ମୂର୍ତ୍ତି ବିସର୍ଜନ ଜନିତ ଜଳ ପ୍ରଦୂଷଣକୁ ରୋକା ଯାଇପାରିବ : ଦାବି କଲେ ଅନୁଗୁଳର ଯୁବ ଉଦ୍ଭାବକ ଜିତେନ୍ଦ୍ର କୁମାର ସାହୁ

88

କନକ ବ୍ୟୁରୋ : ବିଭିନ୍ନ କାରଣରୁ ନଦୀ ଓ ନାଳ ଜଳ ଦିନକୁ ଦିନ ବ୍ୟବହାର ଅନୁପଯୋଗୀ ହୋଇପଡୁଛି । ସେଥିମଧ୍ୟରୁ ମୂର୍ତ୍ତି ବିସର୍ଜନ ଏକ ପ୍ରମୁଖ କାରଣ ବୋଲି କୁହାଯାଏ । ତେବେ ଏହାକୁ ରୋକାଯାଇପାରିବ । ଏଭଳି ଆଶାର କିରଣ ଆଣିଛନ୍ତି ଅନୁଗୁଳର ଜଣେ ଯୁବ ଉଦ୍ଭାବକ । ସେ ଦାବି କରିଛନ୍ତି ତାଙ୍କ ଦ୍ୱାରା ନିର୍ମିତ ମୂର୍ତ୍ତିକୁ ଜଳରେ ବିଜର୍ସନ କଲେ ଜଳ ପ୍ରଦୂଷିତ ହେବନି ବରଂ ବିଶୋଧିତ ହେବ ।

ମୂର୍ତ୍ତି ବିସଜର୍ନନରେ ହେବ ଜଳର ବିଶୋଧନ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ଭବ ବୋଲି ଦାବି କରିଛନ୍ତି ଅନୁଗୁଳ ଜିଲ୍ଲା ନାଲକୋ ଅଂଚଳର ଯୁବ ଉଦ୍ଭାବକ ଜିତେନ୍ଦ୍ର କୁମାର ସାହୁ । ନାଲକୋ ଆସପଣ୍ଡରେ କାର୍ଯ୍ୟରତ ଜିତେନ୍ଦ୍ର ଦୂଷିତ ପାଉଁଶ ପାଣିକୁ ସ୍ୱଛ କରିବା ପାଇଁ ବ୍ୟବହାର କରାଯାଉଥିବା ନନ୍ ଫରିକ୍ ଆଲମରେ ତିଆରି କରିଛନ୍ତି ଏହି ମୂର୍ତି । ଏହି ମୂର୍ତ୍ତି ବିସର୍ଜନ ପରେ ଜଳାଶୟଗୁଡିକ ଦୂଷିତ ହେବା ପରିବର୍ତ୍ତେ ପରିଷ୍କାର ହେବ ବୋଲି ସେ କହିଛନ୍ତି ।

ନଦୀ, ନାଳର ଜଳକୁ ଦୂଷିତ କରିବାରେ ବଡ କାରଣ ହେଉଛି ମୂର୍ତ୍ତି ବିସର୍ଜନ । ମୂର୍ତ୍ତିରେ ବ୍ୟବହାର ହେଉଥିବା କଠିନ ବସ୍ତୁ, ରାସାୟନିକ ରଙ୍ଗ ଜଳରେ ମିଶିବା ପରେ ଏହା ମଣିଷ ଓ ପ୍ରାଣୀମାନଙ୍କ ପାଇଁ କ୍ଷତିକାରକ ହେଉଛି । ତେଣୁ ନଦୀର ମୂର୍ତ୍ତି ବିସର୍ଜନ ନିଷେଧ କରିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ରାଜ୍ୟ ସରକାରଙ୍କୁ ବାରମ୍ବାର ତାଗିଦ୍ କରୁଛି । ତେଣୁ ଏହାର ପ୍ରତିକାର ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏଭଳି ସମୟରେ ଜିତେନ୍ଦ୍ରଙ୍କ ଉଦ୍ଭାବନ ଏକ ନୂଆ ଆଶା ସଂଚାର କରିଛି ବୋଲି କହିଛନ୍ତି ବୁଦ୍ଧିଜୀବି । ଜିତେନ୍ଦ୍ରଙ୍କ ଦାବି ଠିକ୍ ହେଲେ ଏହା ଭବିଷ୍ୟତରେ ମୂର୍ତ୍ତି ବିସର୍ଜନ ଜନିତ ଜଳ ପ୍ରଦୂଷଣକୁ ଅନେକ ମାତ୍ରାରେ ରୋକିବାରେ ସହାୟକ ହେବ ।