କନକ ବ୍ୟୁରୋ : କନକ ବ୍ୟୁରୋ : ସାରା ଦେଶରେ ତାଲାବନ୍ଦ ଲାଗୁ ହୋଇଥିବା ସମୟରେ ପ୍ରତ୍ୟକ ଦିନ ଦେଖିବାକୁ ମିଳୁଛି ପାଦ ଚଲା ଶ୍ରମିକଙ୍କ ଘର ବାହୁଡା । କିଏ ରାସ୍ତାରେ ଘରକୁ ଫେରୁଚି ତ କିଏ ଘରକୁ ଫେରିବାକୁ ରେଳ ଟ୍ରାକରେ ଚାଲୁଛି ଶହ ଶହ କିଲୋମିଟର । ଆଉ କିଏ ସାଇକେଲରେ ହଜାରେରୁ ଅଧିକ କିମି ଦୂରତା ଅତିକ୍ରମ କରି ଫେରୁଛି ଘରକୁ । ସବୁଠାରୁ ଯନ୍ତ୍ରଣାଦାୟକ କଥା ହେଉଛି ଏହି ପାଦ ଚଲା ଶ୍ରମିକଙ୍କ ପାଇଁ କୋଭିଡ୍ ୧୯ ଭୂତାଣୁ ଠାରୁ ଅଧିକ ଭୟ ଘାରିଛି ଭୋକ ଭୟ । ଏବେ ପ୍ରତ୍ୟକ ଦିନ ଦେଶର ବିଭିନ୍ନ ରାଜ୍ୟରୁ ଏପରି ଚିତ୍ର ଆସିବା ପରେ , ଏହି ପାଦଚଲା ଶ୍ରମିକଙ୍କ ଘର ବାହୁଡା ନେଇ ଚିନ୍ତା କରିବାକୁ ବାଧ୍ୟ ହୋଇଛନ୍ତି କେନ୍ଦ୍ର ସରକାର ।
ଶୁକ୍ରବାର କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ପ୍ରସଙ୍ଗରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ପ୍ରମୁଖ ସଚିବମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କି କୌଣସି ରାଜ୍ୟରେ ପାଦ ଚଲା ଶ୍ରମିକ, ସାଇକେଲରେ ଫେରୁଥିବା ଶ୍ରମିକ ମାନଙ୍କୁ ଠାବ କଲେ ସେମାନଙ୍କର ଘରବାହୁଡା କଥା ବୁଝିବେ ସଂପୃକ୍ତ ରାଜ୍ୟ ସରକାର । କୌଣସି ରାଜ୍ୟର ପ୍ରବାସୀଙ୍କୁ ଏପରି ସ୍ଥିତିରେ ଦେଖିଲେ ସେହି ରାଜ୍ୟ ସରକାର ଏହି ଶ୍ରମିକଙ୍କୁ ଅଟକାଇ ସେମାନଙ୍କର ଖାଦ୍ୟ ବ୍ୟବସ୍ଥା କରିବେ । ସଂଗରୋଧ କେନ୍ଦ୍ରରେ ରଖିବେ । ପ୍ରାଥମିକ ସ୍ୱାସ୍ଥ୍ୟ ଯାଂଚ କରାଇ ଶ୍ରମିକ ସ୍ପେଶାଲ ଟ୍ରେନ୍, କିଂବା ବସ୍ ବ୍ୟବସ୍ଥା କରାଇବେ । ଏବେ ଦେଶରେ ଏପରି ହଜାର ହଜାର ପାଦଚଲା ଶ୍ରମିକଙ୍କ ଘରବାହୁଡା ନେଇ ୧୦୦ ରୁ ଅଧିକ ଶ୍ରମିକ ସ୍ପେଶାଲ ଟ୍ରେନ୍ ଚାଲୁଛି ।
ତେଣୁ ସଂପୃକ୍ତ ରାଜ୍ୟ ସରକାରମାନେ ଏଥିପ୍ରତି ଦୃଷ୍ଟି ହେଇ ପାଦଚଲା ଶ୍ରମିକଙ୍କ ଘରବାହୁଡା ନେଇ ବ୍ୟବସ୍ଥା କରିବେ, ଯେପରିକି କୌଣସି ସ୍ଥାନରେ ତାଲାବନ୍ଦରେ ଫସିଥିବା ଶ୍ରମିକଙ୍କୁ ପାଦରେ ଶହ ଶହ କିଲୋମିଟର ଚାଲିଚାଲି ଘରକୁ ଫେରୁଥିବାର ଯନ୍ତ୍ରଣାଦାୟକ ଚିତ୍ର ଆଉ ଦେଖିବାକୁ ମିଳିବନି । କେନ୍ଦ୍ର ଗୃହ ମନ୍ତ୍ରାଳୟର ଏପରି ବ୍ୟବସ୍ଥା ଦେଶର ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରିବାକୁ ବାଟ ସହଜ କରିବ ନିଶ୍ଚୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/3-12.jpg)