ଘମାଘୋଟ ନିର୍ବାଚନ ପ୍ରଚାର ଭିତରେ ରାହୁଲଙ୍କ ନିଆରା ଅନ୍ଦାଜ୍ : ହରିୟାଣା ରେୱାଡିରେ କଲେଜ ପିଲାଙ୍କ ସହ ଖେଳିଲେ କ୍ରିକେଟ୍ , ସେପଟେ ଔରଙ୍ଗାବାଦରେ ରାଲିକୁ ସଂବୋଧନ ପରେ ନାଚିଲେ ଓୱେସି

386

କନକ ବ୍ୟୁରୋ : ଘମାଘୋଟ ନିର୍ବାଚନ ପ୍ରଚାର ଭିତରେ ସାମ୍ନାକୁ ଆସିଲା ରାହୁଲଙ୍କ ନିଆରା ଅନ୍ଦାଜ । କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧିଙ୍କ ହାତରେ କ୍ରିକେଟ ବ୍ୟାଟ୍ । ରାଜନୀତିରେ ପୋଖତ ଖେଳୁଆଡ ରାହୁଲ ଗାନ୍ଧିଙ୍କୁ ନେଟ୍ସରେ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି । ବେଶ ଚୌକା, ଛକା ବର୍ଷା କରିଛନ୍ତି ଏହି ଯୁବ ରାଜନେତା । ଜଣେ ପେଷାଦାର ଖେଳାଳି ଭଳି ବିଭିନ୍ନ ଦିଗକୁ ବଲ ଷ୍ଟ୍ରାଇକ କରିଥିଲେ । ଏପରିକି ଲଙ୍ଗ ଅନ ଓ ଲଙ୍ଗ ଅଫରେ ସଟ୍ ମାରିବା ସହ ଷ୍ଟ୍ରେଟ ଡ୍ରାଇଭ ଓ କଭର ଡ୍ରାଇଭ ବି କରୁଥିବା ଦେଖିବାକୁ ମିଳିଥିଲା ।

ହରିଆଣାରେ ନିର୍ବାଚନୀ ପ୍ରଚାର ଶେଷ କରି ରାହୁଲ ଗାନ୍ଧି ଦିଲ୍ଲୀ ଅଭିମୁଖେ ବାହାରିଥିଲେ । ଆଉ ଅଚାନକ ପାଗ ଖରାପ ହେବାରୁ ତାଙ୍କ ହେଲିକପ୍ଟର ଜରୁରୀ ଅବତରଣ କରିଥିଲା । ରାହୁଲ ଗାନ୍ଧିଙ୍କ ହେଲିକପ୍ଟର ହରିଆଣା ରେୱାଡିର କେଏଲ କଲେଜ ପଡିଆରେ ଓହ୍ଲାଇବା ପରେ କଲେଜ ପିଲାଙ୍କ ସହ ସେ କ୍ରିକେଟ ଖେଳିଥିଲେ । ଏହା ପୂର୍ବରୁ ନିର୍ବାଚନୀ ପ୍ରଚାରରେ ବିଜେପି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋରଦାର ସମାଲୋଚନା କରିଥିଲେ ରାହୁଲ ଗାନ୍ଧି । ବିମୁଦ୍ରାୟନ ଯୋଗୁଁ ଦେଶର ଯୁବକ ଓ ଜିଏସଟି ଯୋଗୁଁ ଛୋଟ ଓ ମଧ୍ୟମ ବ୍ୟବସାୟୀ ସେମାନଙ୍କ ରୋଜଗାର ହରାଇଥିବା ଅଭିଯୋଗ ବାଢିଥିଲେ ।

ସେପଠେ ସବୁବେଳେ ନିଜର କଡା ତଥା ବିବାଦୀୟ ଭାଷଣ ପାଇଁ ଚର୍ଚ୍ଚାରେ ରହୁଥିବା ହାଇଦ୍ରାବାଦ ସାଂସଦ ଅସଉଦ୍ଦିନ୍ ଓୱେସିଙ୍କ ନାଚ ଦେଖିବାକୁ ମିଳିଛି । ହେଲେ ଏବେ ଏମିତି କିଛି ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣ ଦେଖିଲେ ବି ତାଜୁବ୍ ହୋଇଯିବେ । ଗତକାଲି ଔରଙ୍ଗାବାଦରେ ନିର୍ବାଚନୀ ରାଲିକୁ ସଂବୋଧନ କରିଥିଲେ ଏଆଇଏମଆଇଏମ୍ ମୁଖ୍ୟ ଅସଉଦ୍ଦିନ୍ ଓୱେସି । ତେବେ ଭାଷଣ ସରିବା ପରେ ମଂଚରୁ ଓହ୍ଲାଇବା ବେଳେ ଧମାକାଦାର ଡ୍ୟାନ୍ସ ମଧ୍ୟ କରିଥିଲେ । ଗୀତର ତାଳେ ତାଳେ ବେଶ୍ କିଛି ସମୟ ଅଂଟା ହଲାଉଥିବା ଦେଖିବାକୁ ମିଳିଥିଲା । ଔରଙ୍ଗାବାଦରେ ପୈଠନ ଗେଟର ରାଲିରେ ଏପରି ଡ୍ୟାନ୍ସ କରିଥିଲେ ଓୱେସି । ୧୧ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବାରେ ଲାଗିଛି ।