ଇତିହାସ ରଚିଲା ଭାରତ ! ବିଦେଶରେ ସିରିଜ୍ କ୍ଲିନସ୍ୱିପ୍ କଲା ବିରାଟ ସେନା

49

କନକ ବ୍ୟୁରୋ : ବିଦେଶ ମାଟିରେ ସିରିଜ କ୍ଲିନସ୍ୱିପ୍ । ଶ୍ରୀଲଙ୍କା ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ବିରାଟ ସେନା ଖାଲି ଜିତିନି ବରଂ ଲଙ୍କା ଦଳକୁ ଧରାଶାୟୀ କରିଛନ୍ତି କୋହଲି ଆଣ୍ଡ କୋ । ପ୍ରଥମ ଥର ପାଇଁ ବିଦେଶ ମାଟିରେ ଭାରତୀୟ ଦଳ ହ୍ୱାଇଟ ୱାସ କରିବାରେ ସକ୍ଷମ ହୋଇଛି । ଭ୍ରମଣକାରୀ ଦଳ ଭାବେ ଭାରତ ଏହି କାରନାମା ହାସଲ କରିବାରେ ହୋଇଛି ଅଷ୍ଟମ ଦଳ । ଯିଏ ତିନି ମ୍ୟାଚ ବିଶିଷ୍ଟ ସିରିଜକୁ କ୍ଲିନସ୍ୱିପ୍ କରିବାକୁ ସମର୍ଥ ହୋଇଛି । ତେବେ ବଡ କଥା ହେଉଛି, ବିଦେଶରେ କ୍ଲିନସ୍ୱିପ୍ କରିବାରେ ବିରାଟ ସେନା ଏସିଆର ପ୍ରଥମ ଦଳ ହୋଇଛି ।

ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ତୃତୀୟ ଟେଷ୍ଟକୁ ଇନିଂସ ଓ ୧୭୧ ରନରେ ଜିତି ନେଇଛି ବିରାଟଙ୍କ ଦଳ । ପ୍ରଥମ ଇନିଂସରେ ୪୮୭ ରନ୍ କରିଥିବା ଭାରତୀୟ ଦଳର ବୋଲିଂ ଲାଇନ ଅପକୁ ମୁକାବିଲା କରିବାରେ ବିଫଳ ହୋଇଥିଲା ଲଙ୍କା ଟିମ୍ । ପ୍ରଥମ ଇନିଂସରେ ୧୩୫ ଓ ଦ୍ୱିତୀୟ ଇନିଂସରେ ମାତ୍ର ୧୮୧ ରନ କରିବାକୁ ଦଳ ସକ୍ଷମ ହୋଇଥିଲା । ଶ୍ରୀଲଙ୍କା ବିପକ୍ଷ କୌଣସି ବି ମ୍ୟାଚ୍ ୫ ଦିନ ବି ଚାଲିପାରିଲାନି । ଗାଲେର ପ୍ରଥମ ଟେଷ୍ଟକୁ ୩୦୪ ରନ୍ ଓ ଦ୍ୱିତୀୟ ଟେଷ୍ଟକୁ ଇନିଂସ ଓ ୫୪ ରନରେ ଜିତିଥିଲା ଭାରତ ।

ଏହା ପୂର୍ବରୁ ଅଷ୍ଟ୍ରେଲିଆ ୧୧ ବର୍ଷ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ତା’ ମାଟିରେ ଧୂୂଳି ଚଟାଇଥିଲା । ୩ ମ୍ୟାଚ ବିଶିଷ୍ଟ ସିରିଜକୁ ସଂପୁର୍ଣ୍ଣ ଜିତିନେଇଥିଲା କଙ୍ଗାରୁ ଦଳ । ବିରାଟ କୋହଲି ଏଯାବତ୍ ୨୯ଟି ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ମଙ୍ଗ ଧରିଥିବା ବେଳେ ୧୯ଟି ମ୍ୟାଚରେ ବିଜୟ ହାସଲ କରିଛନ୍ତି । ୨୦୧୫ରେ ଗଲ ଟେଷ୍ଟରେ ପରାଜିତ ହେବା ପରଠାରୁ ଆଉ ବିରାଟଙ୍କ ଟିମ ହାରିନାହିଁ । ଏହି ସମୟ ମଧ୍ୟରେ ଦଳ ୨୦ଟି ମ୍ୟାଚ ଜିତିଥିବା ବେଳେ ୫ଟି ମ୍ୟାଚକୁ ଡ୍ର ରଖିବାରେ ସମର୍ଥ ହୋଇଛି ।

