ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟିଂକୁ ନେଇ ଅଶାନ୍ତ କେନ୍ଦ୍ରାପଡା ! ତୁରନ୍ତ ପଦକ୍ଷେପ ନେଇ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିଛି ପ୍ରଶାସନ

35

କନକ ବ୍ୟୁରୋ : ସୋସିଆଲ ମିଡିଆରେ ଆପତ୍ତିଜନକ ପୋଷ୍ଟିଂକୁ ନେଇ ଅଶାନ୍ତ କେନ୍ଦ୍ରାପଡା । ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସ୍ଥିତି । ହେଲେ ତୁରନ୍ତ ପଦକ୍ଷେପ ନେଇ ପରିସ୍ଥିତିକୁ ତୁରନ୍ତ ନିୟନ୍ତ୍ରଣକୁ ଆଣିଛି ପ୍ରଶାସନ । ଅପରାହ୍ନ ୩ଟାରୁ ୪୮ ଘଂଟା ପାଇଁ ଇଂଟରନେଟକୁ ବ୍ୟାନ କରାଯାଇଛି ।

ସ୍ଥାନୀୟ ଅଂଚଳରେ ସମସ୍ତ ପ୍ରକାର ସୋସିଆଲ ମିଡିଆକୁ ଅଚଳ କରିଦେଇଛନ୍ତି ସରକାର । କୌଣସି ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ କେନ୍ଦ୍ରାପଡାରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ଏଥିସହ ଯାଜପୁରରୁ ମଧ୍ୟ ୩ ପ୍ଲାଟୁନ ପୋଲିସ ଫୋର୍ସ ପହଂଚିଛନ୍ତି ।

ଏସ୍ପିଙ୍କ ତତ୍ୱାବଧାନରେ ସଜାଗ ଅଛନ୍ତି ୧ ପ୍ଲାଟୁନ ଷ୍ଟ୍ରାଇକିଂ ଫୋର୍ସ । ସେହିପରି ପୋଲିସର ସ୍ପେଶାଲ ସ୍କ୍ୱାର୍ଡ ବି ପଇଁତରା ମାରୁଛନ୍ତି । ବିବାଦୀୟ ପୋଷ୍ଟିଂ ବିରୋଧରେ ଫକିରାବାଦରେ ଦାନା ବାନ୍ଧୁଥିବା ଅସନ୍ତୋଷକୁ ନିୟନ୍ତ୍ରଣ କରିବା ପାଇଁ ପହଂଚିଥିଲେ ଏସପି ଦୟାନିଧି ଗୋଛାୟତ ଓ ଜିଲ୍ଲାପାଳ ମୂରଲିଧର ମଲ୍ଲିକ ।

ଆଜାଦ ହିନ୍ଦ କ୍ଲବରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ୩ଶହରୁ ଅଧିକ ଲୋକ ଏକତ୍ରିତ ହେଉଥିବାବେଳେ ଏମାନଙ୍କୁ ବୁଝାଶୁଝା କରିଛନ୍ତି ଏସପି ଓ ଜିଲ୍ଲାପାଳ । ତେବେ ଆପତ୍ତିଜନକ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରିବା ପାଇଁ ଏମାନେ ଦାବି କରିଛନ୍ତି ।

ପୋଲିସ ଅଜଣା ବ୍ୟକ୍ତିଙ୍କ ନାଁରେ ମାମଲା ରୁଜୁ କରିଥିବାବେଳେ ଏହି ପୋଷ୍ଟ ସଂପର୍କରେ ଖୋଳତାଡ ଚଳାଇଛି ସାଇବର ସେଲ । ଶାନ୍ତି ବଜାୟ ରଖିବାକୁ ଏକ ସାମ୍ବାଦିକ ସମ୍ମିଳନୀରେ ଅପିଲ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ।