ସଇତାନକୁ ଦଣ୍ଡଦେବା ପରେ ପୋଲିସକୁ ଆଙ୍ଗୁଳି : ସୋସିଆଲ ମିଡ଼ିଆରେ ଏନକାଉଣ୍ଟରକୁ ନେଇ ପ୍ରଶ୍ନ ଉଠାଇଲେ ୟୁଜର

895

କନକ ବ୍ୟୁରୋ : ସଇତାନକୁ ଦଣ୍ଡଦେବା ପରେ ପୋଲିସକୁ ଆଙ୍ଗୁଳି । ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ଚାରି ଅଭିଯୁକ୍ତଙ୍କ ଏନକାଉଣ୍ଟର ଖବର ପ୍ରଘଟ ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ୪ ଗଣଦୁଷ୍କର୍ମକାରୀ ମହମ୍ମଦ ଆରିଫ୍, ଜୋଲୁ ନବୀନ, ଜୋଲୁ ଶିବା ଓ ଚିନ୍ତାକୁଟା ସାଭୁଲୁଙ୍କୁ ଏନକାଉଂଟର କରିଛି ପୁଲିସ । ପୋଲିସ୍ ସୂଚନା ଅନୁସାରେ ଅଭିଯୁକ୍ତମାନେ ପୁଲିସ କବଳରୁ ଖସି ପଳାଉଥିବା ବେଳେ ପୁଲିସ ତାଙ୍କୁ ଏନକାଉଂଟର କରିଛି । କିଛି ଲୋକ ଖୁସିରେ ଉତ୍ସବ ମନାଉଥିବା ବେଳେ ସୋସିଆଲ ମିଡ଼ିଆରେ କିଛି ଲୋକ ଏନକାଉଣ୍ଟରକୁ ନେଇ ପ୍ରଶ୍ନ କରିଛନ୍ତି ।

ସୋସିଆଲ ମିଡ଼ିଆରେ ଏନକାଉଣ୍ଟରକୁ ନେଇ ମିଶ୍ର ପ୍ରତିକ୍ରିୟା ଆସୁଛି । ଦେଶର ନ୍ୟାୟ ବ୍ୟବସ୍ଥା ଉପରେ କିଛି ଲୋକ ପ୍ରଶ୍ନ କରୁଛନ୍ତି । ଜଣେ ୟୁଜର ଲେଖିଛନ୍ତି, ଅଭିଯୁକ୍ତଙ୍କ ପ୍ରତି ମୋର କୌଣସି ସହାନଭୂତି ନାହିଁ । ହେଲେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଏନକାଉଣ୍ଟର କରିବା ଠିକ୍ ନଥିଲା । ତେଲେଙ୍ଗାନା ପୋଲିସ୍ ଠିକ୍ କରିନି ବୋଲି ସେ କହିଛନ୍ତି ।

ଆଉ ଜଣେ ୟୁଜର ଲେଖିଛନ୍ତି, ମୋ ପୋଷ୍ଟ ଦେଖିବା ପରେ ଲୋକେ ମୋତ ଟ୍ରୋଲ୍ କରିବେ । ପୋଲିସ୍ ଅଭିଯୁକ୍ତଙ୍କ ଉପରେ ଗୁଳି ମାରି ଠିକ୍ କରିନି । ନାରୀଙ୍କ ପାଇଁ ଏକ ସୁରକ୍ଷିତ ସମାଜ ଗଢ଼ିବା ପୋଲିସର କର୍ତ୍ତବ୍ୟ । ଏନକାଉଣ୍ଟର ଦ୍ୱାରା କିଛି ଲୋକ ଖୁସି ହେବେ, ହେଲେ ଏଥିରେ ସମସ୍ୟା ଶେଷ ହେବନି ।