ଜଗତସିଂହପୁର : ବର୍ଷାଦିନରେ ପାଣି ଅଭାବରୁ ଚିନ୍ତାରେ ଚାଷୀ, ଜଳସେଚନ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ କେନାଲରେ ପାଣି ଆସୁନଥିବା ଅଭିଯୋଗ

43

କନକ ବ୍ୟୁରୋ : ବର୍ଷାଦିନରେ ପାଣି ଅଭାବରୁ ଚିନ୍ତାରେ ଚାଷୀ । ଜଗତସିଂହପୁର ଜିଲ୍ଲାରେ ସ୍ୱଳ୍ପ ବର୍ଷା ହୋଇଥିବାବେଳେ କେନାଲରେ ପାଣି ଛାଡିବାକୁ ସରକାରୀ ବାବୁଙ୍କ ଆନ୍ତରିକତା ନାହିଁ । ଆଉ ଏହାର ପରିଣାମ ଭୋଗୁଛନ୍ତି ଚାଷୀ । ବର୍ଷ ଯାକର ଭରସା ଧାନ ଗଣ୍ଡିଏ ପାଇଁ ଚାଷୀ ଏବେ ମୁଣ୍ଡରେ ହାତଦେଇ ବସିଛି ।

ଗୋଟିଏ ପଟେ ପାଣିରେ ବୁଡିଛି ଜମି, ଅନ୍ୟପଟେ ଧାନ ବିଲ ଫାଟି ଅାଁ । ବର୍ଷା ଅଭାବରୁ ଜଗତସିଂହପୁରରେ ଶୁଖିଲା ପଡିଛି ଚାଷଜମି, ଚିନ୍ତାରେ ଚାଷୀ । ଜିଲ୍ଲାର ପ୍ରାୟ ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ରଘୁନାଥପୁର ବ୍ଲକରେ ସ୍ୱଳ୍ପ ବର୍ଷା ହେବା ଫଳରେ ହଜାର ହଜାର ହେକ୍ଟର ଚାଷ ଜମି ଫାଟି ଅାଁ କରିଛି ।

ଜଳସେଚନ ବିଭାଗର ଖାମ୍ ଖିଆଲି ମନୋଭାବ ଯୋଗୁଁ କେନାଲରେ ପାଣି ଆସୁନଥିବା ଅଭିଯୋଗ ହୋଇଛି । ମାଛଗାଁ ମୁଖ୍ୟ କେନାଲରୁ ବାହାରିଥିବା ୭ନମ୍ବର ଓ ୮ନମ୍ବର କେନାଲରେ ପାଣି ପହଁଚି ନାହିଁ । ଯାହାକୁ ନେଇ ଏରଡଙ୍ଗା, ତଁରା, ରେଢୁଆ, ଚିକଣିଆ ଓ ଛପଡା ପଂଚାୟତର ଚାଷୀ ବିଭିନ୍ନ ସମୟରେ ପ୍ରଶାସନକୁ ଜଣାଇ ନିରାଶ ହେବାପରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଏହି ବାବଦରେ ଜଗତସିଂହପୁର ଜଳସେଚନ ବିଭାଗୀୟ ଅଧିକାରୀ ଏସ.ଡି.ଓଙ୍କ କହିବା କଥା ୨ ଦିନ ମଧ୍ୟରେ ଜମିକୁ ପାଣି ଯୋଗାଇ ଦିଆଯିବ । ୪ଥର କୃଷିକର୍ମଣ ପୁରସ୍କାର ପାଇଁ ବାହାବା ନେଉଥିବା ରାଜ୍ୟରେ ଭାଦ୍ରବ ମାସରେ ପାଣି ଅଭାବରୁ ଚାଷ ଜମି ପଡିଆ ପଡିଛି ।