ନବୀନଙ୍କୁ ଭେଟିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବେ କେସିଆର୍

88

କନକ ବ୍ୟୁରୋ : ଓଡିଶା ଗସ୍ତରେ ଆସିଥିବା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି ମୁଖ୍ୟ କେ. ଚନ୍ଦ୍ରଶେଖର ରାଓ ଆଜି ପୁରୀ ଯିବାର କାର୍ଯ୍ୟକ୍ରମ ରହିଛି । ଆଜି କେସିଆର ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ସେଠାରେ ଚତୁର୍ଦ୍ଧା ମୂରତୀଙ୍କ ଦର୍ଶନ କରିବେ । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନବିନ ନିବାସରେ ଭେଟିବା ପରେ ଭୁବନେଶ୍ୱରରେ ରାତ୍ରି ଯାପନ କରିଥିଲେ ।

ଗତକାଲି ପ୍ରାୟ ୧ ଘଂଟା ଧରି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଏହା ପରେ ସାମ୍ବାଦିକଙ୍କୁ ସମ୍ବୋଧନ କରିଥିଲେ ଉଭୟ ନେତା । ଏହି ଅବସରରେ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିଲେ କେସିଆର୍ । ନବୀନଙ୍କୁ ରୋଲ୍ ମଡ଼େଲ କହିବା ସହ ଚାଷୀ ଏବଂ ମହିଳାଙ୍କ ପାଇଁ ନେଉଥିବା ପଦକ୍ଷେପକୁ ପ୍ରଂଶସା କରିଛନ୍ତି କେସିଆର୍ । କହିଛନ୍ତି, ନବୀନ ଜଣେ ନିସ୍ୱାର୍ଥପର ନେତା ଏବଂ ତାଙ୍କ ବ୍ୟକ୍ତିତ୍ୱ ବେଶ ଉଚ୍ଚ । ହାଇଦ୍ରାବାଦରେ ଥିବା ସମୟରେ ସେ, ନବୀନ ପଟ୍ଟନାୟକଙ୍କ ଚିଠି ପାଇଥିଲେ, ଯେଉଁଥିରେ ବିଧାନସଭା ଓ ସଂସଦରେ ମହିଳା ପାଇଁ ୩୩ ପ୍ରତିଶତ ସଂରକ୍ଷଣ କଥା କୁହାଯାଇଥିଲା ।

ଯାହାକୁ ସେ ସମର୍ଥନ କରିଛନ୍ତି ବୋଲି କେସିଆର କହିଛନ୍ତି । ସେହିପରି ଟିଆର୍ଏସ୍କୁ ଉଭୟ ବିଜେପି ଓ କଂଗ୍ରେସର ବି ଟିମ୍ ନେଇ ହେଉଥିବା ଅଭିଯୋଗ ଉପରେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି କେସିଆର୍ । କେସିଆର୍ କହିଛନ୍ତି, ଏହା ସବୁଠାରୁ ବଡ ଜୋକ୍ । ଏଥିରେ କୌଣସି ସତ୍ୟତା ନାହିଁ । ଆମେ ନିଜେ ହିଁ ଏକ ଟିମ୍ ବୋଲି କହିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉତର ରଖି କହିଛନ୍ତି, ଆମେ ରାଜ୍ୟର ଟିମ୍ ।