ, ଭୋଟ ଦେଉଛନ୍ତି ସେଲିବ୍ରିଟି ଓ ହେଭିୱେଟ୍

138

କନକ ବ୍ୟୁରୋ : ମହାରାଷ୍ଟ୍ରର ସମସ୍ତ ୨୮୮ଟି ବିଧାନସଭା ଆସନ ପାଇଁ ଚାଲିଛି ମତଦାନ । ମହାରାଷ୍ଟ୍ରରେ ମତଦାନ ହାର ଧିମା ରହିଛି । ୧୦ଟା ସୁଧା ୫.୬୯ ପ୍ରତିଶତ ମତଦାତା ମତଦାନ କରିଛନ୍ତି । ଭୋଟରମାନେ ବେଶ ଉତ୍ସାହର ସହ ଲାଇନ୍ ଲଗାଇ ଭୋଟ ଦେଉଥିବା ଦେଖିବାକୁ ମିଳିଛି । ମହାରାଷ୍ଟର ପ୍ରାୟ ୮କୋଟି ୯୦ ଲକ୍ଷ ଭୋଟର ନୂଆ ସରକାର ବାଛିବେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍, ଶିବସେନାର ଆଦିତ୍ୟ ଠାକରେଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ଅଶୋକ ଚୌହ୍ୱାନ ଓ ପୃଥ୍ୱୀରାଜ ଚୌହ୍ୱାନ, ଏନସିପିର ଅଜିତ୍ ପାୱାରଙ୍କର ଭାଗ୍ୟ ପରୀକ୍ଷା ହେଉଛି । ୨୦୧୪ରେ ମହାରାଷ୍ଟ୍ରରେ ଅଲଗା ଅଲଗା ନିର୍ବାଚନ ଲଢିଥିବା ବିଜେପି ଓ ଶିବସେନା ଏଥର ଏକାଠି ମୈଦାନକୁ ଓହ୍ଲାଇଛନ୍ତି । ତେଣୁ କଂଗ୍ରେସ-ଏନସିପି ମେଂଟକୁ ଟକ୍କର ଦେବା ପାଇଁ ଦୁଇ ମେଂଟ ସହଯୋଗୀ ସେମାନଙ୍କ ମତାନ୍ତରକୁ ଭୁଲି ଏକାଠି ହେବା ରାହୁଲ ସେନା ପାଇଁ ବଡ ଚ୍ୟାଲେଞ୍ଜ ହୋଇପାରେ ।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ନାଗପୁରେ ଭୋଟ୍ ଦେଇଛନ୍ତି । ଫଡନଭିସ୍ ତାଙ୍କ ପତ୍ନୀଙ୍କ ସହ ଆସି ମତଦାନ କରିଛନ୍ତିି । ଭୋଟ ଦେବା ପରେ ଜନତାଙ୍କୁ ଭୋଟ୍ ଦେବାକୁ ଅପିଲ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ସେହିପରି ବଲିଉଡ ସେଲିବ୍ରିଟ ବି ଆଜି ମୁମ୍ବାଇରେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଅଭିନେତା ଆମୀର ଖାନ ତାଙ୍କ ପତ୍ନୀ କିରଣ ରାଓଙ୍କ ସହ ଆସି ଭୋଟ ଦେଇଛନ୍ତି ।  ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରୀ ଓ ଶୋଭା ଖୋଟେ ବି ନିଜ ମତଦାନ ସାବ୍ୟସ୍ତ କରିଛନ୍ତି ।

ସେହିପରି ହରିଆଣା ବିଧାନସଭା ପାଇଁ ଚାଲିଛି ଭୋଟ ଗ୍ରହଣ । ହରିଆଣାର ସମସ୍ତ ୯୦ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଛି । ୧୦ ଟା ସୁଦ୍ଧା ୮ଦଶମିକ ସାତ ତିନି ପ୍ରତିଶତ ମତଦାତା ମତଦାନ କରିଛନ୍ତି । ହରିଆଣାରେ ୧ କୋଟି ୮୩ ଲକ୍ଷ ଭୋଟର ସେମାନଙ୍କ ନୂଆ ନେତା ଚୟନ କରିବେ । ହରିଆଣାରେ ମନୋହର ଲାଲ ଖଟ୍ଟରଙ୍କ ୫ବର୍ଷ କାର୍ଯ୍ୟକାଳର ସମୀକ୍ଷା କରି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି ଜନତା । ଦେଶର କୃଷି ଓ ନିର୍ମାଣ କ୍ଷେତ୍ରକୁ ସିଂହ ଭାଗ ଅବଦାନ ଥିବା ଏହି ରାଜ୍ୟ ମଧ୍ୟ ରାଜନୈତିକ ଦୃଷ୍ଟି କୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ । କାରଣ ଗତ ନିର୍ବାଚନରେ ପ୍ରଥମଥର ବିଜେପି ଏଠାରେ ନିଜ ଦମରେ କ୍ଷମତା ଦଖଲ କରିଥିଲା । ହେଲେ ଏହି ନିର୍ବାଚନରେ ରାଜ୍ୟ ସରକାରଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାର ପରୀକ୍ଷା ହେଉଛି । ଅନ୍ୟପଟେ ସାଧାରଣ ନିର୍ବାଚନରେ ପ୍ରତ୍ୟାକ୍ଷାତ ହୋଇଥିବା ସର୍ବପୁରାତନ ଦଳ କଂଗ୍ରେସର ଗ୍ରହଣୀୟତାର ପରୀକ୍ଷା ହେଉଛି । ହରିଆଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମତଦାନ କରିଛନ୍ତି । ନିଜ ସମର୍ଥକଙ୍କ ସହ ସାଇକେଲ ଚଳାଇ ଆସି ମନୋହର ଲାଲ ନିଜର ଅଧିକାର ସାବ୍ୟସ୍ତ କରିଛନ୍ତି ।