ଆଜି ୭୧ ତମ ସ୍ୱାଧୀନତା ଦିବସ ! ସାରା ଦେଶରେ ଉତ୍ସବର ବାତାବରଣ

93

କନକ ବ୍ୟୁରୋ : ଆଜି ଦେଶ ପାଳୁଛି ୭୧ ତମ ସ୍ୱାଧୀନତା ଦିବସ । ଆଉ କିଛି ସମୟ ପରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଥମେ ସେ ଦିଲ୍ଲୀର ଅମର ଯବାନ ଜ୍ୟୋତି ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ । ପରେ ୭.୨୮ରେ ପତାକା ଉତ୍ତୋଳନ କରି ୭.୩୦ରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ସେହିଭଳି ଭୁବନେଶ୍ୱରର ମହାତ୍ମାଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ପରେଡ଼ କାର୍ଯ୍ୟକ୍ରମ ହେବ । ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବେ ।

ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ ବକ୍ତବ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ମନେ ପକାଇବା ସହ ତାଙ୍କ ଆଦର୍ଶରେ ଜୀବନକୁ ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏବେ ଲୋକଙ୍କ ଭିତରେ ସମ୍ବେଦନଶୀଳତା, ପରସ୍ପର ପ୍ରତି ସହଯୋଗୀ ହେବା ଗୁଣ କମିଯାଉଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ସମସ୍ତଙ୍କୁ ସମ୍ବେଦନଶୀଳ ହୋଇ ଦେଶର ବିକାଶରେ ସକ୍ରୀୟ ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି । ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତା ଦେଇଛନ୍ତି ।

ସେହିପରି ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଜେଇ ହୋଇଛି ସାରା ସହର । ବିଶେଷକରି ସଚିବାଳୟ, ବିଧାନସଭା, ରିଜର୍ଭବ୍ୟାଙ୍କ, ଏସବିଆଇର ମୁଖ୍ୟକାର୍ଯ୍ୟାଳୟ ସମେତ ବହୁ ଅନୁଷ୍ଠାନ ମାଳମାଳ ରଙ୍ଗବେରଙ୍ଗ ଲାଇଟରେ ଶୋଭା ପାଇଛି । ଏଭଳି ସାଜସଜାକୁ ଦେଖିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ବେଶ ଉତ୍କଣ୍ଠା ପାଇଥିଲା ।

ସ୍ୱାଧୀନତା ଦିବସ ଅବସରରେ ଆନ୍ତର୍ଜାତିକ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୁମିରେ ବାଲୁକାକଳା ନିର୍ମାଣ କରିଛନ୍ତି । ଏହା ସହ ଜୟ ଜବାନ, ଜୟ କିଶାନ ଓ ଜୟ ବିଜ୍ଞାନ ଲେଖିଛନ୍ତି । ସ୍ୱାଧୀନତା ଦିବସରେ ସମସ୍ତେ ଦେଶରେ ଶାନ୍ତି ଓ ମୈତ୍ରୀର ଭାବ ସୃଷ୍ଟି କରିବା ପାଇଁ ଶପଥ ନେବାକୁ ବାଲୁକା କଳା ମାଧ୍ୟମରେ ଆହ୍ୱାନ ଜଣାଇଛନ୍ତି । ସେହିପରି ବାଲୁକା ଶିଳ୍ପୀ ଶ୍ରୀଧର ଦାସ ପାଇକ ବିଦ୍ରୋହର ୨୦୦ ବର୍ଷ ପୁର୍ତ୍ତିକୁ ବାଲୁକା କଳା ମାଧ୍ୟମରେ ଦର୍ଶାଇଛନ୍ତି ।