ସରକାରୀ ବିଦ୍ୟାଳୟରେ ପିଲା କମ୍, ପାସ୍ ହାର ବି କମ୍ : ମାନିଲେ ଗଣଶିକ୍ଷା ମନ୍ତ୍ରୀ

147

କନକ ବ୍ୟୁରୋ : ସରକାରୀ ବିଦ୍ୟାଳୟଗୁଡ଼ିକରେ ନାମଲେଖା ବୃଦ୍ଧି ପାଇଁ ମାଗଣା ବହି, ପୋଷାକ, ମଧ୍ୟାହ୍ନଭୋଜନ, ପରିବହନ ଭତ୍ତା ଦିଆଯାଉଛି । ତଥାପି ସରକାରୀ ବିଦ୍ୟାଳୟରେ ଛାତ୍ରଛାତ୍ରୀ କମୁଛନ୍ତି । କେବଳ ସେତିକି ନୁହେଁ, ଘରୋଇ ବିଦ୍ୟାଳୟ ତୁଳନାରେ ସରକାରୀ ବିଦ୍ୟାଳୟରେ ମାଟ୍ରିକ୍ ପାସ୍ ହାର ବି କମ୍ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାନସଭାରେ ସ୍ବୀକାର କରିଛନ୍ତି । ସରକାରୀ ବିଦ୍ୟାଳୟର ଏପରି ସ୍ଥିତିର କାରଣ ବି ମନ୍ତ୍ରୀ ଦର୍ଶାଇଛନ୍ତି । ମନ୍ତ୍ରୀଙ୍କ ହିସାବ ଅନୁଯାୟୀ ଛାତ୍ରଛାତ୍ରୀ କମିବାର କାରଣ ହେଉଛି ରାଜ୍ୟରେ ଶିଶୁ ଜନ୍ମହାର ହ୍ରାସ ଓ ଘରୋଇ ବିଦ୍ୟାଳୟରେ ନାମଲେଖା ବୃଦ୍ଧି ।

ପାସ୍ ହାର କମିବାର କାରଣ ହେଉଛି, ଘରୋଇ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖା ଚୟନ ପ୍ରକ୍ରିୟାରେ ହେଉଥିଲା ବେଳେ ସରକାରୀ ବିଦ୍ୟାଳୟରେ କୌଣସି ପରୀକ୍ଷା କରାଯାଉନାହିଁ । ଘରୋଇ ବିଦ୍ୟାଳୟଗୁଡ଼ିକରେ ସ୍ବଚ୍ଛଳ ବର୍ଗର ଛାତ୍ରଛାତ୍ରୀ ଅଧିକ ସଂଖ୍ୟାରେ ପଢ଼ୁଥିବା ବେଳେ ସରକାରୀ ବିଦ୍ୟାଳୟରେ ସାମାଜିକ, ଆର୍ଥିକ ଅନଗ୍ରସର ସହ ଅନ୍ୟ ବର୍ଗର ଛାତ୍ରଛାତ୍ରୀ ନାମ ଲେଖାଉଛନ୍ତି । ଏଥି ସହ ସରକାରୀ ବିଦ୍ୟାଳୟ ରାଜ୍ୟର ସବୁ ଅଞ୍ଚଳରେ ଚାଲୁଥିବା ବେଳେ ଘରୋଇ ବିଦ୍ୟାଳୟଗୁଡ଼ିକ ମୁଖ୍ୟତଃ ସହର ତଥା ବଡ଼ ଗ୍ରାମରେ ଚାଲୁଛି । ତେଣୁ ଘରୋଇ ବିଦ୍ୟାଳୟଗୁଡ଼ିକର ପାସ୍‌ହାର ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ପରୀକ୍ଷା ଫଳଠାରୁ ଅଧିକ ହେଉଛି ।

ତେବେ ଶିକ୍ଷାର ମାନବୃଦ୍ଧି ପାଇଁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଦର୍ଶାଇଛନ୍ତି । ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ବିଷୟଭିତ୍ତିକ ସାମର୍ଥ୍ୟ ପ୍ରଶିକ୍ଷଣ ଦିଆଯାଉଛି । ୨୯ଟି ଜିଲ୍ଲାରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ନବମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ଶିକ୍ଷା ଦକ୍ଷତା ବୃଦ୍ଧି ପାଇଁ ‘ଉତ୍କର୍ଷ’ କାର‌୍ୟ୍ୟକ୍ରମ ଚାଲୁଛି । ଆଇସିଟି ଆଟ୍‌ ସ୍କୁଲ କାର‌୍ୟ୍ୟକ୍ରମ ମାଧ୍ୟମରେ ଇ-କଣ୍ଟେଣ୍ଟ ସାହାଯ୍ୟରେ ଶ୍ରେଣୀରେ ପାଠ୍ୟଦାନ କରାଯାଉଛି । ସରକାରୀ ଉଚ୍ଚ ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ, ବିଜ୍ଞାନାଗାର, ପାଠାଗାର ଓ କମ୍ପ୍ୟୁଟର୍‌ ଗୃହ ପ୍ରତିଷ୍ଠା ହୋଇଛି ।
ଛାତ୍ରଛାତ୍ରୀଙ୍କ ସୃଜନୀଶକ୍ତିର ବିକାଶ ପାଇଁ ଜିଲ୍ଲାସ୍ତର‌ରେ ବିଜ୍ଞାନମେଳା ଓ ପୁସ୍ତକ ମେଳା ହେଉଛି । ଉଚ୍ଚ ବିଦ୍ୟାଳୟଗୁଡ଼ିକର ଛାତ୍ରଛାତ୍ରୀଙ୍କ ବୈଷୟିକ ଓ ପ୍ରୟୋଗାତ୍ମକ ଜ୍ଞାନର ଅଭିବୃଦ୍ଧି ପାଇଁ ସାଇନ୍ସ ଆଣ୍ଡ୍‌ ମ୍ୟାଥ୍‌ କିଟ୍‌ ଯୋଗାଇ ଦିଆଯାଉଛି । ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦକୁ ଦୃଷ୍ଟିରେ ରଖି ନିୟମିତ ଶିକ୍ଷାଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକମାନଙ୍କୁ ଅତିଥି ଶିକ୍ଷକ ଭାବେ ନିୟୋଜିତ କରାଯାଉଛି। ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଯୋଜନା କାର‌୍ୟ୍ୟକାରୀ କରାଯିବା ସହ ୨୦୧୮-୧୯ ଶିକ୍ଷାବର୍ଷରୁ ଶ୍ରେଷ୍ଠ ସ୍କୁଲ, ଶ୍ରେଷ୍ଠ ଅଭିଭାବକଙ୍କୁ ସମ୍ବର୍ଦ୍ଧିତ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।