କିଡନାପ ଗ୍ୟାଙ୍ଗର ରାଣୀମହୁମାଛି ! ଗତ ୨୬ ତାରିଖରେ ହୋଇଥିବା ଅପହରଣର ମାଷ୍ଟର ମାଇଣ୍ଡ ଥିଲେ ଜଣେ ଯୁବତୀ, ଠାବ କଲା ପୋଲିସ୍

21

କନକ ବ୍ୟୁରୋ : ଗତ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ଘଟିଥିବା ଏକ ଚାଂଚଲ୍ୟକର ଅପହରଣ ଘଟଣାରେ ରାଣୀ ମହୁମାଛିଙ୍କ ଭୂମିକା ସାମ୍ନାକୁ ଆସିଛି । ଅପହରଣ କରିଥିବା ୫ଜଣ ଦୁର୍ବୃତ୍ତଙ୍କୁ ପରିଚାଳନା କରୁଥିଲେ ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ-ପୁଲିସ୍ ତାଙ୍କୁ ଠାବ କରି ସାରିଛି । ତାଙ୍କୁ ଧରିବା ପାଇଁ ଉଦ୍ୟମ ବି କରୁଛି । କିନ୍ତୁ ବାରମ୍ବାର ପୁଲିସକୁ ଚକମା ଦେଇ ଖସି ଯାଉଛନ୍ତି ଯୁବତୀ ଜଣକ ।

ଗତ ୨୬ ତାରିଖରେ ରାଜଧାନୀ ଭୁବନେଶ୍ୱରର ଜନଗହଳିପୁର୍ଣ୍ଣ ଶୈଳିଶ୍ରୀ ବିହାର ଅଂଚଳରୁ ଯୁକ୍ତ୨ ଛାତ୍ର ଗୌରବଙ୍କୁ ଅପହରଣ ଘଟଣାରେ ନୂଆ ଖିଅ ସାମନାକୁ ଆସିଛି । ଅପହରଣ କରି ଉଠାଇ ନେବା ଓ ପରେ ମୁଣ୍ଡ ଜାମିନ ରଖି ଟଙ୍କା ଆଦାୟ କରିବା, ଏହି ପୁରା ପ୍ରକ୍ରିୟାର ମାଷ୍ଟର ମାଇଣ୍ଡ ଥିଲା ରାଣୀ ମହୁମାଛି । ଯାହାର ଇସାରା ପାଇବା ମାତ୍ରେ ଚୁଟକିରେ ଅପହରଣ ଭଳି ଭୟଙ୍କର କାମ ବି ହେଇଯାଉଥିଲା । ଏହି ଅପହରଣ ଘଟଣାରେ ୫ଜଣ ଅପହରଣକାରୀଙ୍କୁ ଗିରଫ କରି ପୁଲିସ ଜେଲକୁ ପଠାଇ ଦେଇଛି । କିନ୍ତୁ ଏମାନଙ୍କୁ ରିମୋର୍ଟ ଭଳି ଅପରେଟ୍ କରୁଥିବା ରାଣୀ ମହୁମାଛି ପାଖରେ ପୁଲିସ ପହଂଚି ପାରୁନି ।

ଏହି ଯୁବତୀ ଜଣକର ଉଦ୍ଦେଶ୍ୟ ଥିଲା ଧନୀ ପରିବାରର ପିଲା ମାନଙ୍କୁ ବିଭିନ୍ନ ଉପାୟରେ କୌଣସି ଏକ ସ୍ଥାନକୁ ଡାକିବା ଏବଂ ସେଠାରୁ ଅପହରଣ କରି ମୁଣ୍ଡ ଜାମିନ ରଖିବା । ଏହିଭଳି ଏକ ଉଦ୍ୟମର ପ୍ରମାଣ ବି ମିଳିଛି । ଏହି ଯୁବତୀ ଭୁବନେଶ୍ୱର ଓ ଆଖପାଖ ଅଂଚଳରେ ଘୁରି ବୁଲୁଛି ବୋଲି ପୁଲିସ ପାଖରେ ପକ୍କା ଖବର ରହିଛି । କିନ୍ତୁ ଯେତେବେଳେ ବି ତାକୁ ଧରିବା ପାଇଁ ଉଦ୍ୟମ ହେଉଛି ଖୁବ ଚତୁରତାର ସହ ସେ ପୁଲିସ ହାତରୁ ଖସି ଯାଉଛି । ବାରମ୍ବାର ସେ ମୋବାଇଲ ଓ ଲୋକେସନ ପରିବର୍ତ୍ତନ କରୁଥିବା ଜଣା ପଡିଛି ।