ଗଛ ମୂଳେ ଚାଲିଛି ଭବିଷ୍ୟତ ଗଢା ! ସ୍କୁଲ ଘର ନଥିବାରୁ ଖୋଲା ଆକାଶ ତଳେ ପାଠପଢୁଛନ୍ତି କୁନି କୁନି ପିଲା

73

କନକ ବ୍ୟୁରୋ : ଗଛ ତଳେ ଗଢା ହେଉଛି ପିଲାଙ୍କ ଭବିଷ୍ୟତ । ନିମ୍ବ ଗଛ ହିଁ ଏବେ ପାଲଟିଛି ଭରଷା । ୨ବର୍ଷ ହେଲା ଚାଳ ଘରେ ଚାଲିଥିଲା ପାଠପଢା । ଘର ଭାଙ୍ଗିଗଲା ପରେ ଏବେ ନିମ୍ବ ଗଛ ତଳେ ପାଠପଢା ହେଉଛି । ସ୍କୁଲ ଘର ନଥିବା ବେଳେ ଶୌଚଳୟ ନିର୍ମାଣ କରାଯାଇଛି । କେନ୍ଦୁଝର ଜିଲ୍ଲା ବାଲିଯୋଡିସାହିରୁ ଏପରି ଦୃଶ୍ୟ ଦେଖିବା ପାଇଁ ମିିଳିଛି । ନିମ୍ବଗଛ ମୂଳେ ସ୍କୁଲ । ଖରା, ବର୍ଷା ସବୁଦିନ ପିଲାମାନେ ଏଠାରେ ପାଠପଢନ୍ତି ।

ଆହୁରି ଆଶ୍ଚର୍ଯ୍ୟର କଥା ହେଲା ସ୍କୁଲ ଗୃହ ନଥିବାବେଳେ ଏଠାରେ କିନ୍ତୁ ନିର୍ମାଣ ହୋଇଛି ଶୌଚଳୟ । ବିଡ଼ମ୍ବନାର ବିଷୟ ବର୍ଷା ହେଲେ ପିଲାମାନେ ଶୌଚାଳୟରେ ଆଶ୍ରୟ ନେଉଛନ୍ତି । ପାହାଡ ତଳେ ଗ୍ରାମବାସୀଙ୍କ ଉଦ୍ୟମରେ ତିଆରି ହୋଇଥିବା ଚାଳ ଘରେ ବର୍ଷାରେ ଭାଙ୍ଗିଯାଇଛି । ଫଳରେ ପ୍ରଥମରୁ ପଂଚମ ଯାଏଁ ୪୪ଜଣ ଛାତ୍ରଛାତ୍ରୀ ଏହି ନିମ୍ବଗଛ ତଳେ ପାଠ ପଢୁଛନ୍ତି । ସେପଟେ ଅବ୍ୟବସ୍ଥା ଯୋଗୁଁ ବିଦ୍ୟାଳୟର ଉପସ୍ଥାନ ଦିନକୁ ଦିନ କମିବାରେ ଲାଗିଛି ।

ଏତେ ଅସୁବିଧା ଯୋଗୁଁ ସ୍କୁଲକୁ ଆସିବା ପାଇଁ ପିଲାମାନେ ମଙ୍ଗୁ ନାହାନ୍ତି । ତେବେ ସ୍କୁଲ ଗୃହ ନିର୍ମାଣ ନେଇ ଡିପିସି ଓ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଥିବା କହିଛନ୍ତି ବିଇଓ । କେଉଁଠି ଉଚିତ ସଂଖ୍ୟକ ଛାତ୍ରଛାତ୍ରୀ ନଥିବାବେଳେ ସ୍କୁଲ ବନ୍ଦହେଉଛି ତ ଆଉ କେଉଁଠି ପିଲା ଥାଇବି ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ ।ତେବେ ଏପରି ଘଟଣା ବାରମ୍ବାର ସାମ୍ନାକୁ ଆସିଲେ ମଧ୍ୟ ସେଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି । ତେବେ ଏଇଠି ପ୍ରଶ୍ନ ଉଠୁଛି ଆଜିକା ପ୍ରତିଯୋଗୀତା ମୂଳକ ସମୟରେ ପାଠ ପଢ଼ା ଯଦି ଏପରି ହୁଏ ତେବେ ପିଲାଙ୍କ ଭବିଷ୍ୟକ କ’ଣ ହେବ । ଆଗକୁ ଯାଇ ସେମାନେ କ’ଣ ଅନ୍ୟ ପିଲାଙ୍କ ପରି ପାଠପଢ଼ାରେ ମନ ଲଗାଇ ପାରିବେ ତ ?