କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ନେଇ ମନ୍ତ୍ରୀଙ୍କ ପୁଅ ନାଁରେ ଥାନାରେ ମାମଲା : ଖଣ୍ଡା, ଭୁଜାଲି ଧରି ଧମକାଇବା ସହ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ

709

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲାରେ ପୁଣି ଘଟିଛି ନିର୍ବାଚନୀ ହିଂସା । ଘସିପୁରା ନିର୍ବାଚନମଣ୍ଡଳୀ ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମରେ ଜଣେ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ମନ୍ତ୍ରୀ ବଦ୍ରି ପାତ୍ରଙ୍କ ପୁଅ ଦେବାଶିଷ୍ ପାତ୍ର ଓରଫ ଟୁଟୁଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାବେଳେ ରାମଚନ୍ଦ୍ରପୁର ଥାନା ଅଙ୍ଗାରୁଆ ଗ୍ରାମର କଂଗ୍ରେସ ସମର୍ଥକ ରାଜେନ୍ଦ୍ର ସା ଘରକୁ ଫେରୁଥିଲେ । ଏହି ସମୟରେ ଦେବାଶିଷ୍ ଓ ତାଙ୍କର ସହଯୋଗୀମାନେ ସେହି ଗାଁର କାର୍ତିକେଶ୍ୱର ମଣ୍ଡପ ନିକଟରେ ରାଜେନ୍ଦ୍ରଙ୍କୁ ଅଟକାଇଥିଲେ ।

ସେମାନେ ହାତରେ ଖଣ୍ଡା, ଭୁଜାଲି ଧରି ପ୍ରଥମେ ଧମକ ଦେଇଥିବାବେଳେ ପରେ ତଳେ ପକାଇ ନିସ୍ତୁକ ମାଡ ମାରିଥିଲେ । ଏପରିକି ପାଟିରେ ବନ୍ଧୁକ ପୁରାଇ ଜୀବନରେ ମାରିଦେବାକୁ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି । ରାଜେନ୍ଦ୍ରଙ୍କ ଚିକ୍ରାର ଶୁଣି ସମର୍ଥକମାନେ ପହଁଚି ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତି କରିଥିଲେ । ତାଙ୍କ ଛାତିରେ ଗଭୀର ଆଘାତ ଲାଗିଛି । ରାଜେନ୍ଦ୍ରଙ୍କ ଏତଲା ଅନୁସାରେ ରାମଚନ୍ଦ୍ରପୁର ପୋଲିସ ମାମଲା ରୁଜୁ କରି ଘଟଣାର ଛାନଭିନ ଚଳାଇଛି ।ସେପଟେ ଘଷିପୁରାର ୬୫ଟି ଅତି ସମ୍ବେଦନଶୀଳ ବୁଥରେ ଅର୍ଦ୍ଧ ସାମରିକ ବାହିନୀ ମୃତୟନ ପାଇଁ ସିଇଓଙ୍କ ନିକଟରେ ଦାବି ଜଣାଇଛି କଂଗ୍ରେସ ପ୍ରତିନିଧି ମଣ୍ଡଳୀ ।