ପାକିସ୍ତାନ ସହ ହେବାକୁ ଥିବା ମନ୍ତ୍ରିସ୍ତରୀୟ କଥାବାର୍ତ୍ତା ରଦ୍ଦ: କଶ୍ମୀରରେ ସୁରକ୍ଷା ବାହିନୀ ଉପରେ ଲଗାତାର ଆକ୍ରମଣ ଯୋଗୁଁ କଠୋର ହେଲା ଭାରତ

44

କନକ ବ୍ୟୁରୋ : ଭାରତ-ପାକିସ୍ତାନ  ମଧ୍ୟରେ ନ୍ୟୁୟର୍କରେ ହେବାକୁ ଥିବା ମନ୍ତ୍ରିସ୍ତରୀୟ କଥାବାର୍ତ୍ତାକୁ ଭାରତ ରଦ୍ଦ କରିଛି ।  ପାକିସ୍ତାନ ସେନା ଓ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ଷଡ଼ଯନ୍ତ୍ରକ୍ରମେ କଶ୍ମୀରରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଲଗାତାର ଆକ୍ରମଣ  କରାଯିବାରୁ ଏଥିରେ କ୍ଷୁବ୍ଧ ଭାରତ କଥାବାର୍ତ୍ତା ରଦ୍ଦ କରିଛି । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଛନ୍ତି, ଇମ୍ରାନ୍‌ ଖାନ୍‌ ସରକାରର ଅସଲ ରୂପ ଏବେ ସାମ୍ନାକୁ ଆସିଛି । ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଚିଠିକୁ ସମ୍ମାନ ଜଣାଇ ଭାରତ କଥାବାର୍ତ୍ତା ପାଇଁ ରାଜି ହୋଇଥିଲା, କିନ୍ତୁ   ପାକିସ୍ତାନରୁ ପରିଚାଳିତ କେତେକ ସଂସ୍ଥା କଶ୍ମୀରରେ ଯେଉଁ ବର୍ବର କାଣ୍ଡ ଘଟାଇ ଚାଲିଛନ୍ତି ତାହାକୁ କୌଣସି ସଭ୍ୟ ରାଷ୍ଟ୍ର ଗ୍ରହଣ କରିବ ନାହିଁ ।

ଇମ୍ରାନ ସରକାରଙ୍କ ଅସଲ ଚେହେରା ଏହାର କାର୍ଯ୍ୟକାଳ ଆରମ୍ଭରୁ ହିଁ ପଦାରେ ପଡ଼ିଯାଇଛି ।  ଜଣେ ଭାରତୀୟ ଯବାନଙ୍କୁ ଗୁଳି ପରେ ପାକ୍‌ ସେନା ଯେଭଳି ଗଳା କାଟିଲା ଏବଂ ଆତଙ୍କବାଦୀଙ୍କୁ ମହିମାମଣ୍ଡନ କରି ସେମାନଙ୍କ ସମ୍ମାନାର୍ଥେ ପାକିସ୍ତାନ ସରକାର ଡାକଟିକଟ ଜାରି କଲେ ତାହା ପାକିସ୍ତାନର ଦୋମୁହାଁ  ନୀତିକୁ ପଦାରେ  ପକାଇ ଦେଇଛି । ଏହାକୁ ଭାରତ ଦୃଢ଼ ବିରୋଧ କରିବା ସହ  କଥାବାର୍ତ୍ତାକୁ ରଦ୍ଦ  କରିବାକୁ ନିଷ୍ପତ୍ତି ନେଇଛି ବୋଲି ସେ କହିଛନ୍ତି ।

ସାଂପ୍ରତିକ ସ୍ଥିତିରେ ପାକିସ୍ତାନ ସହ କଥାବାର୍ତ୍ତା ଅର୍ଥହୀନ ବୋଲି ରବୀଶ କୁମାର କହିଛନ୍ତି ।  ଚଳିତମାସ ଶେଷଭାଗରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ ଏବଂ ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେଶିଙ୍କ ମଧ୍ୟରେ ଆଲୋଚନା ପାଇଁ ଗତକାଲି ସରକାର ସବୁଜ ସଙ୍କେତ ଦେଇଥିଲେ । ଇମ୍ରାନ୍‌ ଖାନ୍‌ଙ୍କ ପକ୍ଷରୁ ଚିଠି ଲେଖାଯିବା ପରେ ଭାରତ ଏହି ଆଲୋଚନା ପାଇଁ   ପ୍ରସ୍ତୁତ ବୋଲି କହିଥିଲା ।  ତେବେ କଶ୍ମୀରରେ ଲଗାତାର ହିଂସା ସୃଷ୍ଟି  ପଛରେ ପାକ୍‌ ସେନା ଓ ଆଇଏସ୍‌ଆଇର ହାତ ଥିବାରୁ ଏବେ କଥାବାର୍ତ୍ତା ଆଉ ସମ୍ଭବ ନୁହେଁ ବୋଲି ପାକ୍‌ ହାଇକମିସନରଙ୍କ ମାଧ୍ୟମରେ ଭାରତ ଜଣାଇ ଦେଇଛି ।

ଇମ୍ରାନଙ୍କ ପତ୍ରରେ ଶାନ୍ତି ପାଇଁ ସକରାତ୍ମକ ପଦକ୍ଷେପ ନେବାକୁ କୁହାଯାଇଥିବା ବେଳେ ଅସଲରେ ପାକିସ୍ତାନ ଏହାର ଓଲଟା କାର୍ଯ୍ୟକରି ତା’ର ଶଇତାନୀ କାର୍ଯ୍ୟକଳାପକୁ  ପ୍ରତିପାଦିତ କରୁଛି ବୋଲି ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ସୀମାପାର ଆତଙ୍କବାଦ ନେଇ ପାକିସ୍ତାନ ଅନ୍ତର୍ଜାତୀୟ ସମୁଦାୟକୁ ବିଭ୍ରାନ୍ତ କରୁଛି ଏବଂ ଭାରତ ବିରୋଧରେ ଲଗାତାର ଷଡ଼ଯନ୍ତ୍ର ଜାରି ରଖିଛି । ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନ ଜୈଶ ଏ ମହମ୍ମଦ ଏବଂ ଲସ୍କର ଏ ତୋଏବା ଜମ୍ମୁ କଶ୍ମୀରରେ ହିଂସା ଘଟାଇବା ପାଇଁ ପାକିସ୍ତାନ ସେନା ଏବଂ ଆଇଏସ୍‌ଆଇଠାରୁ ସମସ୍ତ ପ୍ରୋତ୍ସାହନ ପାଉଛନ୍ତି । ପାକିସ୍ତାନ ସେନା ଆତଙ୍କବାଦୀଙ୍କ ଅନୁପ୍ରବେଶକୁ ସହଜ କରାଇବା ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ କରୁଛି ଏବଂ ଭାରତ ଏହାକୁ ବରଦାସ୍ତ କରିବ ନାହିଁ ବୋଲି ଚେତାଇ ଦେଇଛି ।