ମୂଳ ଚାବି ପାଇଁ ତନାଘନା : ଆଜିଠୁ ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ତଦନ୍ତ

29

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ବିବାଦରେ ଗଠିତ ନ୍ୟାୟିକ ତଦନ୍ତ କମିଶନର ଟର୍ମସ ଅଫ ରେଫରେନ୍ସ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜିଠୁ ତଦନ୍ତ ଆରମ୍ଭ ହେବ । କେଉଁ ପରିସ୍ଥିତିରେ ଚାବି ହଜିଲା ସେ ନେଇ ତଦନ୍ତ କରିବ କମିଶନ । ଚାବି ହଜିବା ଘଟଣାରେ ବ୍ୟକ୍ତିବିଶେଷ, ଗୋଷ୍ଠୀ କିମ୍ବା ଅନୁଷ୍ଠାନର କୌଣସି ଭୂମିକା ଅଛି ନା ନାହିଁ ସେନେଇ ବି ତଦନ୍ତ ହେବ । ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତି ନ ହୁଏ ସେ ଦିଗ ପ୍ରତି ବି ଧ୍ୟାନ ଦେବେ କମିଶନ । ୩ ମାସ ମଧ୍ୟରେ ଏହି କମିଟି ତଦନ୍ତ କରି ସରକାରଙ୍କୁ ରିପୋର୍ଟ ଦେବେ । ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ରଘୁବୀର ଦାସ ଘଟଣାର ତଦନ୍ତ କରିବେ । ବିଜ୍ଞପ୍ତିରେ କୁହାଯାଇଛି ଯେ, କମିଶନ ଅଫ ଇନକ୍ୱାରୀ ଆକ୍ଟ ୧୯୫୨ ଅନୁସାରେ ଘଟଣାର ତଦନ୍ତ ହେବା ଦରକାର ।

ଅନ୍ୟପଟେ ହାତ ଟେକିଦେଲେ ଜିଲ୍ଲାପାଳ । ବୁଧବାର ଦିନ ରତ୍ନଭଣ୍ଡାର ଚାବି ମିଳିବା ନେଇ ଜିଲ୍ଲାପାଳ ପ୍ରେସମିଟ୍ କରି ଘୋଷଣା କରିଥିଲେ, ଗୁରୁବାର ପୁଣି ଏକ ପ୍ରେସମିଟ୍ କରି ଜିଲ୍ଲାପାଳ, ଚାବି ମିଳିବା ଘଟଣା, ଜଗନ୍ନାଥଙ୍କ ଏକ ଚମକ୍ରାର ବୋଲି କହିଛନ୍ତି । ଜିଲ୍ଲାପାଳ କହିଛନ୍ତି, ତାଙ୍କୁ ଯାହା ମିଳିଛି, ସେତାହା ଗଣମାଧ୍ୟମରେ କହିଛନ୍ତି । ଏଥିପାଇଁ ଯେକୌଣସି ତଦନ୍ତ ପାଇଁ ସେ ପ୍ରସ୍ତୁତ । ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଓ ମିଳିବା ବିବାଦ ଭିତରେ ଛନ୍ଦି ହୋଇଯାଇଛନ୍ତି ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଚାବି ହଜିବାଠାରୁ ଚାବି ମିଳିବା ଘଟଣା, ଅଧିକ ବିବାଦ ସୃଷ୍ଟି କରିଛି ।

ଶ୍ରୀମନ୍ଦିର ଭିତର ଭଣ୍ଡାର ଚାବି ହଜିଯିବା ଯେମିତି ବଡ ବିବାଦ ସୃଷ୍ଟିି କରିଥିଲା, ତାଠୁ ଅଧିକ ବିବାଦୀୟ ହୋଇପଡ଼ିଛି ଅଚାନକ୍ ଭଣ୍ଡାର ଚାବି ମିଳିବା ପ୍ରସଙ୍ଗ । ଟ୍ରେଜେରୀରେ ରହିବା ଚାବି ରେକର୍ଡ ରୁମକୁ କୁଆଡୁ ଆସିଲା ଏବଂ ପ୍ରକୃତ ଚାବି ବଦଳରେ ଡୁପ୍ଲିକେଟ୍ ଚାବି କେଉଁଠୁ ଆସିଲା, ତାକୁ ନେଇ ସନ୍ଦେହ ବଢୁଥିବା ବେଳେ ଆଜି ହାତ ଟେକି ଦେଇଛନ୍ତି ଜିଲ୍ଲାପାଳ । ଚାବି ହଜିବା ପ୍ରସଙ୍ଗରେ ତାଙ୍କୁ ଟାର୍ଗେଟ କରାଯାଉଥିବା ବେଳେ ସେ ଜଗନ୍ନାଥଙ୍କ ନିକଟରେ ହାତ ଟେକି ଦେଇଥିଲେ । ଆଉ ହଠାତ ରେକର୍ଡ଼ ରୁମରୁ ବନ୍ଦ ଥିବା ଲଫାପାରୁ ମିଳିଥିଲା ରତ୍ନଭଣ୍ଡାର ଚାବି ।