କରୋନା ମାଡ଼ରେ କାମଧନ୍ଦା ହରାଇଲେ ଶ୍ରମଜୀବୀ : ଭୋକ ବିକଳରେ ପେଟ ପୋଡ଼ୁଛି, ସରକାରଙ୍କ ଭରସାରେ ଦିନ ଖଟିଖିଆ

899

କନକ ବ୍ୟୁରୋ : କରୋନା ଭଳି ଏକ ଅଜଣା ରାକ୍ଷସର ଯୋଗୁଁ ଏବେ ସାରା ପୃଥିବୀବାସୀ ଅନିଶ୍ଚିତତା ଭିତରେ କାଳାତିପାତ କରୁଛନ୍ତି  । କେତେବେଳେ କାହା ପାଖରେ ଏ ଭୂତାଣୁ ଯାଇ ପହଞ୍ଚିବ, ତାହା କେହି ବି ଜାଣିପାରିବେନି । ଏଇ ଡର ଏବେ ସମସ୍ତଙ୍କୁ ଘାରିଛି । କରୋନା ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଆଗୁଆ ଲକ୍ ଡାଉନ୍ ବା ତାଲାବନ୍ଦ ଘୋଷଣା କରି ଅନ୍ୟ ରାଜ୍ୟ ଏଭଳିକି କେନ୍ଦ୍ର ସରକାରଙ୍କଠାରୁ ଦୁଇପାଦ ଆଗରେ ରହିଲେ। କେନ୍ଦ୍ର ସରକାର ସମଗ୍ର ଦେଶର ଲୋକଙ୍କୁ ଆସନ୍ତା ୩ ସପ୍ତାହ ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ଆଦେଶନାମା ଜାରି କରିଛନ୍ତି।

ରାଜ୍ୟ ସରକାର ସ୍ଥିତିର ଗମ୍ଭୀରତାକୁ ମାପି ପ୍ରଶାସନିକ କଳ ଓ ବ୍ୟବସ୍ଥାକୁ ପୂରା ଦମ୍‌ରେ ଲଗାଇଛନ୍ତି । କର୍ମଚାରୀଙ୍କଠୁ ଆରମ୍ଭ କରି ଛାତ୍ରଛାତ୍ରୀ ସମସ୍ତଙ୍କ ସୁରକ୍ଷା କଥା ଚିନ୍ତା କରି ପଦକ୍ଷେପ ନେଇଛନ୍ତି । ହେଲେ ତାଲାବନ୍ଦର ପ୍ରଭାବ ଦିନମଜୁରିଆ, ଖଟିକିଆ, ଛୋଟ ବ୍ୟବସାୟୀ, ଅଟୋ ରିକ୍‌ସାଚାଳକଙ୍କ ପେଟ ପାଟଣାକୁ କେତେ ପରିମାଣରେ ପ୍ରଭାବିତ କଲାଣି, ତାକୁ ବୋଧହୁଏ ରାଜ୍ୟ ସରକାର ଆକଳନ କରିପାରୁନାହାନ୍ତି ।

ରାଜ୍ୟରେ ଏଭଳି ଶ୍ରମିକଙ୍କର ଦୈନଦିନ ଆବଶ୍ୟକତା କିପରି ମେଣ୍ଟିବ ତାକୁ ନେଇ ଏବେ ସମସ୍ୟା ଦେଖାଦେଲାଣି। ତାଲା ବନ୍ଦର ପ୍ରଭାବକୁ ଦୃଷ୍ଟିରେ ରଖି ଶ୍ରମଜୀବୀ, ଛଟେଇ ହୋଇଥିବା ଅସ୍ଥାୟୀ କର୍ମଚାରୀଙ୍କ ପାଇଁ କେରଳ, ଦିଲ୍ଲୀ, ଉତ୍ତପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ପଞ୍ଜାବ ଓ ହିମାଚଳ ପ୍ରଦେଶ ସରକାର ମାଗଣା ରାସନ ଦେବା ସହ ଆର୍ଥିକ ପ୍ୟାକେଜ୍‌ ଘୋଷଣା କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଅଥଚ ଓଡ଼ିଶା ସରକାର ଏ ଯାଏଁ ସେମାନଙ୍କ ପାଇଁ କିଛି ଆର୍ଥିକ ପ୍ୟାକେଜ୍‌ ଘୋଷଣା ନ କରିବା ନେଇ ବିଭିନ୍ନ ଦଳର ନେତା ଓ ଟ୍ରେଡ୍‌ ୟୁନିୟନ୍‌ ସଂଘ ପ୍ରଶ୍ନ ଉଠାଇଛନ୍ତି।