ଇଣ୍ଡୋନେସିଆରେ ସୁନାମୀର ମହାପ୍ରଳୟ : ୨୮୧ ଜଣଙ୍କର ମୃତ୍ୟୁ, ୧୦୦୦ରୁ ଅଧିକ ଆହତ

77

କନକ ବ୍ୟୁରୋ : ଇଣ୍ଡୋନେସିଆରେ ପ୍ରଳୟଙ୍କରୀ ସୁନାମୀ ବଡ ଧରଣର ବିପର୍ଯ୍ୟୟ ଘଟାଇଛି । ସୁନାମୀରେ ଏଯାଏଁ ୨୮୧ ଜଣ ପ୍ରାଣ ହରାଇଥିବା ବେଳେ ହଜାରରେ ଅଧିକ ଆହତ ହୋଇଛନ୍ତି । ବହୁ ଲୋକ ଏବେ ବି ନିଖୋଜ ଅଛନ୍ତି । ରାସ୍ତାଘାଟ, ଘରଦ୍ୱାର, ଗାଡି-ମୋଟର ଓ ବଡ ବଡ ଗଛକୁ ଧୋଇନେଇଛି ସୁନାମୀ । ଆଗ୍ନେୟ ଉଦଗୀରଣ ପରେ ସମୁଦ୍ରରେ ଭୂସ୍ଖଳନ ଘଟି ସୁନାମୀ ଆସିଥିବା ସୂଚନା ମିଳିଛି । ସମୁଦ୍ର କୂଳରେ ମ୍ୟୁଜିକ୍ କନସର୍ଟ ଚାଲିଥିବା ବେଳେ ମାଡି ଆସିଥିଲା ଭୟଙ୍କର ସୁନାମୀ । ଆଉ କିଛି କ୍ଷଣ ମଧ୍ୟରେ ନେଇଥିଯାଇଥିଲା ଅନେକ ଜୀବନ । ଆଉ ଅନେକ ଆହତ ହୋଇ ଏବେ ଜୀବନ ସହ ଲଢ଼ୁଛନ୍ତି ।

ସମ୍ପୃକ୍ତ ଅଂଚଳରେ ପୁଣିଥରେ ସୁନାମୀ ଆସିପାରେ ବୋଲି ଆଶଂକା କରାଯାଉଥିବାରୁ ପ୍ରଭାବିତ ଓ ଆଖପାଖ ଅଂଚଳକୁ ଯିବା ପାଇଁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଇଣ୍ଡୋନେସିଆରେ ଲଗାତର ଭାବେ ଭୂକମ୍ପ, ସୁନାମୀ ଓ ଆଗ୍ନେୟ ଉଦଗୀରଣ ପରି ଘଟଣା ଘଟୁଛି । ଗତ ଅକ୍ଟୋବରରେ ଭୂକମ୍ପ ଓ ସୁନାମୀରେ ପ୍ରାୟ ୨ଶହ ଲୋକଙ୍କ ଜୀବନ ଯାଇଥିଲା । ଇଣ୍ଡୋନେସିଆକୁ ସହାୟତା ଦେବାକୁ ଆଗେଇ ଆସିଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୁନାମୀ ପୀଡ଼ିତଙ୍କ ପାଇଁ ଦୁଃଖ ପ୍ରକାଶ କରିବା ସହ ଇଣ୍ଡୋନେସିଆକୁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।