୧୫ ବର୍ଷ ପରେ ପୁଣି ଜୁନିୟର ହକି ୱାର୍ଲଡ କପ ଜିଣିଛି ଭାରତ: ବେଲଜିଅମକୁ ୨-୧ ଗୋଲରେ ପରାସ୍ତ କରି ଟିମ୍ ଇଣ୍ଡିଆ ଚାଂପିଅନ

39

କନକ ବ୍ୟୁରୋ : ଭାରତୀୟ ହକି ଟିମ ୧୫ ବର୍ଷ ପରେ ପୁଣି ଜୁନିୟର ହକି ୱାର୍ଲଡ କପ ଜିଣିଛି । ଲକ୍ଷ୍ନୈାର ମେଜର ଧ୍ୟାନଚାନ୍ଦ ଷ୍ଟାଡିୟମେର ଖେଳାଯାଇଥିବା ଫାଇନାଲ ମୁକାବିଲାରେ ବେଲଜିଅମକୁ ୨-୧ ଗୋଲରେ ପରାସ୍ତ କରି ଚାଂପିଅନ ହୋଇଛି ଟିମ୍ ଇଣ୍ଡିଆ । ଭାରତ ତରଫରୁ ପ୍ରଥମ ଗୋଲ ଗୁରଜଟ ସିଂହ କରିଥିବା ବେଳେ ଦ୍ୱିତୀୟ ଗୋଲ କରିଥିଲେ ସିମରନଜିତ ସିଂହ । ପ୍ରଥମାର୍ଦ୍ଧରେ ହିଁ ଭାରତ ୨-୦ରେ ଅଗ୍ରଣୀ ରହିଥିଲା । ଏହି ବିଜୟ ସହ ଏହି ଟୁର୍ଣ୍ଣାମେଂଟରେ ଅପରାଜେୟ ରହିଲା ଭାରତୀୟ ଜୁନିଅର ହକି ଦଳ । ପୂର୍ବରୁ ୨୦୦୧ରେ ଗଗନ ଅଜିତ ସିଂଙ୍କ ନେତୃତ୍ୱରେ ପ୍ରଥମ ଥର ପାଇଁ ଜୁନିଅର ହକି ବିଶ୍ୱକପ୍ ଚମ୍ପିଅନ ହୋଇଥିଲା ଭାରତ ।

କିନ୍ତୁ ନିଜ ଘରୋଇ ପଡିଆରେ ଭାରତ ପ୍ରଥମ ଥର ପାଇଁ ଜୁନିଅର ବିଶ୍ୱ କପ୍ ଜିତିବାର ରେକର୍ଡ ସୃଷ୍ଟି କରିଛି । ଏହି ବିଜୟ ପରେ ବିଭିନ୍ନ ମହଲରୁ ହକି ଦଳକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ସେପଟେ ବିଜୟୀ ଦଳର ସମସ୍ତ ଖେଳାଳିଙ୍କୁ ୩ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ ବିଜୟ ଗୋଏଲ । ଅନ୍ୟପଟେ ଟିମର ଓଡିଆ ଖେଳାଳିଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ପୁରସ୍କାର ପ୍ରଦାନ କରିବେ ବୋଲି ରାଜ୍ୟ କ୍ରିଡା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି ।