ଦେଶରେ ବଢ଼ୁଛି ସଂକ୍ରମଣ : ବିଶ୍ବରେ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ଦ୍ବାଦଶ

1,428

କନକ ବ୍ୟୁରୋ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ ହଜାର ଟପିଯିବ। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଦେଶରେ ଆଜି ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୨୮୧ ରହିଛି । ଫଳରେ ବିଶ୍ବରେ କ‌ରୋନା ଯୋଗୁଁ ଅଧିକ ପ୍ରଭାବିତ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭାରତ ଏବେ ଦ୍ବାଦଶ ସ୍ଥାନରେ ରହିଛି। ଭାରତ କାନାଡ଼ାକୁ ପଛରେ ପକାଇ ଏହି ସ୍ଥାନ ହାସଲ କରିଛି । ଚୀନ୍‌ ଏବେ ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ରଙ୍କ ମଧ୍ୟରେ ଏକାଦଶ ସ୍ଥାନରେ ଥିବାବେଳେ ଉକ୍ତ ଦେଶ ପଛକୁ ଭାରତ ରହିଛି । ଭାରତରେ ସଂକ୍ରମଣ ମାତ୍ରା ବଢ଼ି ଚାଲିଲେ ଆଉ କିଛି ଦିନ ମଧ୍ୟରେ ଭାରତ ଚୀନ୍‌କୁ ମଧ୍ୟ ଟପିଯିବ ।

କାନାଡ଼ାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୭୧ ହଜାର ଟପିଥିବାପେଳେ ଚୀନ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୮୪ ହଜାର ୪୫୧ ରହିଛି। ଖାଲି ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ନୁହେଁ ଭାରତରେ ସକ୍ରିୟ ମାମଲା ମଧ୍ୟ ଅଧିକ ରହୁଛି। ବିଶ୍ବରେ ସର୍ବାଧିକ ମାମଲା ଥିବା ଆମେରିକାରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧୪ ଲକ୍ଷ ଟପିଯାଇଛି ଏବଂ ମୃତ୍ୟୁସଂଖ୍ୟା ୮୩ ହଜାର ଟପିଛି। ଆମେରିକା ପଛକୁ ସ୍ପେନ୍‌ ଦ୍ବିତୀୟ ସ୍ଥାନରେ ରହିଛି। ସ୍ପେନ୍‌ରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୨ଲକ୍ଷ ୬୯ ହଜାର ୫୨୦ ରହିଛି। ତେବେ ସ୍ପେନ୍‌ ପରେ ରୁଷ୍‌ ସଂକ୍ରମଣ ମାମଲାରେ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର। ରୁଷ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୨ଲକ୍ଷ ୪୨ହଜାର ୨୭୧ ରହିଛି ଏବଂ ଏହ‌ା ସଂକ୍ରମଣ ମାମଲା କ୍ଷେତ୍ର‌ରେ ବିଶ୍ବରେ ତୃତୀୟ ସ୍ଥାନରେ ରହିଛି। ରୁଷ୍‌ ପରେ ବ୍ରିଟେନ୍‌, ଇଟାଲି, ଫ୍ରାନ୍ସ, ବ୍ରାଜିଲ୍‌, ଜର୍ମାନୀ, ତୁର୍କୀ, ଇରାନ୍‌ ଏବଂ ଚୀନ୍‌ ରହିଛି। ତେବେ ଚୀନ୍‌ ପଛକୁ ଭାରତ ଦ୍ବାଦଶ ସ୍ଥାନରେ ରହିଛି।