ହଟନାଥଙ୍କ ମହିମା ଅପାର : ହଟକେଶ୍ୱର ମନ୍ଦିର ଦର୍ଶନ କରି ଅଟ୍ରିରେ ଗାଧୋଇଲେ ପୂର୍ଣ୍ଣ ହୁଏ ମାନସିକ, ଏକାଦଶ ରୂଦ୍ରଙ୍କ ଆଶିର୍ବାଦ ପାଇବାକୁ ବର୍ଷ ସାରା ଶ୍ରଦ୍ଧାଳୁଙ୍କ ସୁଅ ଛୁଟେ

330

କନକ ବ୍ୟୁରୋ : ହଟନାଥ ହଟକେଶ୍ୱରଙ୍କ ମହିମା ଅପାର । ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମାନଙ୍କ ମଧ୍ୟରୁ ହଟକେଶ୍ୱର ପୀଠ ଓ ଅଟ୍ରି ଉଷ୍ମପ୍ରସବଣ ଅନ୍ୟତମ । ମହାପ୍ରଭୁ ହଟକେଶ୍ୱରଙ୍କ ଦର୍ଶନ କରିବା ସହ ଅଟ୍ରି ଉଷ୍ମପ୍ରସବଣରେ ଗାଧୋଇବା ପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । ଶ୍ରଦ୍ଧାଳୁ ପ୍ରଥମେ ହଟକେଶ୍ୱର ମନ୍ଦିର ଦର୍ଶନ କରି ଅଟ୍ରି ଉଷ୍ମପ୍ରସବଣରେ ବୁଡ଼ ପକାନ୍ତି । ଏପରି କଲେ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି ।

ଖୋର୍ଦ୍ଧା–ବଲାଙ୍ଗୀର ଜାତୀୟ ରାଜପଥ ଠାରୁ ମାତ୍ର ୨ କିମି ଦୂର ପଡେ ହଟନାଥ ହଟକେଶ୍ୱର ମନ୍ଦିର । ହଟକେଶ୍ୱରକୁ ମହାଦେବଙ୍କ ଲୀଳାକ୍ଷେତ୍ର ବୋଲି ବିଶ୍ୱାସ କରାଯାଏ । ହଟକେଶ୍ୱର ମହାଦେବଙ୍କୁ ଏକାଦଶ ରୁଦ୍ର ହେଲେ ଅଭିହିତ କରାଯାଏ । ଅଟ୍ରି ଉଷ୍ମପ୍ରସବଣ, ହଟକେଶ୍ୱର ମହାପ୍ରଭୁଙ୍କ ଯଜ୍ଞକୁଣ୍ଡ ଭାବେ ପ୍ରସିଦ୍ଧି ଲାଭ କରିଛି । ମକର ସଂକ୍ରାନ୍ତି ବେଳେ ଏଠାରେ ଏକ ବିରାଟ ମେଳାର ଆୟୋଜନ ହୋଇଥାଏ । ହଜାର ହଜାର ସଂଖ୍ୟାରେ ମାନସିକଧାରୀ, ମାନସିକ ପୂରଣ ପାଇଁ କାହିଁ କେଉଁଆଡ଼ୁ ହଟକେଶ୍ୱର ମନ୍ଦିରକୁ ଧାଇଁ ଆସନ୍ତି । ମହାପ୍ରଭୁ ଶିବଙ୍କୁ ଦର୍ଶନ କରି ଅଟ୍ରି ପ୍ରସବଣର ପାଣିକୁ ପ୍ରସାଦ ରୂପେ ସେବନ କରିଥାଆନ୍ତି ଶ୍ରଦ୍ଧାଳୁ ।

ଶୀତ ଦିନେ ଏଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମେ । କେବଳ ରାଜ୍ୟ ନୁହେଁ ଦେଶ ବାହାରୁ ମଧ୍ୟ ଏଠାକୁ ପର୍ଯ୍ୟଟକ ଛୁଟି ଆସନ୍ତି । ଭଗବାନଙ୍କୁ ଦର୍ଶନ କରି ନିଜକୁ ଧନ୍ୟ ମଣିବା ସହ ଅଟ୍ରିର ଗରମ ପାଣିରେ ଗାଧୋଇବାର ମଜା ନିଅନ୍ତି ପର୍ଯ୍ୟଟକ । ତେବେ ଏହି ପର୍ଯ୍ୟଟକସ୍ଥଳୀରେ ବିଶେଷ କିଛି ସୁବିଧା ନାହିଁ । ଏହି ପର୍ଯ୍ୟଟନସ୍ଥଳୀ ପ୍ରତି ସରକାର ଟିକିଏ ଦୃଷ୍ଟି ଦେଲେ ଅଧିକ ସଂଖ୍ୟାରେ ପର୍ଯ୍ୟଟକ ଆସିପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ କରିଛନ୍ତି ।