ଗୋଟିଏ ଇନିଂସ ଥାଇ ବିଜୟ ହାସଲ କରିଥିବା ତାଲିକାରେ ଭାରତର ଏହା ଚତୁର୍ଥ ବଡ ବିଜୟ । ୨୦୦୭ରେ ଢାକାରେ ବାଂଲାଦେଶକୁ ଇନିଂସ ଓ ୨୩୯ ରନରେ ହରାଇଥିଲା ଭାରତ । ୧୯୯୮ରେ କୋଲକାତାରେ ଅଷ୍ଟ୍ରେଲିଆକୁ ଇନିଂସ ଓ ୨୧୯ ରନରେ ହରାଇଥିଲା ଟିମ ଇଣ୍ଡିଆ । ୨୦୧୦ରେ ନାଗପୁରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଇନିଂସ ଓ ୧୯୮ ରନରେ ବିଜୟ ହାସଲ କରିଥିଲା ଭାରତ । ସେହିଭଳି ୨୦୧୭ରେ ଶ୍ରୀଲଙ୍କାକୁ ଇନିଂସ ଓ ୧୭ରେ ରନରେ ହରାଇ ଭାରତ ଆଉ ଏକ ବୃହତ ବିଜୟ ହାସଲ କରିବାରେ ସମର୍ଥ ହୋଇଛି ।

୮୫ ବର୍ଷ ଧରି ଟେଷ୍ଟ ମ୍ୟାଚ ଖେଳୁଛି ଭାରତ । ଏହି ସମୟ ଭିତରେ ୩୩ ଜଣ ଅଧିନାୟକ ରହିଛନ୍ତି । ହେଲେ ଯେଉଁ କାରନାମା କୋହଲି କରି ଦେଖାଇଛନ୍ତି ତାକୁ ଆଉ କେହି କରି ଦେଖାଇବାରେ ସମର୍ଥ ହୋଇନାହାନ୍ତି । ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ କ୍ଲିନସ୍ୱିପ୍ କରିବାକୁ ଭାରତକୁ ଲାଗିଗଲା ୮୫ ବର୍ଷ । ଅଜିଯାଏଁ ଭାରତର କୌଣସି ଅଧିନାୟକ ଏହାକୁ ହାସଲ କରିବାରେ ସମର୍ଥ ହୋନଥିବା ବେଳେ ବିରଟ କୋହଲି ୨୮ ବର୍ଷ ବୟସରେ ଏବଂ ଅଧିନାୟକ ଭାବେ ନିଜ ୨୯ ତମ ଟେଷ୍ଟରେ ଏହାକୁ ହାସଲ କରି ଦେଖାଇଛନ୍ତି ।

ବିଦେଶ ମାଟିରେ ଏହା ଭାରତର ୭୮ ତମ ଟେଷ୍ଟ ସିରିଜ ଥିଲା । ଆଉ ଏଥିରେ ଭାରତ ୧୮ ତମ ଟେଷ୍ଟ ସିରିଜ ବିଜୟ ହାସଲ କରିଥିଲା । ୧୯୩୨ରେ ଭାରତ ଟେଷ୍ଟ ସିରିଜ ଖେଳିବା ଆରମ୍ଭ କରିଥିଲା । ଆଉ ବିଦେଶରେ ୨-୦ରେ ସିରିଜ ଜିତିବା ଥିଲା ଏଯାବତ୍ ଦଳର ଶ୍ରେଷ୍ଠ ପ୍ରଦର୍ଶନ ।