କନକ ବ୍ୟୁରୋ : ଲୋକସଭା ନିର୍ବାଚନ ହେବାର ବହୁ ପୂର୍ବରୁ ଭାରତର ସମସ୍ତଙ୍କ ଘରେ ଉପଯୁକ୍ତ ଶୌଚାଳୟର ବ୍ୟବସ୍ଥା କରାଯାଇ ସମଗ୍ର ଦେଶକୁ ବାହ୍ୟ-ମଳ ମୁକ୍ତ କରାଯିବ ବୋଲି ଜଣେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀ କହିଛନ୍ତି । ଏହାହିଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପରିଚାଳିତ ସବୁଠୁ ବଡ଼ ଏବଂ ଗୁରୁତ୍ୱପୂର୍ଣ୍ଣ ଅଭିଯାନ । ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ତାଙ୍କ ମନ୍ତ୍ରାଳୟ ନିର୍ଦ୍ଧାରିତ ସମୟ ସୀମା ଅକ୍ଟୋବର ୨୦୧୯ ପୂର୍ବରୁ ଲକ୍ଷ୍ୟ ହାସଲ କରିସାରିଥିବ । କିନ୍ତୁ, ଡିସେମ୍ବର ୨୦୧୮ ସୁଦ୍ଧା ଏହି ଲକ୍ଷ୍ୟ ପୂରଣ ହୋଇଯିବ ବୋଲି ସ୍ୱଚ୍ଛତା ମନ୍ତ୍ରାଳୟ ନିଶ୍ଚିତ କରି କହିଛି । ସହରମାନଙ୍କରେ ଆବଶ୍ୟକ ହେଉ ଥିବା ଶୌଚାଳୟ ନିର୍ମାଣ ଲକ୍ଷ୍ୟ ଠାରୁ ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣର ଲକ୍ଷ୍ୟ ୧୧ ଗୁଣ ଅଧିକ ବୋଲି ମନ୍ତ୍ରାଳୟ କହିଛି ।
ପୁରୀ କହିଛନ୍ତି ଯେ, ଲୋକମାନଙ୍କର ଆଚରଣ ପରିବର୍ତ୍ତନ କରିବା ଗୋଟାଏ ବଡ଼ ଆହ୍ଵାନ । ନଗରାଞ୍ଚଳରୁ ବାହାରୁ ଥିବା ବିପୁଳ ପରିମାଣର ଆବର୍ଜନାକୁ ପରିଚାଳନା କରିବାକୁ ମନ୍ତ୍ରାଳୟକୁ ନାକେଦମ ହେବାକୁ ପଡୁଛି । ବିଶେଷଜ୍ଞମାନେ କହନ୍ତି, ବିଶେଷ କରି ସହରାଞ୍ଚଳରେ ସର୍ବସାଧାରଣମାନଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟର ଦେଖାରଖା କରିବା ହିଁ ମୂଳକଥା । ଗ୍ରାମାଞ୍ଚଳ ପାଇଁ ମୁଖ୍ୟ ପ୍ରସଙ୍ଗ ହେଉଛି ଲୋକମାନଙ୍କୁ ଏହି ସୁବିଧା ଯୋଗାଇ ଦେବା। ପାନୀୟ ଜଳ ଏବଂ ସ୍ୱଚ୍ଛତା ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହନ୍ତି, ଗ୍ରାମାଞ୍ଚଳରେ ଶୌଚାଳୟ ନିର୍ମାଣ କରିବା ସହ ଲୋକମାନଙ୍କର ଆଚରଣରେ ପରିବର୍ତ୍ତନ କରାଇବାକୁ ଆମେ ସ୍ଥାନୀୟ ଜନପ୍ରିୟ ବ୍ୟକ୍ତି, ଗାଁ ମୁଖିଆ ଆଦିଙ୍କ ସହାୟତା ନେଉଛୁ । ଶୌଚାଳୟ ନ ଥାଇ କାହାରିକୁ ଶୌଚାଳୟ ବ୍ୟବହାର କରିବାକୁ କହି ହେବ ନାହିଁ । ଆମେ ଠିକଣା ବାଟରେ ଆଗେଇ ଚାଲିଛୁ ।
ସେ ଆହୁରି କହିଛନ୍ତି, ଅକ୍ଟୋବର ୨୦୧୪ରେ ସ୍ୱଚ୍ଛ ଭାରତ ଅଭିଯାନା ଆରମ୍ଭ ହେବା ଯାଏଁ ଗ୍ରାମାଞ୍ଚଳ
ଭାରତରେ ୩୯% ସ୍ୱଚ୍ଛତା ପୂରଣ ହୋଇ ପାରିଛି । ୫.୯ କୋଟିରୁ ଊର୍ଦ୍ଧ୍ୱ ଶୌଚାଳୟ ନିର୍ମାଣ ସରିଛି ଏବଂ ପ୍ରାୟ ୩୦ କୋଟି ଗ୍ରାମାଞ୍ଚଳ ଭାରତ ବାସୀ ବାହାରେ ମଳତ୍ୟାଗ କରୁ ନାହାନ୍ତି । ସିକିମ, କେରଳ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ହରିୟାନା, ଗୁଜୁରାଟ ଏବଂ ଅରୁଣାଚଳ ପ୍ରଦେଶ ଆଦି ସାତଟି ରାଜ୍ୟର ୨୯୦ ଜିଲ୍ଲା ବାହ୍ୟ-ମଳ ମୁକ୍ତ ହୋଇ ପାରିଛି । ମାର୍ଚ ସୁଦ୍ଧା ଆଉ ୮ରୁ ୧୦ ରାଜ୍ୟର ୪୦୦ ଜିଲ୍ଲା ବାହ୍ୟ-ମଳ ମୁକ୍ତ ହେବ ବୋଲି ଆମେ ଆଶା କରୁଛୁ ।
ସରକାରଙ୍କ ଆକଳନ ମଧ୍ୟ ଦର୍ଶାଉଛି ଯେ ବିପୁଳ ସଂଖ୍ୟକ ଶୌଚାଳୟ ନିର୍ମାଣ ଯୋଗୁଁ ଲୋକେ କାମ ପାଉଛନ୍ତି ଏବଂ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଏହା ଦ୍ୱାରା ରାଜମିସ୍ତ୍ରୀ ଏବଂ ଶ୍ରମିକମାନେ ୪, ୪୦୦ କୋଟି ଟଙ୍କା ଉପାର୍ଜନ କରି ଆର୍ଥିକ ଲାଭ ପାଇଛନ୍ତି । ଶୌଚାଳୟ ନିର୍ମାଣ ସାଧାରଣରେ ବିପୁଳ ଅର୍ଥନୈତିକ କାର୍ୟ୍ୟକଳାପ ବୃଦ୍ଧି କରାଇବା ସହ ଏହାକୁ ଚଳାଇ ରଖିବା ଏବଂ ମରାମତି କରିବା କାର୍ଯ୍ୟ ମଧ୍ୟ ବଜାରର ଅର୍ଥନୈତିକ ବ୍ୟାପାର ବୃଦ୍ଧି କରାଇବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/01/maxresdefault-7.jpg)